ଭାଇରାଲ ଜ୍ୱର

ଆଜିକାଲି ଥଣ୍ଡା କିମ୍ବା ଜ୍ୱର ଅନେକଙ୍କୁ ହେଉଥିବାର ଦେଖିବାକୁ ମିଳୁଛି । ଏହି ସମୟରେ ପାଗ ପରିବର୍ତ୍ତନ କାରଣରୁ ଭାଇରାଲ୍‌ ଜ୍ୱର ଓ ଥଣ୍ଡାର ଆଶଙ୍କା ରହିଛି । ଏହା ପିଲା ସହ ବଡ ସବୁବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ । ତେଣୁ କିଛିଟା ଦିଗରେ ଧ୍ୟାନ ଦେଲେ ଆମେ ଏହି ଭାଇରାଲ ଜ୍ୱର ସହ ଥଣ୍ଡାରୁ ବର୍ତ୍ତିପାରିବା । ତେବେ ଋତୁ ପରିବର୍ତ୍ତନ କାରଣରୁ ଛୋଟ ପିଲାଙ୍କର ଏହି ସମସ୍ୟା ଦେଖାଯାଇଥାଏ । ମାତ୍ର ଏହାର ଚିକିତ୍ସା ଠିକ୍‌ ଭାବରେ କରାନଗଲେ ବେଳେବେଳେ ଏହା ଗୁରୁତର ସମସ୍ୟାରେ ପରିଣତ ହୋଇଥାଏ । ତେବେ ଧ୍ୟାନ ରଖନ୍ତୁ ଜ୍ୱର ସମୟରେ ପିଲାମାନଙ୍କର ଉତ୍ତାପ ଶରୀରର ସାଧାରଣ ଉତ୍ତାପ ଠାରୁ ବହୁ ପରିମାଣରରେ ବଢିଯାଏ । ଏହାସହ ଜ୍ୱର ସମୟରର ଦେହରୁ ପ୍ରଚୁର ଝାଳ ବାହାରିଥାଏ । ବେଳେବେଳେ ଏହି ଜ୍ୱର ଶରୀରର ଉତ୍ତାପ କମାଇ ଥଣ୍ଡା ପକାଇଦେଇଥାଏ । ଏହାସହ କମ୍ପ ମଧ୍ୟ ଅନୁଭୂତ ହୋଇଥାଏ । ତେବେ ଏହା ପରେ ଶରୀର ଉତ୍ତାପ ପୁଣି ବୃଦ୍ଧି ପାଇଥାଏ । ସେହିଭଳି ପିଲାଙ୍କ କ୍ଷେତ୍ରରେ ଅତ୍ୟଧିକ ଜ୍ୱର ମୂର୍ଚ୍ଛାର କାରଣ ହୋଇଥାଏ । ଯାହାଫଳରେ ବେଳେବେଳେ ପିଲା ଅଚେତ ହୋଇପଡନ୍ତି ।

କାରଣ
ସର୍ଦ୍ଦି ଏବଂ ଫ୍ଲୁ ଭୂତାଣୁ ସଂକ୍ରମଣରୁ ହୋଇଥାଏ । ଯେଉଁକାରଣରୁ ନାକରୁ ପାଣି ବାହାରିବା ସହ ଗଳା ଖସଖସ ଓ ଗଣ୍ଠିରେ ଯନ୍ତ୍ରଣା ହୋଇଥାଏ । ଯଦି ସର୍ଦ୍ଦି ବା ଫ୍ଲୁ ଗୋଟିଏ ସପ୍ତାହରୁ ଅଧିକ ରୁହେ କିମ୍ବା ଜ୍ୱର, କଫ ସହିତ କାଶ ହୁଏ, ଛାତିରେ ଯନ୍ତ୍ରଣା ହୁଏ ଓ ଶ୍ୱାସପ୍ରଶ୍ୱାସ ଦ୍ରୁତ ହୁଏ ତେବେ ବ୍ରୋଙ୍କାଇଟସ୍‌ ବା ନିମୋନିଆ ହୋଇଥାଇପାରେ । ଏଥିପାଇଁ ଜୀବାଣୁ ପ୍ରତିରୋଧକ ଔଷଧ ଦରକାର । ସର୍ଦ୍ଦି ଜ୍ୱର,ଫୁସଫୁସ ପ୍ରଦାହ ବା ନିମୋନିଆରେ ପରିଣତ ହେବାର ବେଶୀ ଭୟ ବୟସ୍କ, ପିଲା ଓ ଯେଉଁ ମାନଙ୍କର ବ୍ରୋଙ୍କାଇଟସ୍‌ ପରି ଫୁସଫୁସର ସମସ୍ୟା ଥାଏ, ସେମାନଙ୍କ ଠାରେ ରହିଥାଏ । ସେହିଭଳି ଗଳା ଖରାପ ହେବା ସର୍ଦ୍ଦି ଜ୍ୱରର ଏକ ସାଧାରଣ ଅଂଶ । ଏହାର କୌଣସି ସ୍ୱତନ୍ତ୍ର ଔଷଧ ନାହିଁ ମାତ୍ର ଗରମପାଣି କୁଳି କଲେ ଲାଭ ହୋଇଥାଏ । ତେବେ ଏଥିପାଇଁ ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସାର ଆବଶ୍ୟକତା ରହିଛି ।

ଘରୋଇ ଉପଚାର

– ପ୍ରଚୁର ପାଣି ପିଅନ୍ତୁ ଓ ବିଶ୍ରାମ ନିଅନ୍ତୁ

– ଗରମ ବାମ୍ଫ ଆଘ୍ରାଣ କରନ୍ତୁ ଏହା ଚୁଣ୍ଟିହୋଇଥିବା ନାକକୁ ଖୋଲିବାରେ ସାହାଯ୍ୟ କରେ ।

– ଭଲ ଖାଇବା ଓ ଯଥେଷ୍ଟ ଶୋଇବା ଦ୍ୱାରା ସର୍ଦ୍ଦି ରୋଗ ଭଲ ହୋଇଯାଏ । କମଳା, ବିଲାତି ବାଇଗଣ ଏବାଂ ଭିଟାମିନ ‘ସି’ ଥିବା ଅନ୍ୟାନ ଫଳ ଖାଇଲେ ଉପକାର ମିଳିବ ।

– ସର୍ଦ୍ଦି ନଡେଇଁବା ପାଇଁ ସର୍ଦ୍ଦି ହୋଇଥିବା ବ୍ୟକ୍ତି ଅଲଗା ଶୋଇବା ଓ ଖାଇବା ଉଚିତ୍‌ । ଛୋଟ ପିଲା ମାନଙ୍କ ଠାରୁ ବିଶେଷ ଭାବରେ ଦୂରେଇ ରହିବା ଦରକାର । କାଶିବା କିମ୍ବା ଛିଙ୍କିବା ସମୟରର ତାଙ୍କର ନାକ ଓ ମୁହଁ ଘୋଡାଇ କାଶିବା ବା ଛିଙ୍କିବା ଉଚିତ୍‌ । ଏହି ଘରୋଇ ଉପଚାର କରିବା ସତ୍ୱେ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରାନ୍ତୁ ।

Govt

Comments are closed.