ହରିଆଣା: ହରିଆଣା ୨୦୨୪ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ତଥା କୁସ୍ତି ଯୋଦ୍ଧା ଭିନେଶ ଫୋଗଟ । ଭିନେଶ ଜିନ୍ଦ ଜିଲ୍ଲା ହଟସିଟ ଜୁଲନା ନିର୍ବାଚନ ମଣ୍ଡଳୀରୁ ବାଜିମାତ୍ କରିଛନ୍ତି ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ଯୋଗେଶ ବୈରାଗୀଙ୍କୁ ସେ ୬,୦୧୫ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଏଥିସହ ଦଳ ଦୀର୍ଘ ୧୯ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ଆସନରୁ ଜିତି ଇତିହାସ ରଚିଛି । ଶେଷ ଥର ଲାଗି କଂଗ୍ରେସ ୨୦୦୫ରେ ଏହି ଆସନରୁ ଜିତିଥିଲେ ।
ଜିନ୍ଦ ଜିଲ୍ଲାର ୫ ବିଧାନସଭା ନିର୍ବାଚନ ମଣ୍ଡଳୀ ଥିବାବେଳେ,ସମସ୍ତ ବିଧାନସଭା କ୍ଷେତ୍ରରେ ୬୬.୦୨% ମତଦାନ ହୋଇଥିଲା । ଏହି ହାଇ-ପ୍ରୋଫାଇଲ୍ ନିର୍ବାଚନମଣ୍ଡଳୀରେ ଭାରତୀୟ ଜାତୀୟ ଲୋକ ଦଳ (ଆଇଏନ୍ଏଲ୍ଡି) ପ୍ରାର୍ଥୀ ସୁରେନ୍ଦର ଲାଥର ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଗଣନା ଆରମ୍ଭ ହେବାବେଳେ ଫୋଗଟ୍ ପ୍ରଥମେ ଆଗୁଆ ରହିଥିଲେ। ପରବର୍ତ୍ତୀ ପ୍ରକ୍ରିୟା ଜାରି ରହିଥିବା ବେଳେ ଗୋଟିଏ ସମୟରେ ସେ ପଛରେ ପଡ଼ିଗଲେ। କିଛି ସମୟ ବ୍ୟବଧାନରେ ସେ ପୁନର୍ବାର ଆଗରରେ ରହି ବିଜୟ ହାତେଇବାରେ ସଫଳ ରହିଛନ୍ତି ।
୨୦୧୯ ମସିହା ନିର୍ବାଚନରେ ଏହି ଆସନ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ଅଂଶବିଶେଷ ଥିବା ଜନନାୟକ ଜନତା ପାର୍ଟି (ଜେଜେପି) ର ଅମରଜିତ ଧାନ୍ଦା ଜିତିଥିଲେ। ୨୦୧୪ ଏବଂ ୨୦୦୯ ମସିହାରେ ଏହି ଆସନକୁ ଭାରତୀୟ ଜାତୀୟ ଲୋକ ଦଳ (ଆଇଏନ୍ଏଲ୍ଡି) ପ୍ରାର୍ଥୀ ପରମିନ୍ଦର ସିଂ ଧୁଲ ଜିତିଥିଲେ।

Comments are closed.