ସାଧାରଣତଃ ଆପଣ ଅନେକ ଥର ଶୁଣିଥିବେ କି ସହରବାସୀଙ୍କ ମୁକାବିଲାରେ ଗ୍ରାମ ଲୋକେ ବହୁତ ପରିଶ୍ରମୀ ହୋଇଥାନ୍ତି । ହେଲେ କୀଟପତଙ୍ଗ ପାଇଁ ମଧ୍ୟ ସମାନ କଥା ପ୍ରଯୁଜ୍ୟ କି ? ନିକଟରେ ମହୁମାଛିଙ୍କ ଉପରେ ହୋଇଥିବା ଅନୁସନ୍ଧାନର ଫଳଫାଳ କିଛି ଏପରି ଦର୍ଶାଉଥିବା ବୈଜ୍ଞାନିକମାନେ କହିଛନ୍ତି । ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ସହରାଞ୍ଚଳ ମହୁମାଛି ଅପେକ୍ଷା ଗ୍ରାମରେ ଦେଖାଯାଉଥିବା ମହୁମାଛି ଅଧିକ ପରିଶ୍ରମୀ ଏବଂ ଖାଦ୍ୟ ସନ୍ଧାନରେ ସେମାନେ ୫୦ ପ୍ରତିଶତ ଅଧିକ ଯାତ୍ରା କରିଥାନ୍ତି ।

ବ୍ରିଟେନର ବର୍ଜିନିଆ ଏବଂ ରୟାଲ୍ ହୋଲୋେୱ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଲଣ୍ଡନରେ ୨୦ଟି ମହୁମାଛି ଫେଣା ଉପରେ ବିଶ୍ଳେଷଣ କରିଥିଲେ । ସେମାନେ ଏହି ଫେଣାଗୁଡ଼ିକରେ ମହୁମାଛିଙ୍କ ୱାଗାଲ ନୃତ୍ୟକୁ ୨୮୦୦ ଥର ଧ୍ୟାନର ସହ ଦେଖିଥିଲେ ଏବଂ ମହୁମାଛିଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ । ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ସହରାଞ୍ଚଳରେ ବାସ କରୁଥିବା ମହୁମାଛି ଖାଦ୍ୟ ସନ୍ଧାନରେ ହାରାହାରି ୪୯୨ ମିଟର ଦୂରତା ଅତିକ୍ରମ କରିଥାନ୍ତି, କିନ୍ତୁ ଗ୍ରାମାଞ୍ଚଳର ମହୁମାଛି ଖାଦ୍ୟ ଖୋଜିବା ପାଇଁ ୭୪୩ ମିଟର ପର୍ଯ୍ୟନ୍ତ ଯାଇଥାନ୍ତି । ଅର୍ଥାତ୍ ସହରୀ ମହୁମାଛି ତୁଳନାରେ ଗ୍ରାମୀଣ ମହୁମାଛି ୫୦ ପ୍ରତିଶତ ଅଧିକ ଦୂରତା ଅତିକ୍ରମ କରନ୍ତି ।

ଏହି ରିସର୍ଚ୍ଚରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଉଭୟ ସହର ଏବଂ ଗାଁରେ ରହୁଥିବା ମହୁମାଛିଙ୍କ ଦ୍ୱାରା ସଂଗୃହିତ ମହୁର ପରିମାଣରେ କୌଣସି ବଡ଼ ପାର୍ଥକ୍ୟ ନଥିଲା । ଅନୁସନ୍ଧାନକାରୀ ଏଲି ଲିଡବିଟରଙ୍କ କହିବା ଅନୁଯାଯୀ, ସହରରେ ଥିବା ବଗିଚା ମହୁମାଛିଙ୍କ ହଟ୍ସ୍ପଟ୍ କାରଣ ବଗିଚାରେ ବିଭିନ୍ନ ପ୍ରକାରର ଫୁଲ ଲାଗିଥାଏ ।

ସେପଟେ ଗ୍ରାମଗୁଡିକର କୃଷି କ୍ଷେତ୍ରରେ ମହୁମାଛିମାନଙ୍କୁ ସେମାନଙ୍କର ଖାଦ୍ୟ ଖୋଜିବା ପାଇଁ ବିଶେଷ ପ୍ରୟାସ କରିବାକୁ ପଡ଼ିଥାଏ । ତେଣୁ ସେମାନଙ୍କୁ ଦୀର୍ଘ ଦୂରତା ଅତିକ୍ରମ କରିବାକୁ ପଡ଼େ । ମହୁମାଛି ପ୍ରତିଦିନ ଖାଦ୍ୟ ସନ୍ଧାନରେ ବାହାରକୁ ଯାଆନ୍ତି । ଯେତେବେଳେ ସେ ଖାଦ୍ୟ ସହିତ ଫେଣାକୁ ଫେରିଥାଏ, ସେ ଖାଦ୍ୟର ଅବସ୍ଥାନ ବିଷୟରେ ଅନ୍ୟ ମହୁମାଛିମାନଙ୍କୁ ସ୍ୱତନ୍ତ୍ର ୱାଗଲ ନୃତ୍ୟ କରି ଅବଗତ କରାଇଥାଏ । ମହୁମାଛିର ଏହି ୱାଗଲ୍ ନୃତ୍ୟକୁ ଅନ୍ୟ ମହୁମାଛିମାନେ ଧ୍ୟାନର ସହ ଦେଖନ୍ତି । ଏହାସହ ସେମାନେ ଜାଣିପାରନ୍ତି କି କେଉଁ ଦିଗରେ ଭୋଜନ ଉପଲବ୍ଧ ଅଛି ଏବଂ କେତେ ଦୂରତାରେ ରହିଛି ।

Comments are closed.