୬ ଦିନ ଭିତରେ ଅପଡେଟ କରନ୍ତୁ E-KYC – ଯୋଗାଣମନ୍ତ୍ରୀ

ଭୁବନେଶ୍ୱର : ଫେବୃଆରୀ ୧୫ ତାରିଖ ସୁଦ୍ଧା ସରିବ ରାସନ କାର୍ଡର E-KYC ଯାଞ୍ଚ । ଏହାପରେ ଆଉ ଅବଧି ବୃଦ୍ଧି କରାଯିବ ନାହିଁ । ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ ହାଜର ୪୯୬ ଜଣ ଲୋକ କରିନାହାନ୍ତି E-KYC ଯାଞ୍ଚ । ତେବେ ୬ ଦିନ ଭିତରେ E-KYC କରି ଅପଡେଟ କରିବାକୁ କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହି ସମୟ ଭିତରେ ଯେଉଁମାନେ E-KYC କରିବେ ନାହିଁ, ସେଗୁଡିକୁ ସରେଣ୍ଡର ବୋଲି ଧରି ନିଆଯିବ ।

E-KYC ନ କରିଥିବା କାର୍ଡ ଗୁଡ଼ିକୁ କାଟି ଦିଆଯିବ । ତଥାପି ଯଦି ଅଯୋଗ୍ୟମାନେ କାର୍ଡ ନଫେରାଇଲେ, ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାଇ ଦେଇଛନ୍ତି ମନ୍ତ୍ରୀ । ଏହା ସହ ନୂଆ ଲୋକଙ୍କୁ ବି ଯୋଡ଼ା ଯିବ । ଇତି ମଧ୍ୟରେ ୬ ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃୃଷ୍ଣ ଚନ୍ଦ୍ର ପାତ୍ର ।

ପ୍ରାୟ ୮ ଲକ୍ଷ ଆୟକର ଦେଉଥିବା ଲୋକଙ୍କର ବି କାର୍ଡ ଥିବା ରିପୋର୍ଟ ଆସିଛି । ଏ ସବୁର ସର୍ଭେ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେସବୁ କାର୍ଡଗୁଡ଼ିକ ମଧ୍ୟ କଟିବ । ଅଯୋଗ୍ୟ ହିତାଧିକାରୀ କାର୍ଡ ନେବା ପାଇଁ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଚାକିରି କରିଥିବା ବା ଆୟକର ଦେଉଥିବା ୧୨ ହାଜର ଅଯୋଗ୍ୟ ରାସନ କାର୍ଡ ଫେରାଇ ସାରିଛନ୍ତି ।

Govt

Comments are closed.