କିବ୍ : ମେ ୨୧: ଋଷ୍ର ଆକ୍ରମଣରେ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଦେଶ ୟୁକ୍ରେନର ବିଭିନ୍ନ ସହର ଧ୍ୱଂସ ପାଇଛି । ବଡ଼ ବଡ଼ ଅଟ୍ଟାଳିକାଠୁ ଆରମ୍ଭ କରି ବାସଗୃହ, ପାର୍କ, ହସ୍ପିଟାଲ, ସିନେମାଘର, ବିମାନ ବନ୍ଦର ଆଦି ଧୂଳିସାତ ହୋଇଯାଇଛି । ସେହିପରି ବିଗତ ୩ ଦିନ ମଧ୍ୟରେ ଋଷ୍ ଲଗାତାର ବୋମାବର୍ଷଣ କରି ଡୋନ୍ବାସ ଅଞ୍ଚଳକୁ ସମ୍ପୂର୍ଣ୍ଣ ଛାରଖାର କରିଦେଇଛି ବୋଲି ରାଷ୍ଟ୍ରପତି ବେଲଡିମିର ଜେଲେନସ୍କି ବିଶ୍ୱବାସୀଙ୍କୁ ଜଣାଇଛନ୍ତି ।
ସେ ସୂଚନା ଦେଇ କହିଛନ୍ତି ଯେ, ଡୋନବାସରେ ଏବେ କୌଣସି ଗୋଟିଏ ବି ସରକାରୀ ପ୍ରତିଷ୍ଠାନ ଆକ୍ରମଣରୁ ବର୍ତ୍ତି ନଥିବା ବେଳେ ସାଧାରଣ ବସତିଗୁଡ଼ିକୁ ବି ଛାରଖାର ହୋଇଯାଇଛି । ଏହା ସହିତ ଋଷ୍ ସେନା ସବୁ ଅଞ୍ଚଳରେ ବ୍ୟାପକ ନରସଂହାର ଚଳାଇଛି ବୋଲି ଜେଲେନସ୍କି ଦୁଃଖ ସହକାରେ କହିଛନ୍ତି ।
ଆମେରିକା ଓ ଅନ୍ୟ ନାଟୋ ରାଷ୍ଟ୍ରମାନେ ୟୁକ୍ରେନ୍କୁ ସହାୟତା ପଠାଉଥିଲେ ମଧ୍ୟ ଋଷ୍ର ତୀବ୍ର ଆକ୍ରମଣ କରି ଚାଲିଛି । ଗତରାତିରେ ପୂର୍ବ ୟୁକ୍ରେନ୍ର ଲୁହାଂସ୍କ ଅଞ୍ଚଳର ଲିସିଚାଂସ୍କ ଏବଂ ସେବେରୋଦୋନେସ୍କ ସହରରେ ଥିବା ଶତାଧିକ କୋଠା ଧୂଳିସାତ ହୋଇଯାଇଛି ଏବଂ ୧୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ବୋଲି ଜେଲେନସ୍କି ସୂଚନା ଦେଇଛନ୍ତି ।

Comments are closed.