ଆସନ୍ତାକାଲି ଜୟା ଏକାଦଶୀ,ପିତୃଜନଙ୍କ ମୁକ୍ତି ପାଇଁ ଏପରି କରନ୍ତୁ ପାଳନ

ବର୍ଷରେ ୨୪ଟି ଏକାଦଶୀ ପଡିଥାଏ I ୧୨ ଟି କୃଷ୍ଣ ପକ୍ଷ ଏକାଦଶୀ ଏବଂ ୧୨ ଟି ଶୁକ୍ଳପକ୍ଷ ଏକାଦଶୀ I ସେଥି ମଧ୍ୟରୁ ୪ ଟି ଥାଏ ବଡ଼ ଏକାଦଶୀ I ପ୍ରତି ୪ ମାସ ରେ ଶୁକ୍ଳ ପକ୍ଷରେ ଯେଉଁ ଏକାଦଶୀ ପଡେ ତାହା ହେଉଛି ବଡ଼ ଏକାଦଶୀ I ପ୍ରତି ଏକାଦଶୀ ଭଗବାନଙ୍କ ବିଷ୍ଣୁଙ୍କ ନାଁ ଅନୁସାରେ ହୋଇଥାଏ I ସେହିପରି ଆସନ୍ତା କାଲି ହେଉଛି ମାଘମାସ ଶୁକ୍ଳପକ୍ଷ ର ଏକାଦଶୀ I ଏହାକୁ ଜୟା ଏକାଦଶୀ ବା ଭୂମି ଏକାଦଶୀ ମଧ୍ୟ କୁହାଯାଏ I

ଏକାଦଶୀ ର ଆକ୍ଷରିକ ଅର୍ଥ ହେଉଛି ଏକ-ଦର୍ଶନ I ଏକାଦଶୀ ତିଥି ର ସ୍ୱାମୀ ହେଉଛନ୍ତି ଭଗବାନ ବିଷ୍ଣୁ I ତେଣୁ ପ୍ରତି ଏକାଦଶୀ ବିଷ୍ଣୁ ଙ୍କ କୃପା ପ୍ରାପ୍ତି ପାଇଁ ପାଳନ କରାଯାଇଥାଏ I ବିଷ୍ଣୁଙ୍କ କୃପା ରେ ସମାଜର କଲ୍ୟାଣ ସହିତ ବ୍ୟକ୍ତିର ଉତ୍ତୋରତ୍ତର ଉନ୍ନତି ହୋଇଥାଏ I ବିଧି ବିଧାନ ମୁତାବକ ଏକାଦଶୀ ବ୍ରତ ପାଳନ କରୁଥିବା ବ୍ୟକ୍ତି ମୃତ୍ୟୁ ପରେ ବିଷ୍ନୁଲୋକ ପ୍ରାପ୍ତ ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣିତ ରହିଛି I ଏହି ଏକାଦଶୀ ର ବିଶେଷ ମହତ୍ତ୍ୱ ହେଉଛି ଏହା ପିତୃ ପୁରୁଷଙ୍କ ପାଇଁ ପାଳନ କରାଯାଇଥାଏ I ଆମର ଯେଉଁ ପୂର୍ବଜ ମାନେ ମୃତ୍ୟୁ ପରେ ନୀଚ୍ଚ ଯୋନି ପାଇ କଷ୍ଟ ଭୋଗ କରୁଥାନ୍ତି I ତାଙ୍କର ପରପିଢ଼ି ବିଧିବିଧାନ ମୁତାବକ ଏହି ଜୟା ଏକାଦଶୀ ଉପବାସ ପାଳନ କଲେ ସେହି ଆତ୍ମା ମାନେ ନୀଚ୍ଚ ଯୋନିରୁ ମୁକ୍ତି ପାଇଥାନ୍ତି I କାରଣ ପିତୃଲୋକ ଶାନ୍ତ ନହେଲେ ଘରେ ନାନାଦି ଅଭାବ ଅସୁବିଧା ସହିତ,ଅଶାନ୍ତି ଲାଗି ରହିଥାଏ I ତେଣୁ ପିତୃ ଦୋଷ କାଟିବା ପାଇଁ ପୂର୍ବ ପୁରୁଷଙ୍କ ଉଦ୍ଦେଶ ରେ ଏହି ଏକାଦଶୀ ବ୍ରତ ପାଳନ କରା ଯାଇଥାଏ I ଆସନ୍ତୁ ଜାଣିବା ଏହା କିପରି ପାଳନ କରିବା :

ଜୟା ଏକାଦଶୀ ଉପବାସ ପାଳନ କଲେ ଉଭୟ ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ I ଏହି ଦିନ ସମ୍ପୂର୍ଣ୍ଣ ସାତୱକ ଭୋଜନ କରାଯିବା ସହିତ ଅନ୍ନ ଭକ୍ଷଣ କୁ ବାରଣ କରାଯାଇଥାଏ I ଏହାପରେ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କୁ ପୂଜାକରି ଫଳମୂଳ ଭୋଗ ଲଗାଇ ବ୍ରତ କଥା ପଢିଲେବା ଶୁଣିଲେ ପୂଣ୍ୟଫଳ ମିଳିଥାଏ I ସେହିପରି ଯେଉଁମାନେ ବ୍ରତ କରୁଥିବେ ଏହିଦିନ ଆମିଷ,ଚାଉଳ ପ୍ରସ୍ତୁତ ଖାଦ୍ୟ ,ପାନ,କୋବି ,ବାଇଗଣ ,ମସୁର ଡାଲି,ଯଅ,ଇତ୍ୟାଦି ଖାଇବେ ନାହିଁ I

ଜୟା ଏକାଦଶୀ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରି ମହାଭାରତ ସମୟରେ ଭଗବାନ କୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ଏହି ଉପବାସ ପାଳନ କରିବାକୁ କହିଥିଲେI ଏହି ବ୍ରତ ବିଷୟରେ ଏକ ଗୌରବମୟ କଥା ମଧ୍ୟ ଭଗବାନ ବିଷ୍ଣୁ ଯୁଧିଷ୍ଠିରଙ୍କୁ ଶୁଣାଇଥିଲେ I ଏଥିରେ ଅପସରା ପୁଷ୍ପାବତୀ ଏବଂ ଗନ୍ଧର୍ବ ମାଲ୍ୟଭାନଙ୍କ କାହାଣୀକୁ ବର୍ଣ୍ଣନା କରାଯାଇଛି I ଏହି କାହାଣୀ ମଧ୍ୟ ପଦ୍ମ ପୁରାଣରେ ରହିଛି I

ପଦ୍ମପୁରାଣ ବର୍ଣ୍ଣନା ଅନୁସାରେ, ଦେବରାଜ ଇନ୍ଦ୍ରଙ୍କ ସମେତ ସମସ୍ତ ଦେବତା ସ୍ୱର୍ଗରେ ଖୁସିରେ ବାସ କରୁଥିଲେ। ଦିନେ ଇନ୍ଦ୍ର ଦେବ ସୁନ୍ଦରବନରେ ଅପସରା ମାନଙ୍କ ସହିତ ବୁଲୁଥିଲେ,ଏହି ସମୟରେ ଅପସରା ପୁଷ୍ପାବତୀ, ଗନ୍ଧର୍ବ ମାଲ୍ୟଭାନଙ୍କ ରୂପରେ ମୁଗ୍ଧ ହୋଇ ତାଙ୍କୁ ଚାହିଁ ରହିଲେ I ସେ ପଟେ ମାଲ୍ୟଭାନ ମଧ୍ୟ ଅପସରାଙ୍କ ପ୍ରେମରେ ପଡିଗଲେ I ସେ ଦୁହେଁ ଇନ୍ଦ୍ରଙ୍କ ସେବା ଛାଡି ନିଜ ନାଚ ଗୀତରେ ମଜ୍ଜିଗଲେ I ଏଥିରେ ଇନ୍ଦ୍ର ନିଜକୁ ଅପମାନିତ ମନେକରି ,ସେ ଦୁହିଁଙ୍କୁ ପ୍ରେତ ଯୋନିରେ ଜନ୍ମ ନେଇ ମର୍ତ୍ତ୍ୟରେ ରୁହ ବୋଲି ଅଭିଶାପ ଦେଲେ I ଏହାପରେ ଦୁହେଁ ପ୍ରେତ ଯୋନି ପ୍ରାପ୍ତ ହୋଇ ହିମାଳରେ କଷ୍ଟକର ଜୀବନ ବିତାଇଲେ I ଏଥିରୁ ମୁକ୍ତି ପାଇବା ପାଇଁ ଦିନେ ଅପସରା ଓ ଗନ୍ଧର୍ଵ କିଛି ନଖାଇ ସମ୍ପୂର୍ଣ୍ଣ ଉପବାସ କରି ଦିନ ରାତି ଉଜାଗର ରହି ଭଗବାନ ବିଷ୍ଣୁ ଓ ଶିବଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ I ପର ଦିନ ସକାଳ ହେବାରୁ ସେମାନେ ପ୍ରେତ ଯୋନିରୁ ମୁକ୍ତି ପାଇ ତାଙ୍କ ପୂର୍ବବସ୍ଥା ଫେରି ପାଇଥିଲେ Iଯେଉଁ ଦିନ ସେମାନେ ଉପବାସ ରହି ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ସେଦିନଟି ଥିଲା ମାଘମାସ ଶୁକ୍ଲପକ୍ଷ ଏକାଦଶୀ ତିଥି I ତେଣୁ ଏକାଦଶୀ ତିଥିରେ ଉପବାସ ରହି ଭଗବାନଙ୍କୁ ପ୍ରାର୍ଥନା କରିଥିବା ହେତୁ ସେମାନେ ପ୍ରେତ ଯୋନିରୁ ମୁକ୍ତି ପାଇ ପୁନର୍ବାର ନିଜ ପୂର୍ବାବସ୍ଥାକୁ ଫେରି ସ୍ୱର୍ଗଲୋକ ପ୍ରାପ୍ତ କରିଥିଲେ I ସେହି ଦିନରୁ ଏହି ଜୟା ଏକାଦଶୀ ଦିନ ପୂର୍ବଜଙ୍କ ମୁକ୍ତି ଉଦ୍ଦ୍ୟେଶରେ ପାଳନ କରାଯାଉଛି I

Comments are closed.