ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଦିନ ୧୧ଟାରେ ନିତୀଶ ଭୁବନେଶ୍ୱରରେ ପହଞ୍ଚିବା ପରେ ଅପରାହ୍ନ ୧୨ଟାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି I ନବୀନ ନିବାସରେ ଦୀର୍ଘ ଦେଢ ଘଣ୍ଟା ରହିବେ ନୀତିଶ । ଏହି ଦେଢ ଘଣ୍ଟାରେ ଉଭୟ ନେତାଙ୍କ ମଧ୍ୟରେ କବାଟକିଳା ଆଲୋଚନା ହେବ । ତେବେ କେଉଁ ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିବେ ତାହା ଏଯାଏଁ ସ୍ଥିର ହୋଇନାହିଁ ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନୀତିଶ ବିଭିନ୍ନ ରାଜ୍ୟକୁ ଯାଇ ବିଜେପି ବିରୋଧୀ ନେତାଙ୍କ ସହ ଭେଟଘାଟ କରୁଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି I ସେହି ଅନୁଯାୟୀ, ତୃତୀୟ ସାମ୍ମୁଖ୍ୟ ବାବଦରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇପାରେ । କାରଣ ଏହାପୂର୍ବରୁ ନୀତିଶ ବିଭିନ୍ନ ରାଜ୍ୟର ନେତାଙ୍କୁ ଭେଟି ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । କିନ୍ତୁ ନବୀନ ଏଯାଏଁ କୌଣସି ଫ୍ରଣ୍ଟରେ ଯୋଗ ଦେଇନାହାନ୍ତି । ୨୦୧୯ରେ ମଧ୍ୟ ବିଜେପି ବିରୋଧରେ ଏକ ମୋର୍ଚ୍ଚା ଗଠନ ପାଇଁ ଯେତେବେଳେ ଜୋର ଦିଆଯାଇଥିଲା ସେତେବେଳେ ନବୀନ ଏଥିରୁ ଦୂରେଇ ରହିଥିଲେ । କିଛି ଦିନ ପୂର୍ବରୁ ନୀତୀଶ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବକଙ୍କୁ ଭେଟି ସାରିଛନ୍ତି। ସେହି ପରିପ୍ରେକ୍ଷୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସୁଛନ୍ତି।
ଅନ୍ୟପଟେ ନବୀନ ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ବଜାୟ ରଖୁଥିବାରୁ ତୃତୀୟ ସାମ୍ମୁଖ୍ୟରେ ଯୋଗ ଦେବା ପାଇଁ ନବୀନଙ୍କ ସହ ଆଲୋଚନା କରିବାକୁ ବିହାରରୁ ଆସୁଛନ୍ତି ନୀତିଶ । ତେବେ ଉଭୟଙ୍କ ଆଲୋଚନାର ଫଳାଫଳ କଣ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

Comments are closed.