ପ୍ରତିବର୍ଷ ୨୧ ଜୁନ୍ରେ ପାଳନ ହୁଏ ‘ଅନ୍ତର୍ଜାତୀୟ ଯୋଗ ଦିବସ’। ଆଜି ବିଶ୍ବ ମନାଉଛି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ । ଏହିବର୍ଷ ଯୋଗ ଦିବସ ପାଳନର ଥିମ ରହିଛି ‘ନିଜର ଓ ସମାଜ ପାଇଁ ଯୋଗ (ଯୋଗ ଫର ସେଲ୍ଫ୍ ଆଣ୍ଡ ସୋସାଇଟି)। ଯୋଗ ମଣିଷକୁ ଦୀର୍ଘାୟୁ କରେ, ଶରୀର ଓ ମନ ଭିତରେ ସମନ୍ୱୟ ରଖେ, ମନର ଏକାଗ୍ରତା ବଢ଼ାଏ ।
ଯୋଗ ସକାଳ ଓ ସଞ୍ଜ ସମୟରେ କରିବା ଦ୍ୱାରା ଦେହର ସ୍ନାୟୁ ସକ୍ରିୟ ହୋଇ କାର୍ଯ୍ୟକ୍ଷମ କରାଏ । ନିୟମିତ ଯୋଗ ପ୍ରାଣାୟାମ ଧ୍ୟାନ କରିବା ଦ୍ୱାରା ଶରୀରର ମାଂସପେଶୀଗୁଡିକ ସଙ୍କୋଚନ ପ୍ରସାରଣ ହୋଇ ଅନେକ ରୋଗ ବ୍ୟାଧିରୁ ମୁକ୍ତି ପାଏ । ଶରୀର ଥକାପଣରୁ ମୁକ୍ତି ପାଏ । ଯୋଗଭ୍ୟାସ ଦ୍ୱାରା ଅନେକ ରୋଗବ୍ୟାଧି ଯଥା ଅଣ୍ଟା ବ୍ୟଥା, ଆଣ୍ଠୁ ଗଣ୍ଠି ଦରଜ, ମଧୁମେହ ରୋଗରୁ ଉପଶମ ମିଳେ । ଉତ୍ତମ ଯୋଗଗୁରୁ କିମ୍ବା ଡାକ୍ତରଙ୍କ ପରାମର୍ଶ ନେଇ ପ୍ରାକୃତିକ ବାୟୁ ଚଳାଚଳ ସ୍ଥାନରେ, ଖୋଲାସ୍ଥାନରେ ଢିଲା ଏବଂ ସୂତା ପୋଷାକ ପିନ୍ଧି ଯୋଗ କରିବା ବିଧେୟ । ଫଳରେ ଶରୀରକୁ ଅମ୍ଳଜାନ ମିଳିଥାଏ । ମନ ଓ ଶରୀର ସୁସ୍ଥ ଲାଗେ । ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇ ଶରୀରକୁ ଫୂର୍ତ୍ତି ଲାଗେ ଏବଂ କାର୍ଯ୍ୟ କରିବାର କ୍ଷମତା ବଢ଼ାଏ I
ଭାରତର ଯୋଗ ପୂରା ବିଶ୍ବକୁ ରଖୁଛି ନିରୋଗ । ଯୋଗ ୫୦୦୦ ବର୍ଷ ପୁରୁଣା ଭାରତୀୟ ପଦ୍ଧତି । ଭଗବାନ ଶିବ ପ୍ରଥମ ଯୋଗଗୁରୁ ବୋଲି ରହିଛି ମାନ୍ୟତା ରହିଛି । ସେଥିପାଇଁ ଭଗବାନ ଶଙ୍କରଙ୍କୁ ଆଦିଯୋଗୀ ମଧ୍ୟ କୁହାଯାଏ । ମାନବ ସମାଜକୁ ସୁସ୍ଥ ଓ ନିରୋଗ ରଖିବାକୁ ପ୍ରାଚୀନ କାଳରୁ ଭାରତୀୟ ମୁନି, ଋଷିଙ୍କ ଦ୍ବାରା ପ୍ରଚଳିତ ରହି ଆସିଛି ଯୋଗ ପରମ୍ପରା ।
୨୦୧୪ ରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଯୋଗ ବିଜ୍ଞାନକୁ ସାରା ବିଶ୍ବକୁ ବାଣ୍ଟି ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ମାର୍ଗଦର୍ଶନରେ ୧୧ ଡିସେମ୍ବର ୨୦୧୪ ରେ ମିଳିତ ଜାତିସଂଘ ସାଧାରଣ ସଭାରେ ଜାତିସଂଘରେ ଭାରତୀୟ ସ୍ଥାୟୀ ପ୍ରତିନିଧିଙ୍କ ଦ୍ବାରା ଆନ୍ତର୍ଜାତିକ ଯୋଗ ଦିବସ ପ୍ରସ୍ତାବ ଆଗତ କରାଯାଇଥିଲା। ବିଶ୍ବର ୧୭୭ ଦେଶର ରେକର୍ଡ ସମର୍ଥନ ସହ ପ୍ରସ୍ତାବକୁ ମିଳିଥିଲା ଐତିହାସିକ ମଞ୍ଜୁରୀ।
୨୦୧୫ ଜୁନ ୨୧ ରେ ନୂଆଦିଲ୍ଲୀରେ ପ୍ରଥମ ଥର ପାଇଁ ପାଳିତ ହୋଇଥିଲା ଆନ୍ତର୍ଜାତିକ ଯୋଗ ଦିବସ । ପ୍ରତିଦିନ ଯୋଗ କରିବା ଦ୍ବାରା ଶରୀର ଏବଂ ମନ ସୁସ୍ଥ ରୁହେ । ଅନେକ ରୋଗବ୍ୟାଧି ମଧ୍ୟ ଦୂର ହୋଇଥାଏ । ସେଥିପାଇଁ ଡାକ୍ତର ଯୋଗ କରିବାକୁ ପରାମର୍ଶ ଦେଇଥାନ୍ତି ।
ଯୋଗ ଏକ ସଂସ୍କୃତ ଶବ୍ଦ ଯାହାର ଅର୍ଥ ଏକାଠି ବା ଏକତ୍ର କରିବା । ଯେଉଁ ଅବସ୍ଥାରେ ମନ ଓ ଶରୀର ଆମ ଆୟତ୍ତରେ ରହି ଏକାଗ୍ର ଓ ସ୍ଥିର ରହିବେ ଅବିଚଳିତ ହେବେନାହିଁ । ଶରୀର ଅସୁସ୍ଥ ହେଲେ ଆମେ ଡାକ୍ତରଙ୍କ ପରାମର୍ଶ ନେଉ ଏବଂ ଆରୋଗ୍ୟ ଲାଭ କରି ହେଲେ ମନ ଅସୁସ୍ଥ ହେଲେ ତାକୁ ନିୟନ୍ତ୍ରଣକୁ ଆଣିବାପାଇଁ ଯୋଗଗୁରୁ ପତଞ୍ଜଳି ଅଷ୍ଟାଙ୍ଗ ଯୋଗ ମହିମା ବିଷୟରେ ବର୍ଣ୍ଣନା କରିଛନ୍ତି ଯଥା- ଯମ, ନିୟମ,ଆସନ, ପ୍ରାଣାୟାମ,ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି ।
୧) ଯମ ଅର୍ଥ ସଂଯମ -ମନ ଅତି ଚଞ୍ଚଳ ଓ ଅସ୍ଥିର । ସେହି ଚଞ୍ଚଳ ମନକୁ ଆୟତ୍ତରେ ରଖିବା । ଏହା ପାଞ୍ଚ ପ୍ରକାର ଅହିଂସା- କାହାପ୍ରତି ହିଂସା ଆଚରଣ ନ କରି ସଂଯମୀ ହେବା, ସତ୍ୟକୁ ଅନୁସରଣ କରିବା ଓ ସୁନ୍ଦର ଜୀବନ ଅତିବାହିତ କରିବା । ଅସ୍ତେୟ – ଅସତ ଉପାୟରେ ଧନ ଅର୍ଜନ ନ କରିବା ବ୍ରହ୍ମଚର୍ଯ୍ୟ ଇନ୍ଦ୍ରିୟମାନଙ୍କୁ ସଂଯମରେ ରଖି ମୁଁ ବ୍ରହ୍ମ ଏହି ଭାବ ପୋଷଣ କରି କାର୍ଯ୍ୟ କରିବା । ଅପରିଗ୍ରହ- ଶାରୀରିକ, ମାନସିକ ପରିଶ୍ରମ ନକରି କାହାଠାରୁ ଧନ ଗ୍ରହଣ ନ କରିବା ।
୨) ନିୟମ ମନୁଷ୍ୟର ଜୀବନ ଧାରାକୁ ଶୃଙ୍ଖଳିତ କରିବା । ନିୟମରେ ରହିବା । ଏହା ୫ ପ୍ରକାରର ଶୌଚ, ତପ, ସନ୍ତୋଷ, ସ୍ୱ୍ୱାଧ୍ୟାୟ ଓ ଈଶ୍ୱର ପ୍ରଣିଧାନ ।
୩) ଆସନ- ଏହା ହେଉଛି କ୍ରିୟାତ୍ମକ ଯୋଗ । ବସିବା ଉଠିବା ଶୋଇବା ଏହି ୩ଟି ସ୍ଥିତିରେ ଆସନ କରାଯାଏ । ଯେଉଁ ସ୍ଥିତିରେ ଶରୀରକୁ ରଖି ଯୋଗ କରାଯାଏ ତାକୁ କୁହାଯାଏ ଯୋଗାସନ । ଆସନ ଯୋଗର ଏକ ଅଙ୍ଗ ।
୪) ପ୍ରାଣାୟମ- ପ୍ରାଣ ବାୟୁ ସଂଚରିତ କରିବା । ସୁସ୍ଥ ଓ ଶୁଦ୍ଧ ବାୟୁରୁ ପ୍ରାଣଶକ୍ତି ମିଳେ ଶରୀର ବଞ୍ଚି ରହେ । ଏହି ଉତ୍ତମ ବାୟୁ ଚଳା ଚଳ ସ୍ଥାନ ପ୍ରାଣାୟମ ପାଇଁ ଆବଶ୍ୟକ । ଯୋଗ ସାଧନ ବଳରେ ପ୍ରାଣଶକ୍ତିକୁ ଆୟତ୍ତ କରିହୁଏ । ମନ ଏକାଗ୍ର ହୁଏ । ନାସାରୁ ନିର୍ଗତ ପ୍ରାଣ ବାୟୁକୁ ଧରି ପ୍ରାଣାୟମ କରାଯାଏ ।
୫) ପ୍ରତ୍ୟାହାର- ଆମର ପଞ୍ଚ ଇନ୍ଦ୍ରିୟ ରହିଛି ଯଥା ଚକ୍ଷୁ, ନାସା, କର୍ଣ୍ଣ, ଜିହ୍ୱ୍ା, ନାସିକା ଓ ତ୍ୱଚା । ଚକ୍ଷୁ ଓ କର୍ଣ୍ଣ ଅଧିକ ଅନୁଭୂତି ପ୍ରବଣ । ଏହି ସାଧନା ଦ୍ୱାରା ଇନ୍ଦ୍ରିୟମାନଙ୍କୁ ସଂଯମରେ ରଖି ଧ୍ୟାନରେ ରହିବା ।
୬) ଧାରଣା- ଚଞ୍ଚଳ ମନକୁ ଧାରଣ କରି ସ୍ଥିର ରଖିବା ।
୭) ଧ୍ୟାନ- ଧ୍ୟାନ ଦ୍ୱାରା ମଣିଷ ଅସାଧ୍ୟକୁ ସାଧନ କରିପାରେ । ଅସମ୍ଭବକୁ ସମ୍ଭବ କରିପାରେ । ମଣିଷ ଯେତେବେଳେ ପାର୍ଥିବ ଜଗତକୁ ଭୁଲିଯାଇ ସମସ୍ୟା କଥା ଚିନ୍ତା କରେ, ସେତେବେଳେ ନୂଆ ତଥ୍ୟ ଆବିଷ୍କାର କରେ । କବି ଲେଖକ ଧ୍ୟାନସ୍ଥ ହୋଇ ଲେଖନ୍ତି । ଚିକିତ୍ସକ, କଳା, ଚିତ୍ରକର, ମୂର୍ତ୍ତିକର ଧ୍ୟାନସ୍ଥ ହୋଇ କାର୍ଯ୍ୟ ସମ୍ପାଦନ କରନ୍ତି ।
୮) ସମାଧି ଲାଭ ଯୋଗର ଶ୍ରେଷ୍ଠ ଓ ମୁଖ୍ୟ ଉଦ୍ଦେଶ୍ୟ । ସମାଧି ଅବସ୍ଥାରେ ଯୋଗୀ ପରମ ଆନନ୍ଦ ଲାଭ କରେ । ଏହି ସ୍ତରକୁ ଆସିବାକୁ ଧୈର୍ଯ୍ୟ, ବିଶ୍ୱାସ ସହକାରେ ଯୋଗ ସାଧନ କରିବା ଦରକାର ।
ସାଧନାର ଅଷ୍ଟାଙ୍ଗ ପାଦ ସମ୍ପୂର୍ଣ୍ଣ ହେବାପରେ ଜଣେ ସମାଧି ପାଦକୁ ଯାଏ । ଏଥିପାଇଁ ମନକୁ ସଂଯମ ଓ ଅନୁଶାସନରେ ରଖିବାକୁ ହୁଏ ।
ପରିଶେଷରେ ସୁନ୍ଦର ସ୍ୱ୍ୱାସ୍ଥ୍ୟ ହିଁ ସୁନ୍ଦର ମନକୁ ନିୟନ୍ତ୍ରଣ କରେ । ସମସ୍ତେ ଯୋଗ କରିପାରିବେ ।
ଯୋଗ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ପାଚନ କ୍ରିୟାକୁ ସକ୍ରିୟ କରେ ଶ୍ୱାସ ପ୍ରଶ୍ୱାସ ନେବା ଆଣିବାରେ ସହାୟକ ହୁଏ । ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରେ । ମେଦ ବହୁଳତାକୁ କମାଏ । ଚର୍ବି କମ୍ କରି ପାଚନ ତନ୍ତ୍ର ମଜବୁତ କରି ଶରୀରକୁ ଫିଟ ରଖେ । ଚିନ୍ତାମୁକ୍ତ କରେ । ଆଳସ୍ୟ ଭାବ ଦୂର କରେ । ତେଣୁ ଆମ ଦୈନନ୍ଦିନ ଜୀବନରେ କିଛି ସମୟ ଶରୀର ପ୍ରତି ଧ୍ୟାନ ଦେବା, ଯୋଗ ଧ୍ୟାନ ପ୍ରାଣାୟମ କରିବା ନିହାତି ଅନିବାର୍ଯ୍ୟ ।

Comments are closed.