ଆଜି ପବିତ୍ର ଗଣେଶ ଚତୁର୍ଥୀ

ଆଜି ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ, ଜ୍ଞାନର ଦେବତା ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଆରାଧନାର ଦିନ। ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଅନେକ ଗୁରୁତ୍ବ ବହନ କରେ । ଆଜିଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଥାଏ I ଆଜିର ଏହି ପବିତ୍ର ଦିନରେ ବିଘ୍ନ ବିନାଶନ ଗଜାନନଙ୍କୁ ପୂଜା କରାଯାଏ । ପ୍ରଭୁ ଗଣେଶ ବିଦ୍ୟାର ଦେବତା, ଆଦିଦେବ । ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରାଯାଇଥାଏ । ଗଣେଶଙ୍କ ଧ୍ୟାନ, ଜପ ଓ ଆରାଧନା କରିବା ଦ୍ୱାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ତ ସେ ବିଘ୍ନହର୍ତ୍ତା। ଗଣେଶ ଶବ୍ଦର ଅର୍ଥ ଗଣଙ୍କ ଈଶ୍ୱର ବା ଗଣଙ୍କ ସ୍ୱାମୀ । ତେଣୁ ଯେକୌଣସି ଶୁଭକାର୍ଯ୍ୟରେ କୌଣସି ବାଧାବିଘ୍ନ ନଘଟିବା ପାଇଁ ପ୍ରଥମେ ଗଣେଶଙ୍କୁ ପୂଜା କରାଯାଇଥାଏ । କଳା, ବିଜ୍ଞାନ ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । କୌଣସି ଘର ପ୍ରତିଷ୍ଠା ହେଉ କିମ୍ବା ବିଦ୍ୟାରମ୍ଭ ହେଉ,ସବୁଥିରେ ଗଣେଶଙ୍କ ଆବାହନ କରାଯାଏ। ସେ ସର୍ବତ୍ର ବିଦ୍ୟମାନ। କୌଣସି ଶୁଭ କାର୍ଯ୍ୟ, ଧାର୍ମିକ କାର୍ଯ୍ୟ ବା ମଙ୍ଗଳ କାର୍ଯ୍ୟରେ ପ୍ରଭୁ ଗଣେଶଙ୍କୁ ପ୍ରଥମେ ପୂଜା କରାଯାଏ।

ଆଜି ଗଣପତିଙ୍କ ପୂଜାର୍ଚ୍ଚନା ଲାଗି ଚଳଚଞ୍ଚଳ ପୁରପଲ୍ଲୀ। ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଏବଂ ମଣ୍ଡପରେ ପୂଜାର ଆୟୋଜନ ହୋଇଛି। ବେଶ ଧୁମଧାମର ସହ ପାଳନ ହେଉଛି ଗଜାନନଙ୍କ ପୂଜା। ଗଶେଶ ଚତୁର୍ଥୀ ଅବସରରେ ଛାତ୍ରଛାତ୍ରୀ ଉପବାସ କରିବାର ପରମ୍ପରା ରହିଛି। ବିଦ୍ୟାଦାତା ଗଣେଶଙ୍କୁ ପୂଜାର୍ଚ୍ଚନା କରି ଆଶିଷ ଲାଭ କରିବେ ଛାତ୍ରଛାତ୍ରୀ। ସ୍କୁଲ ଓ କଲେଜ ଗୁଡ଼ିକରେ ଗଣେଶ ପୂଜାଲାଗି ଛାତ୍ରଛାତ୍ରୀ ବ୍ୟାପକ ପ୍ରସ୍ତୁତି କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହର ଗଣେଶ ପୂଜା ପାଇଁ ବେଶ୍ ପ୍ରସିଦ୍ଧ। ଏଠାରେ ୨୦୦ରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ। ଚଳିତବର୍ଷ ୧୩ ଦିନ ଧରି ଚାଲିବ ଗଣେଶ ପୂଜା। ସେପେଟ ଗଣେଶ ପୂଜା ଅବସରରେ ବିଭିନ୍ନ ଅନୁଷ୍ଠାନ ଏବଂ ମଣ୍ଡପ ଗୁଡ଼ିକରେ ପୂଜାର ଆୟୋଜନ ହୋଇଛି। ବିରାଟକାୟ ସୁଉଚ୍ଚ ତୋରଣ ପରିବେଶକୁ ଅଧିକ ଆକର୍ଷଣୀୟ କରୁଛି। ବେଶ ସୁନ୍ଦର ଭାବେ ସଜାହୋଇଛି ସମସ୍ତ ତୋରଣ। ମଣ୍ଡପରେ ପୂଜା ପାଇବେ ଗଜାନନଙ୍କ ପ୍ରତିମୂର୍ତ୍ତି।

Govt

Comments are closed.