ପୁରୀ : ଚଳିତ ବର୍ଷ ଜୁଲାଇ ୭ ତାରିଖରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏଥର ଦୁଇ ଦିନିଆ ପଡୁଛି ଗୁଣ୍ଡିଚା ଯାତ୍ରା । ଏଥର ୧୫ ଦିନ ପରିବର୍ତ୍ତେ ୧୩ ଦିନ ଅଣସରରେ ରହିବେ ଶ୍ରୀଜିଉ । ୫୩ ବର୍ଷ ପରେ ଚଳିତ ଥର ୧୩ ଦିନ ପଡୁଛି ଅଣସର ନୀତି । ଠାକୁର ନବଯୌବନ ହେବେ ସତ କିନ୍ତୁ ଦର୍ଶନ ମିଳିବନି । ସମୟ ଅଭାବ ଓ ନୀତି ଶୃଙ୍ଖଳା ପାଇଁ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତିି ନିଆଯାଇଥିବା ଜଣାପଡିଛି । ଯାହାକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି ।
ଗୋଟିଏ ଦିନରେ ନେତ୍ରୋତ୍ସବ, ପହଣ୍ଡି ଲାଗି ସେନାପଟା ଓ କୁସୁମି ଲାଗି ଥିବାରୁ ଚିନ୍ତାରେ ପଡ଼ିଛନ୍ତି ସେବାୟତ । ଏଭଳି ସ୍ଥିତିରେ ଗୋଟିଏ ଦିନରେ ରଥଯାତ୍ରା କରିବା ସମ୍ଭବ ନୁହେଁ ବୋଲି ମତ ଦେଇଛନ୍ତି ସେବାୟତ । ତେଣୁ ୧୯୭୧ ମସିହା ଆଧାରରେ ନୀତିକାନ୍ତି କରିବାକୁ ଯୋଜନା କରାଯାଉଛି । ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଦୁଇଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ।
ସୂଚନାନୁସାରେ,ଆସନ୍ତା ୨୨ ତାରିଖରେ ପଡୁଛି ଦେବସ୍ନାନ ପୂର୍ଣ୍ଣିମା I ତେଣୁ ୨୦ ତାରିଖ ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବୈଠକ ଶୁକ୍ରବାର ସ୍ବତନ୍ତ୍ର ସର୍କିଟ୍ ହାଉସରେ ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ ସେଥିରେ ସ୍ଥିର କରାଯାଇଛି। ପୌରାଞ୍ଚଳର ରାସ୍ତା ମରାମତି, ନଳା ସଫା, ଆଲୋକ ଓ ପାନୀୟ ଜଳ ଯୋଗାଣ, ଗହଳି ନିୟନ୍ତ୍ରଣ, ସୁରକ୍ଷା, ପରିମଳ, ଗାଡ଼ି ପାର୍କିଂ, ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ସ୍ନାନବେଦୀ ଉପରେ ପ୍ରଭୁଙ୍କ ଦିବ୍ୟସ୍ନାନ ଏବଂ ଆକର୍ଷଣୀୟ ଗଜାନନ ବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି କରିବାକୁ ବୈଠକରେ ନିର୍ଦେଶ ଦିଆଯାଇଛି। ପ୍ରସ୍ତୁତି କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବାକୁ କିଛି ବରିଷ୍ଠ ଅଧିକାରୀଙ୍କୁ ଜିଲାପାଳ ଶ୍ରୀ ସ୍ବାଇଁ ନିର୍ଦେଶ ଦେଇଛନ୍ତି।

Comments are closed.