ଭୁବନେଶ୍ୱର : ଆଜିଠୁ ବିଧାନସଭାର ଶୀତ କାଳୀନ ଅଧିବେଶନ। ଏହା ଡିସେମ୍ବର ୩୧ ତାରିଖ ଯାଏ ଚାଲିବ । ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟଦିବସ ରହିଛି । ବିଧାନ ସଭାର ପ୍ରଥମ ଦିନରେ ଆଗତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ୩୦ ଓ ୧ ତାରିଖ ଦୁଇ ଦିନ ଧରି ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ୨ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ I ଏଥର ଅତିରିକ୍ତ ବଜେଟ୍ ଆକାର ପ୍ରାୟ ୧୬ରୁ ୧୭ ହଜାର କୋଟି ଭିତରେ ରହିପାରେ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗରିବ କଲ୍ୟାଣ ଯୋଜନା ଓ ଭିତ୍ତିଭୂମି କ୍ଷେତ୍ର ଉପରେ ଫୋକସ କରିବେ ସରକାର ।
ଏଥର ଶୀତ ଅଧିବେଶନ ରେ ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିବ। ଏହି ଅଧିବେଶନରେ କୋଭିଡ୍ କଟକଣା ଉଠାଇ ଦିଆଯାଇଛି। କୋଭିଡ୍ ପୂର୍ବରୁ ଯେପରି ଗୃହ କାର୍ଯ୍ୟ ଚାଲୁଥିଲା, ଏବେ ସେହିପରି ଚାଲିବ। ଶୀତ ଅଧିବେଶନ ପୂର୍ବରୁ ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ରଣନୀତି ସ୍ଥିର କରିଛି। ଚାଷ ଓ ଚାଷୀ ପ୍ରସଙ୍ଗକୁ ବିଧାନସଭାରେ ମୁଖ୍ୟ ପ୍ରସଙ୍ଗ କରିବାକୁ ନିଷ୍ପତ୍ତି ନେଇଛି ଦଳ। ଫସଲ ବୀମାରୁ ଚାଷୀ ବଞ୍ଚିତ ହେବା, ମଣ୍ତି ଅବ୍ୟବସ୍ଥା, କଟନି ଓ ଛଟନି ପ୍ରସଙ୍ଗରେ ସରକାରଙ୍କ ଜବାବ ତଲବ କରିବ ବିଜେପି । ସେହିପରି ଅର୍ଚ୍ଚନା ମାମଲା,ଆଇନ ଶୃଙ୍ଖଳା, ବେକାରୀ, ପ୍ରସଙ୍ଗକୁ ନେଇ ଆରମ୍ଭରୁ କମ୍ପିବ ବିଧାନସଭା ।
ସେହିପରି ସୁରକ୍ଷା ଦୃଷ୍ଟିରୁ ବିଧାନସଭା ଭିତରେ ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୮ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୧୦୦ରୁ ଉର୍ଦ୍ଧ୍ୱ ପୋଲିସ କର୍ମଚାରୀଙ୍କୁ ମୁତୟନ ହେବେ ।
ଅନ୍ୟପଟେ ଆଜି ସକାଳ ସାଢେ ୧୦ଟାରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଯେଉଁଥିରେ ବିରୋଧୀଙ୍କୁ ସାମନା କରିବାକୁ କାଉଣ୍ଟର ଷ୍ଟ୍ରାଟେଜି ପ୍ରସ୍ତୁତ କରିବ ଦଳ।
ଆଜି ବିଧାନସଭା ଆରମ୍ଭରେ ପ୍ରଥମେ ଦିବଂଗତ ସଦସ୍ୟ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ଗୃହର ସଦସ୍ୟ ଥାଇ ବିଧାୟକ ବିଜୟରଞ୍ଜନ ସିଂ ବରିହା ଓ ବିଷ୍ଣୁଚରଣ ସେଠୀଙ୍କର ପରଲୋକ ଘଟିଥିବାବେଳେ ପୂର୍ବତନ ସଦସ୍ୟ ଭାବେ ଗୋଲକ ନାୟକ, କପିଳ ତିଓ୍ୱାରି, ଗୋପନାରାୟଣ ଦାସ ଓ ଆଦିକନ୍ଦ ସେଠୀଙ୍କୁ ବି ଦିଆଯିବ ଶ୍ରଦ୍ଧାଞ୍ଜଳି।

Comments are closed.