ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟ ସମ୍ପର୍କରେ ପ୍ରତିଦିନ ନୁନା ନୂଆ ତଥ୍ୟ ସାମ୍ନାକୁ ଆସୁଛି I ନାଗ ଦମ୍ପତି ବନ୍ଧା ହେବ ପରେ ତାଙ୍କର ଅନ୍ୟତମ ଘନିଷ୍ଠ ସହଯୋଗୀ ଖଗେଶ୍ୱର ପାତ୍ର କୁ ଗିରଫ କରିଛି ଇଡି I ଖଗେଶ୍ୱର ପାତ୍ରଙ୍କ ରିମାଣ୍ଡ ଆସନ୍ତା ୨୧ ତାରିଖରେ ସରିବାକୁ ଥିବାବେଳେ,ଇଡି ର ଜେରା ବେଳେ ଖଗେଶ୍ୱର ମୁହଁରୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ବାହାରୁଛି Iଖଗେଶ୍ବର ଏତେ ପରିମାଣର ସଂପତ୍ତି କେଉଁଠାରୁ ଆଣିଲା ଏବଂ ଏଥିରେ ଅନ୍ୟ କାହାର ସଂପୃକ୍ତି ରହିଛି ସେନେଇ କୌଣସି ଠୋସ୍ ତଥ୍ୟ ଦେଇପାରୁନାହିଁ। ଏବେ ଇଡି ଖଗେଶ୍ବର ପାତ୍ରର ସଂପତ୍ତିକୁ ଆଟାଚ୍ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।
ଅନ୍ୟପଟେ ରଚନାଙ୍କ ସହିତ ନେତା, ମନ୍ତ୍ରୀ, ବିଲଡର ଓ ଫିଲ୍ମ ପ୍ରଯୋଜକଙ୍କ ପରେ ଏବେ ସାମନାକୁ ଆସିଛି ଜଣେ ଯୁବ ଆଇଏଏସ୍ ଅଫିସର ଙ୍କ ଲିଙ୍କ୍ । ଏଭଳି ତଥ୍ୟକୁ ନେଇ ରାଜ୍ୟ ପ୍ରଶାସନିକ ମହଲରେ ଗୁଞ୍ଜରଣ ସୃଷ୍ଟି ହୋଇଛି । ତେବେ ଅର୍ଚ୍ଚନାଙ୍କ ସହ ଲିଙ୍କରେ ଥିଲେ କେଉଁ ଆଇଏଏସ୍ ଅଫିସର ? କେବେଠାରୁ ଓ କେମିତି ସମ୍ପର୍କ ବଢ଼ିଥଲା ? ଇଡିକୁ ତାଙ୍କ ନାଁ କହିଛନ୍ତି କି ଅର୍ଚ୍ଚନା ଓ ଖଗେଶ୍ୱର ? ଇଡି ସ୍କାନରରେ ସଂପୃକ୍ତ ଆଇଏଏସ୍ ଅଫିସର ଥିବା ସୂଚନା ମିଳିଛି ।
ଯାହା ସୂଚନା ମିଳିଛି ସେହି ଆଇଏଏସ୍ ଜଣକ ରୀତିମତ ଭାବେ ସତ୍ୟ ବିହାର ସ୍ଥିତ ଅର୍ଚ୍ଚନାଙ୍କ ଘରକୁ ଯିବା ଆସିବା କରିଥାନ୍ତି। ଏପରିକି ଅର୍ଚ୍ଚନା ନାଗଙ୍କ ପୁଅ ଜନ୍ମଦିନକୁ ସେ ଆସି ସୁନାର ଏକ ଦାମୀ ଉପହାର ମଧ୍ୟ ଦେଇଥିବା ଇଡି ଜାଣିବାକୁ ପାଇଛି। ସୁନାର ସେହି ଦାମୀ ଉପହାର କେଉଁ ଦୋକାନରୁ କିଣା ଯାଇଥିଲା ତାର ଅନୁସନ୍ଧାନ ଆରମ୍ଭ କରିଛି ଇଡି। ତେଣୁ ଉକ୍ତ ଅଫିସର ଏବେ ଇଡି ସ୍କାନରରେ ଆସିଛନ୍ତି। ପ୍ରମାଣ ମିଳିଲେ ତାଙ୍କୁ ମଧ୍ୟ ଇଡି ନୋଟିସ୍ କରି ପାରେ ବୋଲି ବିଶ୍ବସ୍ତସୂତ୍ରରୁ ଖବର ମିଳିଛି।
ଅନ୍ୟପଟେ ଅର୍ଚ୍ଚନା ଧରା ପଡିବା ପରେ ତାଙ୍କର ଦାମୀ ଫୋର୍ଡ ଏଣ୍ଡେଭର କାର ଟି ଉଭାନ ହୋଇ ଯାଇଥିବା ଜଣା ପଡିଛି I ଯାହାକୁ କି ଅର୍ଚ୍ଚନା ୨୦୧୮ ରେ ନାଗଡ଼ କ୍ୟାସ ପାଖାପାଖି ୪୦ ଲକ୍ଷ ଟଙ୍କା ଦେଇ କିଣିଥିଲେ I ଅର୍ଚ୍ଚନା ଏତେ ପରିମାଣରେ ନଗଦ କେଉଁଠୁ ଆଣିଲେ,ନା’ ଏହା ପଛରେ କେଉଁ ବଡ଼ ବଡିଆଙ୍କ ହାତ ରହିଛି ,ଏହାର ମଧ୍ୟ ଖୋଳତାଡ଼ କରୁଛି ଇଡି I କାର କିଣା ସମ୍ପର୍କରେ ଶୁକ୍ରବାର ଦିନ ଏଣ୍ଡେଭର୍ କାର ସୋ’ ରୁମ୍ ମାଲିକଙ୍କ ପୁଅ ଇଡି କାର୍ଯ୍ୟାଳୟକୁ ଆସିଥିଲେ। ତାଙ୍କୁ ଇଡି ପକ୍ଷରୁ ନୋଟିସ୍ ହୋଇଥିଲା କାର ସମ୍ପର୍କରେ ସୂଚନା ଦେବାକୁ। ସେ ଇଡି କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ପାଖାପାଖି ୨/୩ ଘଣ୍ଟା ପଚରା ଉଚରା କରାଯାଇଥିଲା । ଗାଡ଼ି ବିକ୍ରି ସଂପର୍କିତ ସମସ୍ତ ତଥ୍ୟ ସେ ଇଡିକୁ ଦେଇଥିଲେ । ତାଙ୍କୁ ଆଉ ଥରେ ଇଡି କାର୍ଯ୍ୟାଳୟକୁ ଆସି ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି। ସେହିପରି ଅର୍ଚ୍ଚନାଙ୍କ ବିଏମ୍ଡବ୍ଲୁ କାର୍ ଓ ହାର୍ଡଲେ ଡେଭିଡସନ୍ ବାଇକକୁ ବି ଖୋଜୁଛି ଇଡି । ଅର୍ଚ୍ଚନା ଗିରଫ ପରଠୁ ସେସବୁ କୁଆଡ଼େ ଗାଏବ ହୋଇ ଯାଇଛି । ଏହାପରେ ଇଡି ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜେଲରେ ଜେରା କରିବ ବୋଲି ଜଣାପଡିଛି । ଏଥିପାଇଁ କୋର୍ଟର ଅନୁମତି ପାଇଁ ପ୍ରସ୍ତୁତ ହୋଇଛି ଇଡି।

Comments are closed.