ଭୁବନେଶ୍ୱର: ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍- ଉଷା)କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। କୃଷି ଭବନରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପିଏମ- ଉଷା’ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବୃଦ୍ଧି କରିବାରେ ‘ପିଏମ୍- ଉଷା’ସହାୟକ ହେବା ସହ ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷକଙ୍କ ତାଲିମ ଉପରେ ଗୁରୁତ୍ୱ ଦିଆଯିବ। ଏଥିସହିତ ଦକ୍ଷତା ବିକାଶ, ଚାକିରି କ୍ଷେତ୍ରରେ ମଧ୍ୟ ଏହି ଅଭିଯାନ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପିଏମ୍-ଉଷା ଯୋଜନା ମାଧ୍ୟମରେ ଯୁବବର୍ଗଙ୍କୁ ତାଲିମ ଦିଆଯାଇ କମ୍ପାନୀ ଗୁଡ଼ିକ ପାଇଁ ପ୍ରସ୍ତୁତ କରାଯାଇ ପାରିବ । ଏହା ଶିକ୍ଷା କ୍ଷେତ୍ରରେ ଥିବା ବୈଷମତାକୁ ମଧ୍ୟ ଦୂର କରିବ । ପିଏମ୍ ଉଷା ଯୋଜନା ପାଇଁ କେନ୍ଦ୍ର ସରକାର ୬୦ ଭାଗ ଅର୍ଥ ଓ ରାଜ୍ୟ ସରକାରଙ୍କୁ ୪୦ ଭାଗ ଅର୍ଥ ଦେବାକୁ ପଡ଼ିବ । ପିଏମ୍ ଉଷା ଯୋଜନାରେ ଏବେ ଓଡ଼ିଶା ପାଇବ ୫୦୦ କୋଟି ଟଙ୍କା । ମହାବିଦ୍ୟାଳୟ, ବିଶ୍ଵ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ଗବେଷଣା ଓ ଦକ୍ଷତା ବିକାଶ ଦିଗରେ ଖର୍ଚ୍ଚ ହେବ ଏହି ଅର୍ଥ । ରାଜ୍ୟର ୧ କୋଟି ପିଲା ଏହାର ଫାଇଦା ପାଇବେ । ରାଜ୍ୟକୁ ବୈଷୟିକ, ଦକ୍ଷତାଯୁକ୍ତ କରିବାରେ ପିଏମ ଉଷା ହେଉଛି ପ୍ରଥମ ପାହାଚ । ଏହାକୁ ଠିକଭାବେ କାର୍ଯ୍ୟକାରୀ କରାଗଲେ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରରେ ପହଁଚାଇବ ।
ଉଦଘାଟନୀ ସମାରୋହରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଉପସ୍ଥିତ ଥିଲେ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦୂର ଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ସମୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ ଦିଗରେ ପିଏମ-ଉଷା କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ଯୋଜନା ମାଧ୍ୟମରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଇଣ୍ଟର୍ନଶିପ୍ ମାଧ୍ୟମରେ ଇଣ୍ଡଷ୍ଟ୍ରିଆଲ୍ ଏକ୍ସପୋଜର୍ ପ୍ରଦାନ କରାଯିବା ସହିତ ପ୍ଲେସମେଣ୍ଟ ମାଧ୍ୟମରେ ନିଯୁକ୍ତି ସୁଯୋଗ ମଧ୍ୟ ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

Comments are closed.