ଅଙ୍ଗୁର ଦୁନିଆରେ ବହୁଳ ମାତ୍ରାରେ ଖିଆଯାଉଥିବା ଫଳ । ଏଥିରୁ ଅନେକ ପ୍ରକାର ଖାଦ୍ୟ ପଦାର୍ଥ ଓ ପାନୀୟ ତିଆରି ହୋଇଥାଏ । ହେଲେ ଆପଣ ଜାଣନ୍ତି କି ଦୁନିଆର ସବୁଠୁ ପୁରୁଣା ଅଙ୍ଗୁରୁ ଗଛ କେଉଁଠି ଅଛି ଏବଂ ତାହା କେତେ ପୁରୁଣା । ସାଧାରଣତଃ ଅଙ୍ଗୁର ଗଛ ୧୦ ବର୍ଷ , ୨୦ ବର୍ଷ କିମ୍ବା ୫୦ ବର୍ଷ ବଞ୍ଚିପାରେ । ଏହାଠୁ ଅଧିକ ହୋଇନପାରେ । ହେଲେ ଦୁନିଆରେ ଏମିତି ଏକ ଅଙ୍ଗୁର ଗଛ ଅଛି ଯାହା ପ୍ରାୟ ୫୦୦ ବର୍ଷ ପୁରୁଣାର ।
ୟୁରୋପରେ ଥିବା ସ୍ଲୋଭେନିଆ ଦେଶର ‘ମାରିବୋରା ସହର’ରେ ଦୁନିଆର ସବୁଠୁ ପୁରୁଣା ଅଙ୍ଗୁର ଗଛ ରହିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଗଛ ୧୫୭୦ ମସିହାର ପୁରୁଣା । ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି ଆଜି ମଧ୍ୟ ଏହି ଗଛରେ ଅଙ୍ଗୁର ଫଳିଥାଏ । ‘ଦ ଓଲï ୱାଇନ ହାଉସ୍’ ନାମକ ଏକ କୋଠାର ଚାରିପଟେ ଏହି ଗଛ ପରିବ୍ୟାପ୍ତ ହୋଇଛି ।
ରିପୋର୍ଟ ଅନୁଯାୟୀ, ଆଜି ବି ଏହି ଗଛରେ ପ୍ରତିବର୍ଷ ୩୫ରୁ ୫୫ କିଲୋଗ୍ରାମ ଅଙ୍ଗୁର ଫଳିଥାଏ । ଏଥିରୁ ଭଲ ମଦ ପ୍ରସ୍ତୁତ ହୋଇଥାଏ । ଉତ୍ପାଦିତ ଅଙ୍ଗୁରରୁ ପ୍ରାୟ ୧୫ରୁ ୩୫ ଲିଟର ମଦ ତିଆରି ହୋଇଥାଏ, ଯାହା ୨.୫ ଡିସିଲିଟର ଅର୍ଥାତ୍ ୦.୨୫ ଲିଟର ବୋତଲରେ ଭର୍ତ୍ତି କରାଯାଇ ବିକ୍ରି ହୋଇଥାଏ । ବୋତଲଗୁଡ଼ିକ ଲୋକପ୍ରିୟ କଳାକାର ଓସ୍କାର କୋଗୋଜଙ୍କ ଦ୍ୱାରା ଡିଜାଇନ କରାଯାଇଛି ।
ଏହି ମଦରୁ କେବଳ ୧୦୦ ବୋତଲ ଉତ୍ପାଦିତ ହୋଇଥାଏ । ଯାହାକି ସ୍ୱତନ୍ତ୍ର ପ୍ରୋଟୋକଲ ଅନୁଯାୟୀ ଉପହାର ଭାବେ ଦିଆଯାଏ । କୁହାଯାଏ ଯେ, ଏପର୍ଯ୍ୟନ୍ତ ଏହି ମଦକୁ ବିଲ୍ କ୍ଲିଣ୍ଟନ, ପୋପ ଜନ୍ ପଲ୍ ଦ୍ୱିତୀୟ ଏବଂ ଅଭିନେତା ବ୍ରାଡ୍ ପିଟ୍କୁ ଉପହାର ଭାବେ ପ୍ରଦାନ କରାଯାଇଛି ।

Comments are closed.