ଅନୁଗୁଳରେ ୧୮୦୫ କୋଟି ଟଙ୍କା ବ୍ୟୟ ରେ ୨୪ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ମିଶନ ଶକ୍ତି ମହିଳାଙ୍କୁ ମିଳିଲା ୨୪୨ କୋଟି ଟଙ୍କାର ଋଣ ସହାୟତା ଘୋଷଣା
ଅନୁଗୋଳ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୋଳ ଗସ୍ତରେ ଯାଇ ୨୪ ଟି ପ୍ରକଳ୍ପ ର ଶୁଭାରମ୍ଭ ଓ ଲୋକାର୍ପଣ କରିଛନ୍ତି I ଏହାସହ ୧୫୪୧ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିପରି ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ୨୪୨ କୋଟିର ଋଣ ପ୍ରୋତ୍ସାହନ ପ୍ରଦାନ କରାଯାଇଛି । ଏହାଦ୍ବାରା ୭୫ ହଜାରରୁ ଅଧିକ ମହିଳା ଉପକୃତ ହେବେ। ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ସଭାରେ ଏସଏଚଜି ସଦସ୍ୟାମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।
ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପ କ୍ଷେତ୍ରରେ ଅନୁଗୁଳ ଜିଲ୍ଲାର ବିକାଶ ଲାଗି ୮୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଜିଲ୍ଲାର ୪୮ ଟି ପଞ୍ଚାୟତର ପାନୀୟ ଜଳଯୋଗାଣ ଲାଗି ୩୫୦ କୋଟିର ବ୍ୟବସ୍ଥା କରାଯାଇଛି। ଏହାକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରି ମିଳିଛି। ଅନୁଗୁଳ ଓ ବଅଁରପାଳ ବ୍ଲକ୍ର ଲୋକମାନଙ୍କ ପାନୀୟ ଜଳ ସୁବିଧା ପାଇଁ ଦୁଇଟି ମେଗା ପ୍ରକଳ୍ପ ପ୍ରତିଷ୍ଠା ହେବ। ଏହାଦ୍ବାରା ଅନୁଗୁଳର ୧ ଲକ୍ଷ ୬୬ ହଜାର ଓ ବଅଁରପାଳର ୭୦ ହଜାର ଲୋକ ଉପକୃତ ହେବେ। ଉଭୟ ପ୍ରକଳ୍ପ ପାଇଁ ସମୁଦାୟ ୩୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ୨୪ ମାସ ଭିତରେ ଉଭୟ ପ୍ରକଳ୍ପ ଶେଷ କରାଯାଇ ଲୋକଙ୍କୁ ପାଣି ଯୋଗାଇ ଦିଆଯିବ। ମିଶନ ଶକ୍ତି ମୋର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ। ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ଋଣର ବ୍ୟବସ୍ଥା କରାଯାଉଛି।
ଏହାବାଦ୍ ଅନୁଗୁଳ ବସଷ୍ଟାଣ୍ଡ, ପାଲଲହଡ଼ାରେ ମହିଳା ଓ ଶିଶୁଙ୍କ ଚିକିତ୍ସା ପାଇଁ ନୂଆ ଡାକ୍ତରଖାନା, ତାଳଚେର ପୌରପାଳିକା ଅଧୀନରେ ନିର୍ମାଣ ହୋଇଥିବା ହେରିଟେଜର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ।

Comments are closed.