ତାଇପେଇ : ତାଇପେଇ ସୁପର-୩୦୦ ପ୍ରତିଯୋଗିତାରେ ଭାରତୀୟଙ୍କ ଜୟଯାତ୍ରା ଜାରି ରହିଛି । ନବାଗତ ସଟଲର ତନିଶା କ୍ରାଷ୍ଟୋ ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ମିକ୍ସଡ ଡବଲ୍ସରେ ମଧ୍ୟ ତନିଶାଙ୍କ ଜମାଣିଆ ପ୍ରଦର୍ଶନ ଜାରି ରହିଛି ।
ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜେତା ପାରୁପଲ୍ଲୀ କାଶ୍ୟପ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ମିଥୁନ୍ ମଞ୍ଜୁନାଥ ଓ କିରଣ ଜର୍ଜଙ୍କ ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପରାଜିତ ହୋଇ ଅଭିଯାନ ଶେଷ କରିଛନ୍ତି ।
ତନିଶା ଓ ଇଶାନ ଭଟନାଗରଙ୍କ ଯୋଡି ମିକ୍ସଡ ଡବଲ୍ସ ମୁକାବିଲାରେ ଚାଇନିଜ ତାଇପେଇର ଚେଙ୍ଗ କାଇ ୱିନ ଓ ୱାଙ୍ଗ ୟୁ କୁଇଆଓ’ଙ୍କୁ ୨୧-୧୪, ୨୧-୧୭ ଗେମ୍ରେ ପରାଜିତ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ଦୁବାଇରେ ଜନ୍ମିତ ୧୯ ବର୍ଷୀୟା ତନିଶା ଜୁନିୟରସ୍ତରୀୟ ପ୍ରତିଯୋଗିତାରେ ବାହାରିନ୍ ପାଇଁ ପ୍ରତିନିଧିତ୍ୱ କରୁଥିଲେ । ସ୍ମୃତି ମିଶ୍ରଙ୍କ ସହ ଡବଲ୍ସରେ ସ୍ଥାନୀୟ ପ୍ରତିଯୋଗୀ ଜିଆ ଇନ୍ ଲିନ୍ ଓ ଲିନ୍ ୱି ହୋ’ଙ୍କୁ ୨୧-୧୪, ୨୧-୮ ଗେମ୍ରେ ପରାସ୍ତ କରିଥିଲେ । ଏହି ମ୍ୟାଚ ଜିତିବା ପାଇଁ ସ୍ମୃତି ଓ ତନିଶାଙ୍କୁ ୨୨ ମିନିଟ୍ ସମୟ ଲାଗି ଥିଲା । ତନିଶା ଓ ଇଶାନ ମିକ୍ସଡ ଡବଲ୍ସର ପରବର୍ତ୍ତୀ ମୁକାବିଲାରେ ମାଲେସିଆର ହୋ ପେଙ୍ଗ ରନ୍ ଓ ଥୋ ଇ ୱି’ଙ୍କୁ ଭେଟିବେ । ସେହିଭଳି ମହିଳା ଡବଲ୍ସରେ ତନିଶା ଓ ସ୍ମୃତିଙ୍କ ଯୋଡି ହଂକଂର ଷଷ୍ଠ ସିଡେଡ ନାଙ୍ଗ ସୁଜୁ ୟାୱି ଓ ସାଙ୍ଗ ହିୟୁ ୟାନ୍ଙ୍କୁ ଭେଟିବେ ।
ସଫଳ ପ୍ରତ୍ୟାବର୍ତ୍ତନ କରିଥିବା ପାରୁପଲ୍ଲୀ କାଶ୍ୟପ ୨୧-୧୦, ୨୧-୧୯ ଗେମ୍ରେ ଚାଇନିଜ ତାଇପେଇ’ର ଚିଆ ଫାଓ ଲି’ଙ୍କୁ ପରାସ୍ତ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ଓଡ଼ିଶା ଚାମ୍ପିଅନ୍ କିରଣ ୨୧-୨୩, ୨୧-୧୬, ୭-୨୧ ଗେମ୍ରେ ବିଶ୍ୱର ନଂ.୪ ଖେଳାଳି ଚୌତିଏନ୍ ଚେନ୍ଙ୍କ ଠାରୁ ହାରିଯାଇଥିଲେ । ଉଭୟ ମଧ୍ୟରେ ୫୮ ମିନିଟ୍ର ତୀବ୍ର ସଂଘର୍ଷ ହୋଇଥିଲା । ଥୋମାସ କପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିବା ପ୍ରିୟାଂଶୁ ୧୯-୨୧, ୧୩-୨୧ ଗେମ୍ରେ ଚାଇନିଜ ତାଇପେଇର ଚେନ୍ ଚି ତି’ଙ୍କ ଠାରୁ ହାରିଯାଇଛନ୍ତି ।

Comments are closed.