କଟକ: ଜୁଲାଇ ୧୨: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପଢୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଛି ଏକ ସ୍ୱତନ୍ତ୍ର ଯୋଜନା । ବିଶେଷ ଭାବେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦେଖି ରେଭେନ୍ସା ପରିସରରେ ନିର୍ମାଣ ହେବ ଶବ୍ଦ କରୁଥିବା ରାସ୍ତା । ଟାକଟାଇଲ୍ରେ ନିର୍ମାଣ ହେବାକୁ ଥିବା ଉକ୍ତ ରାସ୍ତାରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ବାଡ଼ି ସାହାଯ୍ୟରେ ରାସ୍ତା ଜାଣିପାରିବେ । ଏଥିପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୂର୍ତ୍ତ ବିଭାଗକୁ ରାସ୍ତା ନିର୍ମାଣ ଓ ବଜେଟ୍ ଉପରେ କାମ ଆରମ୍ଭ ପାଇଁ ଚିଠି କରାଯାଇଛି । ରେଭେନ୍ସାର ୟୁଜି, ପିଜି ପରି ବିଭିନ୍ନ ପାଠ୍ୟକ୍ରମରେ ୧୨୦ରୁ ଅଧିକ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଏବେ ପଢୁଛନ୍ତି । ବିଶ୍ୱବିଦ୍ୟାଳୟ ପରିସରରେ ସେମାନଙ୍କ ଗମନାଗମନ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନଥିବାରୁ ସେମାନଙ୍କୁ କ୍ଲାସ ରୁମ୍, ପାଠାଗାର, ପ୍ରାଶାସନିକ କାର୍ଯ୍ୟାଳୟ ପରି ବିଭିନ୍ନ ସ୍ଥାନକୁ ଯିବାରେ ପ୍ରତିଦିନ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ସେମାନଙ୍କ ଏହି ସମସ୍ୟାର ସମାଧାନ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବେ ଶବ୍ଦ କରୁଥିବା ଫୁଟପାଥ୍ ନିର୍ମାଣ କରିବାକୁ ଯୋଜନା କରିଛନ୍ତି ।

Comments are closed.