ଆଜି ଶ୍ରୀନଅରରେ ସୁନିଆ ପର୍ବ,ଆରମ୍ଭ ହେବ ୧୪୩୩ ସାଲ ,୬୯ ଅଙ୍କ

0

ପୁରୀ: ଆଜି ହେଉଛି ପବିତ୍ର ସୁନିଆଁ ଉତ୍ସବ । ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହେବ ୧୪୩୩ ସାଲ ଓ ୬୯ ଅଙ୍କର ପ୍ରବେଶ । ଏହି ଅବସରରେ ଆଜି ସନ୍ଧ୍ୟାରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ । ଆଜିଠାରୁ ଗଜପତି ମହାରାଜାଙ୍କର ୬୯ ଅଙ୍କ ଆରମ୍ଭ ହେବ । ଜାତକ ଓ ପାଞ୍ଜି, ଅଙ୍କ ଗଣନାର ରହିଛି ବିଶେଷ ମହତ୍ୱ। ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବ

ଏହି ପର୍ବରେ ଗଜପତି ମହାରାଜ ସିଂହାସନ ଆରୋହଣ କରିବା ପରେ ନୂତନ ଅଙ୍କ ବର୍ଷର ଘୋଷଣା କରିଥାନ୍ତି। ତେଣୁ ସୁନିଆଁକୁ ଉତ୍କଳୀୟ ନବବର୍ଷ ବୋଲି ଧରାଯାଏ । ସୁନିଆଁ ଦିନଠାରୁ ଗଜପତି ମହାରାଜାଙ୍କ ଗାଦିନାସୀନ ବର୍ଷର ଗଣନା ହୋଇଥାଏ । ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହରରେ ଅଙ୍କ କଟା ନିତୀ ସମ୍ପାଦନ କରାଯିବ । ଏହି ଅବସରରେ ଶ୍ରୀନହର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯିବ । ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବାଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିବେ ।

ସୁନିଆଁ ପର୍ବ ଦିନ ଷୋଳଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରକୁ ଆସି ଗୋଟିଏ ଲେଖାଏଁ ନଡ଼ିଆ ଗଜପତିଙ୍କୁ ଭେଟିଦେଇ ମହାରାଜାଙ୍କୁ ଆଶିର୍ବାଦ କରିଥାନ୍ତି । କରଣସାମନ୍ତମାନେ ମଧ୍ୟ ଶ୍ରୀନଅରକୁ ଆସି ଗଜପତି ମହାରାଜାଙ୍କୁ ଭେଟିଦେଇଥାନ୍ତି । ସମସ୍ତଙ୍କୁ ଶ୍ରୀନଅରରେ ମହାପ୍ରସାଦ ସେବନରେ ଆପ୍ୟାୟିତ କରାଯାଏ । ଗଜପତି ମହାରାଜା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କନକ ଭେଟି ଅର୍ପଣ କରିବାର ପ୍ରଥା ଅଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଗଜପତି ପୁରୁଣା ନଅର ସ୍ଥଳକୁ ଯାଇ ଶ୍ୟାମାକାଳୀ ଓ ଅଷ୍ଟଶମ୍ଭୁଙ୍କୁ ଦର୍ଶନକରି ଶ୍ରୀନଅର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଗଜପତି ମହାରାଜାଙ୍କ ନୂତନ ଅଙ୍କ କଟାଯାଇ ସେହିଦିନଠାରୁ ନୂତନ ଅଙ୍କର ଗଣନା ଆରମ୍ଭ ହୁଏ ।

ସେପଟେ ଆଜି ଶ୍ରୀ ମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ଭାଦ୍ରବ ଶୁକ୍ଳ ଦ୍ବାଦଶୀ ତିଥିରେ ବାମନଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଜି ନୂଆପଇତା ଲାଗି କରାଯାଇଥାଏ । ଏହି ନୀତି ପାଇଁ ୫ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ।

ମଧ୍ୟାହ୍ନ ଧୂପ ଛେକ ଆସିବା ପରେ ଅପରାହ୍ଣ ୫ଟାରୁ ସନ୍ଧ୍ୟା ୧୦ଟା ଯାଏ ବନ୍ଦ ରହିବ ସାଧାରଣ ଦର୍ଶନ । ଦ୍ୱାର ଫିଟିବା ପରେ ପରେ ଭକ୍ତମାନେ ଯେମିତି ପୂର୍ବରୁ ଦର୍ଶନ କରୁଥିଲେ ସେମିତି କରିପାରିବେ ବୋଲି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Govt
Leave A Reply

Your email address will not be published.