କୋଲକାତା: ବେଙ୍ଗଲ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ନୂଆ ଟ୍ୱିରିଷ୍ଟ ଆସିଛି । ଏହି ଘଟଣାରେ ଗିରଫ ହୋଇ ମନ୍ତ୍ରୀ ପଦ ହରାଇଥିବା ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଅଡ଼ୁଆ ବଢ଼ୁଛି । ତାଙ୍କର ଦୁଇଟି ଘରୁ ନଗଦର ୫୦ କୋଟି ଟଙ୍କା ମିଳିଥିବା ବେଳେ ବିପୁଳର ପରିମାଣର ସୁନା ଅଳଙ୍କାର ଜବତ ହୋଇଛି । କି;ୁ ଏବେ ସେ ଆହୁରି କୋଟି କୋଟି ଟଙ୍କା ଲୁଚା ରଖିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜାଣିବାକୁ ପାଇଛି ।
ତାଙ୍କର ୪ଟି ଦାମୀ କାର ହଠାତ ଗାଏବ ହୋଇଯାଇଛି । ଏହି ୪ଟି କାରରେ ଟଙ୍କା ଭର୍ତ୍ତି ହୋଇ ରହିଥିବା ଇଡି ସନ୍ଦେହ କରୁଛି । ଏଥିପାଇଁ କାରଗୁଡ଼ିକ ଠାବ କରିବା ପାଇଁ ଅର୍ପିତାଙ୍କ ଲିଙ୍କ ଥିବା ବିଭିନ୍ନ ଠିକଣାରେ ତଦନ୍ତକାରୀ ଅଧିକାରୀମାନେ ରେଡ କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରି ଇଡି ଜେରା କରୁଛି । ଏହି ସମୟରେ ତାଙ୍କ ଠାରୁ ୪ଟି ଦାମ କାର ସମ୍ପର୍କରେ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି । ଗୋଟିଏ ଅଡି ଏ୪, ଗୋଟିଏ ହୁଣ୍ଡା ସିଟି, ଗୋଟିଏ ହୁଣ୍ଡା ସିଭିଆର ଓ ଗୋଟିଏ ମର୍ସିଡିଜ ବେଞ୍ଜ ଅର୍ପିତାଙ୍କର ରହିଥିଲା । ସେ ଗିରଫ ହେବାର ଦିନକ ପୂର୍ବରୁ ହିଁ କାର ଗୁଡ଼ିକ ଗାଏବ ହୋଇଯାଇଛି ।
ଏହି କାରଗୁଡ଼ିକରେ ଟଙ୍କା ଭର୍ତ୍ତି କରି ଅନ୍ୟତ୍ର ନିଆଯାଥିବା ଇଡି ସନ୍ଦେହ କରୁଛି । ଅର୍ପିତାଙ୍କୁ ଗିରଫ କରିବା ବେଳେ ଇଡିର ଅଧିକାରୀମାନେ କେବଳ ଧଳା ରଙ୍ଗର ଗୋଟିଏ ମର୍ସିଡିଜ କାର ହିଁ ତାଙ୍କ ଘରୁ ଜବତ କରିଥିଲେ । ବାକି କାରଗୁଡ଼ିକ ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନି । କାରଗୁଡ଼ିକୁ ଠାବ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଉଛି । ସେହିପରି ବିଭିନ୍ନ ସ୍ଥାନରେ ରେଡ ଚାଲିଛି । ଇଡିର ସୂଚନା ଅନୁଯାୟୀ, କୋଲକାତାର ବେଲଘରିଆର କ୍ଲବଟାଉନ ହାଇଟ୍ସରେ ଅର୍ପିତାଙ୍କର ଦୁଇଟି ଫ୍ଲାଟ ରହିଛି ।
ଗୁରୁବାର ଏଠାରେ ଥିବା ଦୁଇଟି ଫ୍ଲାଟ ମଧ୍ୟରୁ ଗୋଟିଏରେ ରେଡ କରାଯାଇଥିଲା । ଏହି ସମୟରେ ସେଠାରୁ ନଗଦ ୩୦ କୋଟି ଟଙ୍କା ଓ ୫ କେଜି ଓଜନର ସୁନା ଅଳଙ୍କାର ମିଳିଛି । ତେବେ ଦ୍ୱିତୀୟ ଫ୍ଲାଟରୁ କୌଣସି ପ୍ରକାରର ଟଙ୍କା କିମ୍ବା ସୁନା ମିଳିନାହିଁ । ଗତ ଶୁକ୍ରବାର କୋଲକାତାର ଟୋଲଗଞ୍ଜରେ ଥିବା ଡାଇମଣ୍ଡ ସିଟି ସ୍ଥିତ ଅର୍ପିତାଙ୍କ ଘରୁ ନଗଦ ୨୧ କୋଟି ଟଙ୍କା ଓ ୨ କୋଟି ଟଙ୍କାର ସୁନା ବାର ମିଳିଥିଲା । ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି ।

Comments are closed.