ଜୋରସୋରରେ ଚାଲିଛି ରଥ କାମ

ପୁରୀ: ମଇ ୨୦: କାଲି ଚନ୍ଦନ ଯାତ୍ରାର ଭଉଁରୀ ଉତ୍ସବ । ରଥ ର୍ନିମାଣରେ ବିଶେଷ ପର୍ବ । ଚକ-ଅଖ ଡେରା ହେଇଛି ରଥ ଖଳାରେ ବିଶେଷ ଉତ୍ସବ । ଏଣୁ ଯୁଦ୍ଧକାଳୀନ ଭିତିରେ ଚାଲିଛି ରଥ ର୍ନିମାଣ କାର୍ଯ୍ୟ । ରଥ ତ୍ରୟ ପାଇଁ ତିନୋଟି ନାହାକା ଅଖ ଓ ୬ ଗୋଟି ଚକ ତିଆରି ସରିଛି । ଠାକୁରଙ୍କ ଆଜ୍ଞାମାଳ ଲାଗି ପୂର୍ବରୁ ଏହା ସଂଯୁକ୍ତ ହେବ । ରଥ ଖଳାରେ ବିଶ୍ୱକର୍ମାମାନେ ଯୋକା କାମ ଆରମ୍ଭ କରିଛନ୍ତି । ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୧୬ଟି ଯୋକା ଓ ଦେବୀ ରଥରେ ୧୨ଟି ଯୋକା ସ୍ଥାପନ ହେବ । ଏପଟେ ରଥ ଖଳାରେ ରଥ ଚକ ପ୍ରସ୍ତୁତ ହୋଇଛି । ବିଶ୍ୱକର୍ମାଙ୍କ ଇସାରାରେ ଭୋଇ ସେବକମାନେ ବିଲେଇ ବାଡିଆ ପଦ୍ଧତିରେ ଅର ଓ ପହିକୁ ସଂଯୋଗ କରୁଛନ୍ତି । ପହିର ବିନ୍ଧରେ କୀଳା ଦେଇ ଅର ସହିତ ଟାଇକ କରି ବାଡିଆ ହୋଇଥିଲା । ଯନ୍ତ୍ରାପଟାରେ ପଡି ସିଙ୍ଗଡ଼ାକୁ ପହି ପିନ୍ଧା ଗଲାପରେ ଖୁସିଅର ଲଗାଇଯାଇଛି । ପରେ କଳସା କରାଯାଇ ପହିକୁ ଖାପରେ ବାନ୍ଧେଣୀ କରି ଚକ ପ୍ରସ୍ତୁତ କରାଯାଇଛି । ଅଭିଜ୍ଞ ବିଶ୍ୱକର୍ମାଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ଚକ ତିଆରି କାମ । ସେହିପରି ରଥ ଚାଳିରେ ରଥର ଗୁଜ, କୁଡୁକା, ଜଳଯନ୍ତ୍ର ଆଦି କାମ ଚାଲିଛି । ରୂପକାରମାନେ ଗୁଜରେ ସିଂହ ବିରାଳ ଖୋଦେଇ କରୁଛନ୍ତି । ଜଳଯନ୍ତ୍ର ରଥରେ ସ୍ଥାପନ ହେଲେ ପାଶ୍ୱର୍ ଦେବଦେବୀମାନ ବିଜେ ହେବେ । ଗୁଜ ଖୁମ୍ଭ ସ୍‌ୱରୁପ ରଥର କୋଣମାନଙ୍କରେ ସ୍ଥାପିତ ହେବ । ତାଳଧ୍ୱଜ ଓ ନନ୍ଦିଘୋଷ ରଥ ୧୬ଟି ଲେଖାଏଁ ଓ ଦେବଦଳନ ରଥର ୧୨ ଗୁଜ ରହିଛି ।

Govt

Comments are closed.