ଅମୃତସର: କ୍ୟାମେରାରେ କଏଦ ହୋଇଛି ଭୟଙ୍କର ହତ୍ୟା ଘଟଣାର ଦୃଶ୍ୟ । ଗୋଟିଏ କାରଖାନାରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ୩ ଜଣ ଲୋକ ବିଚ୍ ରାସ୍ତାରେ ନିର୍ମମ ଭାବେ ହାଣି ହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରେ ଦୁଇ ଜଣ ନିହାଙ୍ଗ ଶିଖ୍ ରହିଛନ୍ତି । କର୍ମଚାରୀ ଜଣଙ୍କ ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିର ଅଞ୍ଚଳ ରାସ୍ତାରେ ଗୁଟଖା ଚୋବାଉଥିବାରୁ ତାଙ୍କୁ ଏପରି ହତ୍ୟା କରାଯାଇଛି । ଗତକାଲି ରାତିରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାରେ ପୁଲିସ୍ ଆଜି ରମନଦୀପ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏବେ ହତ୍ୟା ଘଟଣାରେ ସାମିଲ ଥିବା ୨ ନିହାଙ୍ଗ ଶିଖଙ୍କୁ ଧରିବାକୁ ଧରପଗଡ଼ ଆରମ୍ଭ ହୋଇଛି ।
ସ୍ଥାନୀୟ ହୋଟେଲରେ ଲାଗିଥିବା ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି । କାରଖାନା କର୍ମଚାରୀଙ୍କ ମୃତଦେହ ରାତି ତମାମ ସେଠାରେ ଥିବା ଡ୍ରେନ ପାଖରେ ପଡ଼ି ରହିଥିଲା । ଆଜି ସକାଳେ ପୁଲିସ୍ ଖବର ପାଇ ମୃତଦେହକୁ ଡ୍ରେନ ନିକଟରୁ ଉଦ୍ଧାର କରିଥିଲା । ବୁଧବାର ମଧ୍ୟରାତ୍ର ପରେ ଘଟଣା ଘଟିଛି । ଜନୈକ ୨୦ ବର୍ଷୀୟ ହରମନଜୀତ ସିଂହଙ୍କ ରାସ୍ତାରେ ଗୁଟଖା ଚୋବାଉଥିବାରୁ ଏହାକୁ ସେଠାରେ ଥିବା କିଛି ନିହାଙ୍ଗ ଶିଖମାନେ ବିରୋଧ କରିଥିଲେ । ଏହାକୁ ନେଇ ହରମନଜୀତଙ୍କ ସହ ତାଙ୍କର ପ୍ରବଳ ପାଟିତୁଣ୍ଡ ଓ କଥା ମାରପିଟ ଯାଏ ଯାଇଥିଲା । ଶେଷରେ ୨ ଜଣ ନିହାଙ୍ଗ ଶିଖ ଓ ଆଉ ଜଣେ ବ୍ୟକ୍ତି କାରଖାନା କର୍ମଚାରୀ ହରମନଜୀତଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ପକାଇଥିଲେ । ବାରମ୍ବାର ଆକ୍ରମଣ ଯୋଗୁ ରାସ୍ତା କଡ଼ ଡ୍ରେନ ନିକଟରେ ସେ ଟଳି ପଡ଼ିଥିଲେ ।
Nihang Sikhs killed a person with sharp weapons after an argument with him near Sri Harmandir Sahib 'Golden Temple' Amritsar, 2 people arrested so far. pic.twitter.com/w0f6DWZJiR
— Nikhil Choudhary (@NikhilCh_) September 8, 2022
କମିଶନର ପୋଲିସ ଅରୁନ ପାଲ ସିଂହ କହିଛନ୍ତି, ସ୍ୱର୍ଣ୍ଣ ମନ୍ଦିରଠାରୁ ପ୍ରାୟ ୧ କିମି ଦୂର ରାସ୍ତାରେ ଏହି ଘଟଣା ଘଟିଛି । ହରମନଜୀତଙ୍କ ଗୁଟଖା ଖାଇବା ସହ ମଦ ପିଇ ଉକ୍ତ ଅଞ୍ଚଳରେ ବୁଲୁଥିଲେ । ଏହାକୁ ଆକ୍ରମଣକାରୀମାନେ ବିରୋଧ କରିଥିଲେ । ଏହାକୁ ନେଇ ମାରପିଟ ହୋଇଥିଲା । ଘଟଣା ବେଳେ ୬ରୁ ୭ ଜଣ ଲୋକ ସେଠାରେ ଉପସ୍ଥିତ ଥିଲେ ମଧ୍ୟ କେହି ବି ପୋଲିସକୁ ଖବର ନ ଦେବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ । ସ୍ୱର୍ଣ୍ଣ ମନ୍ଦିର ଅଞ୍ଚଳରେ ସବୁବେଳେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ହୁଏ । ହେଲେ ରାତି ତମାମ ମୃତଦେହ ପଡ଼ି ରହିଥିଲେ ହେଁ କେମିତି ପାଟ୍ରୋଲିଂ ଟିମ୍ ଏହାକୁ ଦେଖି ପାରିଲା ନାହିଁ ବୋଲି ଉତ୍ତରେ ପୁଲିସ ମୁଖିଆ କହିଛନ୍ତି ।

Comments are closed.