ଶ୍ରୀଗୁଣ୍ଡିଚା ମନ୍ଦିର

ଦେବର୍ଷି ନାରଦଙ୍କ ଉପଦେଶ ଅନୁସାରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ନୀଳମାଧବଙ୍କ ଦର୍ଶନ ଲାଭ ପାଇଁ ଯେଉଁ ସ୍ଥାନରେ ସହସ୍ର ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କରିଥିଲେ ତାହାକୁ ସ୍କନ୍ଧ ପୁରାଣ ଅନୁଯାୟୀ ମହାବେଦି କୁହାଯାଏ । ପୂରାଣ ବା ଇତିହାସରେ ବର୍ଣ୍ଣିତ ଅନୁସାରେ ଯଜ୍ଞ ଶେଷରେ ଯେଉଁ ଅଲୌକିକ ଦାରୁ ଉଦ୍ଧାର କରାଯାଇଥିଲା ତାହାକୁ ମହାରାଜ ଏହି ମହାବେଦିକୁ ଅଣାଇଥିଲେ । ଏହି ମହାବେଦୀରେ ଏକ ଆବଦ୍ଧଗୃହ ନିର୍ମାଣ କରାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗଢା ଯାଇଥିଲା । ଏହି ଆବଦ୍ଧଗୃହ ମହାରାଣୀ ଗୁଣ୍ଡିଚା ଦେବୀଙ୍କ ନାମରେ ନାମିତ ଗୁଣ୍ଡିଚା ଘର । ଶାସ୍ତ୍ରପୁରାଣରେ ଏହି ଗୁଣ୍ଡିଚା ଘରକୁ ଆଡପମଣ୍ଡପ, ରାସମଣ୍ଡପ, ମହାବେଦି ଭାବେ ବର୍ଣ୍ଣନା କରାଯାଇଛି । ପୁରୀରର ପ୍ରଚଳିତକଥା ଅନୁସାରେ ଏହା ହେଉଛି ମହାପ୍ରଭୁଙ୍କର ଜନ୍ମବେଦୀ । ପ୍ରତିବର୍ଷ ରଥଯାତ୍ରାରେ ମହାପ୍ରଭୁ ଏଠାକୁ ଯାତ୍ରା କରିଥାଆନ୍ତି । ବଡଦେଉଳଠାରୁ ପ୍ରାୟ ଅଢେଇ କିମି ଦୂରରେ ଏହି ମନ୍ଦିର ଅବସ୍ଥିତ । ଗୁଣ୍ଡିଚା ଘର ରାଜା କପିଳେନ୍ଦ୍ର ଦେବଙ୍କ ଦ୍ୱାରା ଏକ ମନ୍ଦିର ରୂପେ ନିର୍ମାଣ କରାଯାଇଥିବାର ଜଣାଯାଏ । ମାଦଳା ପାଞ୍ଜି ବର୍ଣ୍ଣନା ଅନୁସାରେ ରାଜା ଦ୍ୱିତୀୟ ରାମଚନ୍ଦ୍ରଦେବଙ୍କ ଚତୁର୍ଥଅଙ୍କରେ ୧୭୨୮ ଖ୍ରୀଷ୍ଟାବ୍ଦରେ ତାଙ୍କର ବକ୍ସି ବେଣୁ ଭ୍ରମରବର ରାୟ ଗୁଣ୍ଡିଚା ମନ୍ଦିରର ଜଗମୋହନ ନିର୍ମାଣ କରାଇଥିଲେ । ଗୁଣ୍ଡିଚା ମନ୍ଦିରକୁ ଘେରି ରହିଛି ଦୁଇଟି ପ୍ରାଚୀର – ଭିତର ବେଢା ଓ ବାହାର ବେଢା । ବାହାର ବେଢା ପ୍ରାଚୀରର ଲମ୍ବ ପ୍ରାୟ ୪୩୦ ଫୁଟ, ପ୍ରସ୍ଥ ୩୨୦ ଫୁଟ ଓ ଉଚ୍ଚତା ପ୍ରାୟ ୨୦ ଫୁଟ । ମନ୍ଦିରରେ ଦୁଇଟି ଦ୍ୱାର ଯଥା ସିଂହ ଦ୍ୱାର ଓ ନାକଚଣା ଦ୍ୱାର ଏବଂ ଉତ୍ତର ପଟକୁ ରହିଛି ନୃସିଂହ ମନ୍ଦିର । ସିଂହ ଦ୍ୱାର ସମ୍ମୁଖରେ ଦୁଇଟି ସିଂହଙ୍କ ମୂର୍ତ୍ତି ସହିତ ଉପରେ ନବଗ୍ରହ ପଟି ରହିଛନ୍ତି । ଭିତର ବେଢାରେ ରୋଷଘର, ମୁକ୍ତି ମଣ୍ଡପ, ଶ୍ରୀଗୋପାଳ ଜୀଉ ମନ୍ଦିର ଓ ସୂର୍ଯ୍ୟପୂଜା ମଣ୍ଡପ ଅବସ୍ଥିତ । ଗୁଣ୍ଡିଚା ମନ୍ଦିରର ଉଚ୍ଚତା ପ୍ରାୟ ୭୫ ଫୁଟ । ସମଗ୍ର ମନ୍ଦିର ଚାରି ଭାଗରେ ବିଭକ୍ତ ଗର୍ଭଗୃହ, ଜଗମୋହନ ନାଟମନ୍ଦିର ଓ ଭୋଗ ମଣ୍ଡପ । ଗର୍ଭଗୃହ ମଧ୍ୟରେ ଥିବା ସିଂହାସନକୁ ରନିବେଦି କୁହାଯାଏ । ରନିବେଦିର ଲମ୍ବ ୧୯ ଫୁଟ ଓ ଉଚ୍ଚତା ୪ଫୁଟ । ଜଗମୋହନ ପାଶ୍ୱର୍ରେ ରହିଛି ଭଣ୍ଡାରଘର । ରଥରୁ ଓହ୍ଲାଇ ଠାକୁରମାନେ ଗୋଟି ପହଣ୍ଡିରେ ସିଂହଦ୍ୱାର ମଧ୍ୟରେ ପ୍ରବେଶ କରି ବାହାର ବେଢାକୁ ଯାଆନ୍ତି । ବାହାର ବେଢାରୁ ହାରାବତୀ ଦ୍ୱାର ଦେଇ ଭିତର ବେଢାକୁ ଯାଇ ସେଠାରୁ ନାଟମନ୍ଦିର ଭିତରକୁ ଗରୁଡସ୍ତମ୍ଭ ପାଶ୍ୱର୍ରେ ଥିବା ଦ୍ୱାର ବାଟେ ପ୍ରବେଶ କରନ୍ତି । ନାଟମନ୍ଦିରରୁ ଜଗମୋହନ ଭିତର ଦେଇ ଗର୍ଭଗୃହର ରନିବେହି ଉପରକୁ ବିଜେ କରନ୍ତି । ନାଟ ମଣ୍ଡପର ଛାତଟି ଚାରୋଟି ସ୍ତମ୍ଭ ଉପରେ ନିର୍ମିତ । ପ୍ରତ୍ୟେକ ସ୍ତମ୍ଭର ଉଚ୍ଚତା ପ୍ରାଚ ପଚିଶ ଫୁଟ । ଗୁଣ୍ଡିଚାଘର ଭୋଗମଣ୍ଡପର ଲମ୍ବ ପ୍ରାୟ ୩୫ଫୁଟ, ପ୍ରସ୍ଥ ୨୦ ଫୁଟ । ଏହାର ରୋଷଘରେ ୨୦୩ଟି ଚୁଲି ରହିଛି ।

ଶ୍ରୀଗୁଣ୍ଡିଚା ଦିନ ଶ୍ରୀବିଗହ୍ରମାନେ ସିଂହ ଦ୍ୱାର ଦେଇ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରନ୍ତି ଏବଂ ବାହୁଡାଦିନ ନାକଚଣା ଦ୍ୱାର ଦେଇ ରଥ ଉପରକୁ ବିଜେ କରନ୍ତି । ବଡଦେଉଳରେ ପାଳିତ ହେଉଥିବା ସମସ୍ତ ନୀତି ଗୁଣ୍ଡିଚା ଘରେ ପାଳିତ ହୋଇଥାଏ । ଏହାଛଡା ହେରାପଞ୍ଚମୀ, ରଥର ଦକ୍ଷିଣମୋଡ, ନବମୀ ସନ୍ଧ୍ୟା ଦର୍ଶନ ଓ ବାହୁଡା ଯାତ୍ରାଦିନ କେତେକ ବିଶେଷନୀତି ଗୁଣ୍ଡିଚାଘରେ ପାଳନ କରାଯାଇଥାଏ । ଏହାକୁ ଯାତ୍ରାଙ୍ଗୀ ମହାସ୍ନାନ କୁହାଯାଏ । ନବମୀଦିନ ଘଣ୍ଟ ବାଜି ଛତି ସହ ଗୋଟିଏ ଭୋଗ ଠାକୁରଙ୍କୁ ଅର୍ପଣ କରାଯାଏ । ଏହାକୁ ଘଣ୍ଟଛତା ଭୋଗ କୁହାଯାଏ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭୋଗ ହେଉଛି ମହାପ୍ରସାଦ । ଗୁଣ୍ଡିତା ମନ୍ଦିରରେ ମହାପ୍ରଭୁଙ୍କ ଭୋଗ ମଧ୍ୟ ମହାପ୍ରସାଦ । ଶ୍ରୀମନ୍ଦିରରେ ଭୋଗ ଲାଗିବାପରେ ମା ବିମଳାଙ୍କୁ ସମର୍ପଣ କରାଯାଇଥାଏ । କିନ୍ତୁ ଗୁଣ୍ଡିଚା ମନ୍ଦିରରେ ମା ବିମଳାଙ୍କ ମନ୍ଦିର ନାହିଁ । ତେଣୁ ଗୁଣ୍ଡିଚା ମନ୍ଦିରରେ ଜଗମୋହନର ଏକ ସ୍ତମ୍ଭ ନିକଟରେ ମାଆ ବିମଳାଙ୍କୁ ମହାପ୍ରଭୁଙ୍କ ଅନ୍ନପ୍ରସାଦ ସମର୍ପଣ ହୁଏ ଏବଂ ଏକ ଥାଳିରେ ଅନ୍ନଭୋଗ ଶ୍ରୀମନ୍ଦିର ବେଢାରେ ଥିବା ବିମଳା ମନ୍ଦିରକୁ ନିଆଯାଇଥାଏ । ଗୁଣ୍ଡିଚା ଯାତ୍ରା ପୂର୍ବରୁ ପୁରୀର ଝାଞ୍ଜପିଟା ମଠ ଓ ଅନ୍ୟ କେତେକ ମଠର ସନ୍ନ୍ୟାସୀମାନେ ଗୁଣ୍ଡିଚା ମନ୍ଦିରର ମାର୍ଜନା କରିଥାଆନ୍ତି । ଏହି ପ୍ରଥା ଶ୍ରୀଚୈତନ୍ୟଙ୍କ ସମୟରୁ ଚାଲି ଆସିଛି । ଶ୍ରୀଚୈତନ୍ୟ ଚରଣାମୃତ ବର୍ଣ୍ଣନା ଅନୁସାରେ ଶ୍ରୀଚୈତନ୍ୟଙ୍କ ସମୟରୁ ଚାଲି ଆସିଛି । ରାଧାକାନ୍ତ ମଠର ସନ୍ନ୍ୟାସୀମାନେ ଶ୍ରୀମନ୍ଦିରରେ କଲାପରି ପ୍ରତ୍ୟେହ ବାହାରବେଢା ମାର୍ଜନା କରିଥାଆନ୍ତି । ବଡଛତା ମଠର ସନ୍ୟାସୀମାନେ ଶ୍ରୀମନ୍ଦିରରେ କଲାପରି ପ୍ରତ୍ୟେହ ଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତି ଓ ପହୁଡ ଆଳତି ସମୟରେ ଭଜନ କୀର୍ତ୍ତନ କରିଥାନ୍ତି । ଓଡିଆମଠ, ରାଘବଦାସ ମଠ, ଏମାର ମଠ ଓ ଅନ୍ୟ କେତେକ ମଠ ଗୁଣ୍ଡିଚାଘରେ କେତେକ ନୀତି ପାଳନରେ ଭାଗ ନେଇଥାନ୍ତି । କେତେକ ମଠ ତରଫରୁ ଗୁଣ୍ଡିଚା ମନ୍ଦିର ବେଢାରେ ପନ୍ତିଚାଳି ନିର୍ମାଣ କରାଯାଇଥାଏ । ଏହିପରି ଭାବେ ଗୁଣ୍ଡିଚା ମନ୍ଦିରରେ ମଧ୍ୟ ଠାକୁରଙ୍କର ଶ୍ରୀମନ୍ଦିରଭଳି ବିଭିନ୍ନ ନୀତିକାନ୍ତି ସମ୍ପର୍ଣ୍ଣ ହୋଇଥାଏ ।

Govt

Comments are closed.