ଜଗତସିଂପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଚଷାପଡ଼ା ନିକଟରେ ଆଜି ସକାଳେ ଘଟି ଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା I ଝିଅ ର ଦେହ ଖରାପ ଥିବାରୁ ସ୍କୁଟିରେ ମା’ ନେଇ ଯାଉଥିଲେ ଡାକ୍ତର ଖାନା I କିନ୍ତୁ ବାଟରେ ଏକ ଇଟା ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା I ଘଟଣା ସ୍ଥଳରେ ମା’ ଓ ଝିଅଙ୍କ ମୃତ୍ୟୁ ଘଟିଥିଲା I ମୃତକ ଦ୍ୱୟ ହେଲେ କଲିମା ବିବି ଓ ତାଙ୍କ ୬ ମାସର ଝିଅ ଅଲିଆ ଖାତୁନ। କଲିମାଙ୍କ ବଡ଼ ଝିଅ ଓ ଶ୍ୱଶୁର ମୁକ୍ତାର ଖାଁ ଆହତ ହୋଇଛନ୍ତି।
ସୂଚନାନୁସାରେ ତିର୍ତ୍ତୋଲ ଥାନା ମୁଲିସିଂ ମିର ମହଲା ଗାଁର ଶେଖ ମୁକ୍ତାର ଖାଁ ଆଜି ସକାଳେ ତାଙ୍କ ବୋହୂ କଲିମା ବିବି ଓ ଦୁଇ ନାତୁଣୀଙ୍କୁ ନେଇ ଡାକ୍ତରଖାନା ଯାଉଥିବା ବେଳେ ଚଷାପଡ଼ା ନିକଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ କଲିମା ବିବି ଓ ତାଙ୍କର ୬ ମାସର ଝିଅ ଅଲିଆ ଖାତୁନଙ୍କର ମୃତ୍ୟୁ ଘଟିଥିଲା।
ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବା ସହ ନିଆଁ ଜାଳି କଟରା ଓ ଢ଼ିଅସାହି ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଖବର ପାଇ ବାଲିକୁଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଥିବା ବାଲିକୁଦା ଆଇଆଇସି ସଲୀଳ ପ୍ରଧାନ କହିଛନ୍ତି।

Comments are closed.