ବଲିଉଡରେ ଅନେକ ଷ୍ଟାର କିଡ୍ ବର୍ତ୍ତମାନ ଫିଲ୍ମରେ ଡେବ୍ୟୁ କରିସାରିିଥିବାବେଳେ କିଛି ଅପେକ୍ଷାରେ ଅଛନ୍ତି । ହେଲେ ଏଭଳି କିଛି ଷ୍ଟାର କିଡ ଅଛନ୍ତି ଯେଉଁମାନେ ଲାଇମ ଲାଇଟରୁ ଦୂରରେ ରହି କିଛି ଭିନ୍ନ କ୍ଷେତ୍ରରେ ନିଜର କ୍ୟାରିୟର ଗଢିଛନ୍ତି ଏବଂ ସଫଳ ମଧ୍ୟ ହୋଇଛନ୍ତି । ଏହିଭଳି କିଛି ଷ୍ଟାରକିଡ ଜୀବନ ସମ୍ପର୍କରେ ସ୍ବତନ୍ତ୍ର ଉପସ୍ଥାପନା ।
ସବୁବେଳେ ଦେଖିବାକୁ ମିଳେ ଅଭିନେତାର ପରିବାରରୁ ଆସୁଥିବା ପିଲାମାନେ ମଧ୍ୟ ଏହି କ୍ଷେତ୍ରରେ ହିଁ ନିଜର କ୍ୟାରିୟର ଗଢିବା ଆରମ୍ଭ କରନ୍ତି । ପିଲାଦିନୁ ଫିଲ୍ମ ଦୁନିଆ ସହିତ ଜଡିତ ଏବଂ ବାପା ମାଆଙ୍କର ଷ୍ଟାରଡମକୁ ବ୍ୟବହାର କରି ଏମାନେ ସହଜରେ ଏକ କ୍ୟାରିୟର କରିପାରନ୍ତି ବୋଲି ଅନେକଙ୍କର ମତ ଥାଏ । ହେଲେ ବଲିଉଡରେ ଏଭଳି ମଧ୍ୟ କିଛି ଷ୍ଟାର କିଡ ଅଛନ୍ତି ଯେଉଁମାନେ ଏହି ଉକ୍ତିକୁ ମିଥ୍ୟା ବୋଲି ପ୍ରମାଣିତ କରିଛନ୍ତି । ସେମାନେ କେବଳ ଯେ ଫିଲ୍ମ ଲାଇନରେ ନିଜର କ୍ୟାରିୟର କରିବେ ତାହା ନୁହେଁ ଏହି ଷ୍ଟାରକିଡମାନେ ନିଜ ପସନ୍ଦ ଅନୁସାରେ କ୍ୟାରିୟର ବାଛିବା ସହିତ ଏଥିରେ ସଫଳ ମଧ୍ୟ ହୋଇଛନ୍ତି । ଏହି ତାଲିକା ବେଶ୍ ଲମ୍ବା ରହିଛି । ଏଥିରେ ଅନେକ ସୁପରଷ୍ଟାରଙ୍କର ପୁଅ,ଝିଅ, ନାତି ନାତୁଣୀ ମଧ୍ୟ ରହିଛନ୍ତି, ଯେଉଁମାନେ ଗ୍ଲାମର ଲାଇନ ପରିବର୍ତ୍ତେ ଭିନ୍ନ କ୍ଷେତ୍ରରେ କ୍ୟାରିୟର ଗଢିଛନ୍ତି । ଏହି ଷ୍ଟାରକିଡ୍ଙ୍କୁ ନେଇ ଅନେକ ସମୟରେ ଆଲୋଚନା ହେଉଥିବାର ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ଷ୍ଟାରକିଡଙ୍କ ସମ୍ପର୍କରେ ।
ନ୍ୟାସା ଦେବଗନ
ବଲିଉଡ ଅଭିନେତ୍ରୀ କାଜୋଲ ଓ ଅଭିନେତା ଅଜୟ ଦେବଗନ୍ ଦୀର୍ଘ ୩ ଦଶନ୍ଧି ଧରି ବଲିଉଡରେ ରାଜ କରିଆସୁଛନ୍ତି । ଏବେ ମଧ୍ୟ ତାଙ୍କୁ ଅନେକ ଫିଲ୍ମରେ ଦେଖିବାକୁ ମିଳୁଛି । ହେଲେ ଉଭୟଙ୍କ ଝିଅ ନ୍ୟାସା ଦେବଗନ ସବୁବେଳେ ଲାଇମ ଲାଇଟରୁ ଦୂରରେ ରହିଥାଆନ୍ତି । ନିକଟରେ କାଜୋଲଙ୍କର ଏକ ସାକ୍ଷାତକାର ଖୁବ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଝିଅ ନ୍ୟାସାଙ୍କର ବଡପରଦାରେ ଡେବ୍ୟୁ ସମ୍ପର୍କରେ କଥା ହୋଇଥିଲେ । ଝିଅ ନ୍ୟାସାଙ୍କୁ ଖୁବ ଗୁଡିଏ ଅଫର ମିଳିଥିଲେ ମଧ୍ୟ ସେ ବଡ ପରଦାରେ ଡେବ୍ୟୁ କରିବେ ନାହିଁ ବୋଲି କାଜୋଲ ଏଥିରେ ହିଣ୍ଟ ଦେଇଥିଲେ । ନ୍ୟାସା ନିଜେ ଏହି କ୍ଷେତ୍ରରେ କାମ କରିବାକୁ ଚାହାନ୍ତି ନାହିଁ ବୋଲି କାଜୋଲ ଅନେକ ସମୟରେ ପ୍ରକାଶ କରିଥାଆନ୍ତି । ତାଙ୍କର ଯାହା ଇଚ୍ଛା ସେ ସେହି କ୍ଷେତ୍ରରେ କାମ କରିବେ ବୋଲି କାଜୋଲ ଓ ଅଜୟ ଉଭୟ ମତ ଦେଇଥାଆନ୍ତି । ୨୦୦୩ରେ ଜନ୍ମିତ ନ୍ୟାସା ଧୀରୁଭାଇ ଅମ୍ବାନୀ ସ୍କୁଲରୁ ନିଜ ପାଠପଢା ସାରିଛନ୍ତି । ତେବେ ନ୍ୟାସା ବଡ ପରଦାରେ ନହେଲେ ମଧ୍ୟ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାଆନ୍ତି । ଅନେକ ସମୟରେ ତାଙ୍କୁ ତାଙ୍କ ସାଙ୍ଗଙ୍କ ସହିତ ମଧ୍ୟ ପାର୍ଟି ଯିବା ଓ ରେସ୍ତୋରାଁ ଯିବାର ଦେଖିବାକୁ ମିଳିଥାଏ । ତେବେ ସେ ଆଗକୁ ବଡ ପରଦାରୁ ଦୂରରେ ରହି କେଉଁ କ୍ଷେତ୍ରରେ ନିଜ କ୍ୟାରିୟର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ରିଆ କପୁର
ଅନିଲ କପୁରଙ୍କୁ ବଲିଉଡର ଏଭରଗ୍ରୀନ ହିରୋ ବୋଲି ସମ୍ଭୋଧନ କରାଯାଇଥାଏ । ଦୀର୍ଘ ୩ ଦଶନ୍ଧିରୁ ଅଧିକ ସମୟ ଧରି ସେ ବଲିଉଡର ବିଭିନ୍ନ ପ୍ରୋଜେକ୍ଟରେ କାମ କରୁଛନ୍ତି । ତାଙ୍କର ଝିଅ ସୋନମ କପୁର ଓ ପୁଅ ହର୍ଷ ବର୍ଦ୍ଧନ ମଧ୍ୟ ବଡ ପରଦାର ଡେବ୍ୟୁ କରିସାରିଛନ୍ତି । ହେଲେ ତାଙ୍କର ଆଉଜଣେ ରିଆ କପୁର ସବୁବେଳେ ଲାଇମ୍ ଲାଇଟରୁ ଦୂରରେ ରହିଥାଆନ୍ତି । ଅଭିନୟ ନୁହେଁ ବରଂ ପ୍ରଯୋଜନା ଲାଇନରେ କାମ କରନ୍ତି ରିଆ । ଫିଲ୍ମରେ ଅଭିନୟ କରିବା ପରିବର୍ତ୍ତେ ସେ ଫିଲ୍ମ ପ୍ରଯୋଜନା କରୁଛନ୍ତି । ଏହାସହ ସୋନମ କପୁରଙ୍କ ନିଜସ୍ବ ବ୍ରାଣ୍ଡ୍ ରେସନର ସହମାଲିକ ମଧ୍ୟ ରହିଛନ୍ତି । ବ୍ୟକ୍ତିଗତ ଜୀବନରେ ସେ ଖୁବ ଷ୍ଟାଇଲିଷ୍ଟ । ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାଆନ୍ତି ରିଆ । ତାଙ୍କର ଅନେକ ଫଲୋଅର୍ସ ରହିଛନ୍ତି, ଯେଉଁମାନେ ସୋସିଆଲ ମିଡିଆରେ ତାଙ୍କୁ ଖୁବ ପ୍ରଶଂସା କରିଥାଆନ୍ତି ।

କ୍ରିଷ୍ଣା ସ୍ରଫ
ଜାକି ସ୍ରଫ ବଲିଉଡର ଜଣେ ଆଗଧାଡିର ନାୟକ । ସେହିଭଳି ତାଙ୍କ ପୁଅ ଟାଇଗର ସ୍ରଫ ମଧ୍ୟ ବଲିଉଡରେ ଅଭିନୟ କରିବା ସହିତ ନିଜ ପାଇଁ ଏକ ସ୍ବତନ୍ତ୍ରସ୍ଥାନ ତିଆରି କରିଛନ୍ତି । ତେବେ ତାଙ୍କ ଝିଅ କ୍ରିଷ୍ଣା କିନ୍ତୁ ବଡ ପରଦାଠାରୁ ଦୂରରେ ରହିଛନ୍ତି । ଅଭିନୟ ନୁହେଁ ବରଂ ଫିଟନେସ କ୍ଷେତ୍ରରେ କ୍ରିଷ୍ଣା କାମ କରୁଛନ୍ତି । ନିଜର ଏକ ଜିମ ଚଳାଇଛନ୍ତି କ୍ରିଷ୍ଣା ଯାହାର ନାଁ ରହିଛି ମାଟ୍ରିକ୍ସ । ଏହି କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରାଇବାକୁ କାମ କରନ୍ତି କ୍ରିଷ୍ଣା ।
