ଭାରତ ର ପ୍ରଥମ ମହିଳା ଶିକ୍ଷୟିତ୍ରୀ ଥିଲେ ସାବିତ୍ରୀବାଇ ଫୁଲେ I ଏହା ସହିତ ସେ ଭାରତ ମୁକ୍ତି ସଂଗ୍ରାମ ର ଅନ୍ୟତମ ନାରୀନେତ୍ରୀ ଥିଲେ I ପରାଧୀନ ଭାରତ ରେ ଯେତେବେଳେ କି ନାରୀମାନଙ୍କର ଅସ୍ତିତ୍ବ କୁ ଅଣଦେଖା କରାଯାଉଥିଲା ସେତିକିବେଳେ ସାବିତ୍ରୀବାଇ ଫୁଲେ ନାରୀଶିକ୍ଷା ପାଇଁ ଆଗେଇ ଆସିଥିଲେ Iସମାଜ ରେ ନାରୀ ଶିକ୍ଷା କେତେ ଅପରିହାର୍ଯ୍ୟ ସେ ହୃଦୟଙ୍ଗମ କରିଥିଲେ I ସେ ତାଙ୍କ ସ୍ୱାମୀଙ୍କ ସହିତ ମିଶି ୧୮୪୮ ମସିହାରେ ପ୍ରଥମ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ।
ସାବିତ୍ରୀବାଇ ଫୁଲେ ଙ୍କ ଜନ୍ମ ୩ ଜାନୁଆରୀ ୧୮୩୧ ମସିହାରେ ମହାରାଷ୍ଟ୍ର ସତାରା ଜିଲ୍ଲା ନୟାଗାଓଁ ରେ ଏକ ଦଳିତ ପରିବାରରେ ହୋଇଥିଲା I ତାଙ୍କ ପିତାଙ୍କ ନାମ ଖଣ୍ଡୋଜି ନାଭିସେ ଏବଂ ମାତାଙ୍କ ନାମ ଥିଲା ଲକ୍ଷ୍ମୀ I ସେ ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ ସହିତ , ସାମାଜିକ ସଂସ୍କାରକ ଏବଂ ମରାଠୀ କବୟିତ୍ରୀ ଥିଲେ I ତାଙ୍କ ସ୍ୱାମୀ ଜ୍ୟୋତିରାଓ ଗୋବିନ୍ଦ୍ ରାଓ ଫୁଲେ ମଧ୍ୟ ଜଣେ ସମାଜ ସଂସ୍କାରକ ଥିଲେ I ସାବିତ୍ରୀ ବାଇ ନିଜ ସ୍ୱାମୀ ଙ୍କ ସହ ମିଶି ମହିଳା ଅଧିକାର ଏବଂ ନାରୀ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ତାଙ୍କୁ ଆଧୁନିକ ମରାଠୀ କବିତାର ଅଗ୍ରଦୂତ ଭାବରେ ବିବେଚନା କରାଯାଏ I କିନ୍ତୁ ସେତେବେଳେ ସମାଜରେ ନାରୀ ଶିକ୍ଷା ପାଇଁ ସେ କଡା ବିରୋଧ ର ସମ୍ମୁଖୀନ ହୋଇଥିଲେ I
ସାବିତ୍ରୀବାଇ ଫୁଲେ ଙ୍କ ବିବାହ ୧୮୪୦ ମସିହାରେ ମାତ୍ର ୯ ବର୍ଷ ବୟସ ରେ ଜ୍ୟୋତିରାଓ ଫୁଲେ ଙ୍କ ସହିତ ହୋଇଥିଲା I ବିବାହ ପରେ ସେ ସ୍ୱାମୀଙ୍କ ସହ ପୁଣେ ରେ ରହୁଥିଲେ । ବିବାହ ସମୟରେ ସେ ଅଧିକ ଶିକ୍ଷିତ ନଥିଲେ । କିନ୍ତୁ ପାଠ ପଢା ପ୍ରତି ତାଙ୍କର ପ୍ରବଳ ଆଗ୍ରହ ରହିଥିଲା I ତାଙ୍କର ଆଗ୍ରହ ଦେଖି ସ୍ୱାମୀ ଜ୍ୟୋତିରାଓ ସାବିତ୍ରୀ ଙ୍କର ପଢ଼ିବାର ସମସ୍ତ ବ୍ୟବସ୍ଥା କରିଥିଲେ I ପାଠ ପଢା ଶେଷ ପରେ ଅହମ୍ମଦନଗର ଏବଂ ପୁଣେରେ ଶିକ୍ଷକ ହେବା ପାଇଁ ସାବିତ୍ରୀବାଇ ତାଲିମ ନେଇ ଜଣେ ଯୋଗ୍ୟ ଶିକ୍ଷକ ହୋଇ ପାରି ଥିଲେ। I
ଶିକ୍ଷକ ହେବାପରେ ସାବିତ୍ରୀବାଇ ସ୍ୱାମୀଙ୍କ ସହ ମିଶି ପୁଣେରେ ୩ ଜାନୁୟାରୀ ୧୮୪୮ ପ୍ରଥମ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ I ସେତେବେଳେ ସମାଜ ରେ ଜାତିପ୍ରଥା ଚରମ ସ୍ତରରେ ରହିଥିଲା I ସେହି ସମୟରେ ସେ ନିଜ ବିଦ୍ୟାଳୟରେ ବିଭିନ୍ନ ଜାତିର ନଅ ଜଣ ବାଳିକା ଙ୍କୁ ନେଇ ପଢା ଆରମ୍ଭ କରିଥିକେ I ଦେଖୁ ଦେଖୁ ଗୋଟିଏ ବର୍ଷରେ ସାବିତ୍ରୀବାଇ ଏବଂ ତାଙ୍କ ସ୍ୱାମୀ ଜ୍ୟୋତିରାଓ ଫୁଲେ ପାଞ୍ଚଟି ନୂତନ ବିଦ୍ୟାଳୟ ଖୋଲିବାରେ ସଫଳ ହୋଇଥିଲେ। ସେହି ସମୟରେ ତତ୍କାଳୀନ ଇଂରେଜ ସରକାର ମଧ୍ୟ ତାଙ୍କୁ ସମ୍ମାନିତ କରିଥିଲେ।୧୮୪୮ ମସିହାରେ ବାଳିକା ବିଦ୍ୟାଳୟ ଚଳାଇବା ଜଣେ ମହିଳା ପ୍ରିନ୍ସିପାଲଙ୍କ ପାଇଁ କେତେ କଷ୍ଟସାଧ୍ୟ ଥିଲା, ବୋଧହୁଏ ଆଜି ମଧ୍ୟ କଳ୍ପନା କରାଯାଇପାରିବ ନାହିଁ I
ସ୍ୱାଧୀନତା ପୂର୍ବରୁ ଭାରତରେ ମହିଳାମାନଙ୍କୁ ଦ୍ୱିତୀୟ ଶ୍ରେଣୀରେ ଗଣନା କରାଯାଉଥିଲା । ଆଜି ଭଳି ଶିକ୍ଷା କରିବାର ଅଧିକାର ସେମାନଙ୍କର ନଥିଲା । ଅଷ୍ଟାଦଶ ଶତାବ୍ଦୀରେ ମହିଳାମାନେ ବିଦ୍ୟାଳୟକୁ ଯିବା ପାପ ବୋଲି ଧରା ଯାଉଥିଲା I ଭାରତ ର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସାବିତ୍ରୀ ବାଇ ଫୁଲେ ନାରୀ ସମାଜ ର ଅଗ୍ରଗତି ପାଇଁ ଅଣ୍ଟା ଭିଡି ଆଗେଇ ଆସିଥିଲେ I
ପରାଧୀନ ଭାରତରେ ବାଳିକା ଓ ନାରୀମାନଙ୍କ ପାଠ ପଢା କୁ ସମାଜରେ ପାପ ବୋଲି ଧରାଯାଉଥିଲା I ସେତେବେଳେ ନାରୀମାନଙ୍କ ଶିକ୍ଷା ଉପରେ ସାମାଜିକ ପ୍ରତିବନ୍ଧକ ରହିଥିଲା I ସମାଜ ରେ ପ୍ରଚଳିତ କୁ ସଂସ୍କାର ଓ ଜାତିପ୍ରଥା ଉଗ୍ରରୂପ ନେଉଥିଲା I ତେଣୁ ସାବିତ୍ରୀ ବାଇ ଙ୍କ ନାରୀ ଶିକ୍ଷା,ବା ନାରୀ ମୁକ୍ତି ତଥାକଥିତ ସମାଜ ସଂସ୍କାରକ ମାନଙ୍କୁ ଭଲଲାଗି ନ ଥିଲା I ସେ ଛୁଆଁ ଛୁତି ଭେଦଭାବ କୁ ପ୍ରୋତ୍ସାହନ ଦେଉଥିବା ନେଇ ତାଙ୍କୁ ନଜର ବନ୍ଦୀ କରି ଏକଘରିକିଆ ମଧ୍ୟ କରି ରଖା ଯାଉଥିଲା I ସାବିତ୍ରୀବାଇ ସ୍କୁଲ ଯିବା ସମୟରେ ତାଙ୍କ ଉପରେ ପଥର ମାଡ଼ ସହିତ ଅଳିଆ, ଗୋବର,ମଧ୍ୟ ଫୋପଡ଼ା ଯାଉଥିଲା I ତେଣୁ ସାବିତ୍ରୀବାଇ ତାଙ୍କ ବ୍ୟାଗ ରେ ଆଉ ଏକ ଶାଢ଼ୀ ନେଇ ଯାଉଥିଲେ ଓ ସ୍କୁଲ ପହଂଚିବା ପରେ ମଇଳା ଶାଢ଼ୀ କୁ ବଦଳାଇ ଦେଉଥିଲେ I
ଖାଲି ସେତିକି ନୁହେଁ ଯେଉଁ ସମୟରେ ସମାଜରେ ସତୀଦାହ ପ୍ରଥା ଚାଲୁଥିଲା ବା ବିଧବା ମାନଙ୍କୁ ଅଶୁଭ ବୋଲି ଧରାଯାଇ ଘରୁ ବିତାଡିତ କରାଯାଉଥିଲା , ସାବିତ୍ରୀ ବାଇ ବିଧବା ମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତଳୋନ କରିଥିଲେ I ସେ ୧୮୫୪ ରେ ବିଧବା ତଥା ସମସ୍ତ ନିରାଶ୍ରୟ ମହିଳା ମାନଙ୍କ ପାଇଁ ପ୍ରଥମ କରି ଏକ ଆଶ୍ରୟ ସ୍ଥଳ ନିର୍ମାଣ କରିଥିଲେ I ଏହାପରେ ୧୮୬୪ ମସିହାରେ ଆଉ ଏକ ବୃହତ ଆଶ୍ରୟସ୍ଥଳ ନିର୍ମାଣ କରିଥିଲେ I ସେହିଠାରେ ସେ ବିଧବା ମାନଙ୍କର ଶିକ୍ଷା ବ୍ୟବସ୍ଥା ମଧ୍ୟ ଆରମ୍ଭ କରିଥିଲେ I ସେ ନିଜ ସଂସ୍ଥାରେ ଆଶ୍ରୟ ନେଇଥିବା ଜଣେ ଦଳିତ ମହିଳା ଙ୍କର ପୁଅ ଯଶବନ୍ତ ରାଓ ଙ୍କୁ ପୌଷ୍ୟପୁତ୍ର ଭାବରେ ଗ୍ରହଣ କରିଥିଲେ I ସାବିତ୍ରୀବାଇ ସମଗ୍ର ଦେଶ ର ମହାନ ନାରୀ ନେତ୍ରୀ ଥିଲେ I ସେ ଜାତିପ୍ରଥା ଭେଦଭାବ ଭୁଲି ସମସ୍ତ ଧର୍ମକୁ ସମ୍ମାନ ଦେଉଥିଲେ I
୧୮୯୦ ମସିହାରେ ସାବିତ୍ରୀବାଇ ଙ୍କ ସ୍ୱାମୀ ଜ୍ୟୋତିରାଓ ଫୁଲେ ଙ୍କର ମୃତ୍ୟୁ ହୋଇଥିଲା । ଜାତିପ୍ରଥା ଭେଦଭାବ ଯୋଗୁଁ ସେତେବେଳେ ସେ ସମସ୍ତ ସାମାଜିକ ପରମ୍ପରା କୁ ଭାଙ୍ଗି ନିଜ ସ୍ୱାମୀ ଙ୍କୁ ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାର କରିଥିଲେ। ଏହାର ସାତ ବର୍ଷ ପରେ, ୧୮୯୭ ମସିହାରେ ମହାରାଷ୍ଟ୍ରରେ ପ୍ଲେଗ ରୋଗ ମହାମାରୀ ପାରି ବ୍ୟାପିଗଲା, ସେତେବେଳେ ସାବିତ୍ରୀ ବାଇ ନିଃସଙ୍କୋଚ ରେ ଯାଇ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସେବା କଲେ I, ଏହି ସମୟରେ ସେ ନିଜେ ମହାମାରୀର ଶିକାର ହୋଇଥିଲେ ଏବଂ ୧୦ ମାର୍ଚ୍ଚ ୧୮୯୭ ରେ ଏହି ମହାନ ନାରିନେତ୍ରୀଙ୍କର ନିଧନ ହୋଇଥିଲା I
Comments are closed.