ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ ନିୟମ: ଛୁଟି ଦିନରେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ବନ୍ଦ
ଛାତ୍ରଛାତ୍ରୀଙ୍କ ସମେତ କର୍ମଚାରୀମାନେ ମଧ୍ୟ କୁଳପତିଙ୍କ ନୂଆ ନିୟମରେ ଅସନ୍ତୋଷ
ସମ୍ବଲପୁର : ଅକ୍ଟୋବର ୦୫: ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ଯୋଗ ଦେବା ବିଶ୍ୱବିଦ୍ୟାଳୟର ନିୟମ ବଦଳାଇଛନ୍ତି । ନୂଆ ଆଦେଶ ଅନୁସାରେ, ଏଣିକି ସରକାରୀ ଛୁଟି ଦିନରେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ଦେଇ କେହି ବି ପ୍ରବେଶ କରି ପାରିବେ ନାହିଁ । ଅନ୍ୟ ଦିନେ ସକାଳୁ ୯ଟାରୁ ସନ୍ଧ୍ର୍ୟା ୫ ଟା ପର୍ଯ୍ୟନ୍ତ ମୁଖ୍ୟ ଫାଟକ ଖୋଲା ରହିବ । ନୂଆ ଆଦେଶ ଜାରି ହେବା ପରେ ସୋମବାର ସକାଳୁ ମୁଖ୍ୟ ଫାଟକ ଦେଇ କାହାରିକୁ ଯିବାଆସିବା କରିବାକୁ ଦିଆଯାଇ ନାହିଁ । ଫଳରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ରହୁଥିବା ଲୋକଙ୍କୁ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡ଼ିଛି । ବିଶ୍ୱବିଦ୍ୟାଳୟ ପରିସରରେ କିଛି ଅବସରପ୍ରାପ୍ତ କର୍ମଚାରୀଙ୍କ ଘର ସହିତ ଡାକ୍ତରଖାନା, ଡାକଘର, ବ୍ୟାଙ୍କ ଓ ଏଟିଏମ୍ ଆଦି ଥିବାରୁ ଲୋକମାନଙ୍କୁ ବୁଲିକରି ଦ୍ୱିତୀୟ ଫାଟକ ଦେଇ ଯାତାୟତା କରିବାକୁ ପଡ଼ୁଛି । ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । କୌଣସି ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ମୁଖ୍ୟ ଫାଟକ ଖୋଲା ଯାଉନାହିଁ । ବହୁ ଛାତ୍ରଛାତ୍ରୀଙ୍କ ସମେତ କର୍ମଚାରୀମାନେ ମଧ୍ୟ କୁଳପତିଙ୍କ ନୂଆ ନିୟମରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ମୁଖ୍ୟ ଫାଟକ ସମ୍ମୁଖରେ ଏକମାତ୍ର ମେଡ଼ିସିନ ଷ୍ଟୋର ଥିବାରୁ ପିଲାମାନଙ୍କୁ ବୁଲିକରି ଯିବାରେ ଅନେକ ଅସୁବିଧା ଭୋଗିବାକୁ ପଡ଼ୁଛି ।
ଅପରପକ୍ଷରେ ଆହୁରି ମଧ୍ୟ ନିୟୋଜିତ ଥିବା ଘରୋଇ ସୁରକ୍ଷା କର୍ମୀମାନଙ୍କୁ କୌଣସି ପ୍ରକାର ଲିଖିତ ଅନୁମତି ଦିଆଯାଇ ନଥିବାରୁ ସେମାନେ ଅନେକ ସମୟରେ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଏଥିପ୍ରତି ଶୀଘ୍ର ଧ୍ୟାନ ନଦେଲେ ଆଗାମୀ ଦିନରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି ।
Comments are closed.