ପୋଲିସ ଭ୍ୟାନରୁ ବାହାରିଲା ଶାଗୁଆନ କାଠ !

ପାରଳାଖେମୁଣ୍ଡି : ନଭେମ୍ବର ୦୫ :ପୋଲିସ କରୁଛନ୍ତି କାଠ ଚୋରି । ବନ ବିଭାଗ ଆଖିରେ ଧୂଳି ଦେଇ ଚୋରା କାଠ ନେଇ ଖସିଯିବାକୁ ପୁଲିସ ଭ୍ୟାନ ବାହାରିଥିଲା । ଶେଷରେ ବନ ବିଭାଗ ହାତରେ ଧରାପଡ଼ିଲା । ଭ୍ୟାନରେ ଥିଲେ ଚାରି ପୁଲିସ କର୍ମଚାରୀ । ହେଲେ ବନ ବିଭାଗ ଫାଶରୁ ବର୍ତ୍ତି ପାରିଲେ ନାହିଁ ।
ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍‌ ଛକ ଦେଇ ଏକ ପୁଲିସ ଭ୍ୟାନ୍‌ ଯାଉଥିଲା । ଏହି ସମୟରେ ଜଙ୍ଗଲ ବିଭାଗ କର୍ମଚାରୀ ଡ୍ୟୁଟି ସାରି ଫେରୁଥିଲେ । ଛକରେ ପୁଲିସ ଭ୍ୟାନ ଦେଖି ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ସନ୍ଦେହ ହୋଇଥିଲା । ଫଳରେ ସେମାନେ ଭ୍ୟାନ୍‌କୁ ଅଟକାଇଥିଲେ । ହେଲେ ଭ୍ୟାନ୍‌ ନ ଅଟକି ପଳାଇଯାଇଥିଲା । ଏହାପରେ ବନ ବିଭାଗ କର୍ମୀ ଭ୍ୟାନଟିକୁ ଫଲୋ କରି ଅଟକାଇଥିଲେ । ଗାଡି ଯାଞ୍ଚ କଲା ବେଳେ ଗାଡ଼ିରୁ ଶାଗୁଆନ କାଠ ଗଣ୍ଡି ଥିବା ଜଣାପଡ଼ିଥିଲା । ଏହି ଘଟଣାରେ ପୁଲିସ ବିଭାଗର ତିନି ଜଣ ପୁଲିସ କର୍ମଚାରୀ ଓ ଆଉ ଜଣେ ପୁଲିସ ବିଭାଗର ଗାଡ଼ି ଡ୍ରାଇଭରଙ୍କୁ ଅଟକ ରଖାଯାଇଛି । ଗାଡ଼ିଟି ପୁଲିସ ବିଭାଗର ୩ ବାଟାଲିୟନ ଓଏସଏପି ବୋଲି ଜଣାପଡ଼ିଛି । ଗାଡିରେ ୧୦୦ରୁ ଅଧିକ ଶାଗୁଆନ କାଠ ଗଣ୍ଡି ଥିବା ଜଣାପଡ଼ିଛି । ଯାହାର ଆନୁମାନିକ ମୂଲ୍ୟ ୬୦ରୁ ୭୦ ହଜାର ଟଙ୍କା ହେବ ।
ତେବେ ଏହି ଶାଗୁଆନ କାଠ ଗଣ୍ଡିଗୁଡ଼ିକ ଗଣ୍ଡହାତୀରୁ ଗାଁରୁ ଆସିଥିଲା । ଏହା ପାରଳାଖେମୁଣ୍ଡି ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବୋଲି ପୁଲିସ ଗାଡ଼ିର ଡ୍ରାଇଭର କହିଛି । ଏତେ ପରିମାଣ କାଠ କୁଆଡ଼େ ଚାଲାଣ ହେଉଥିଲା, ଏଥିରେ ଆଉ କିଏ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ କରୁଛି ବନ ବିଭାଗ ।

Govt

Comments are closed.