‘ତୃତୀୟ ମେରୁ’ ରୂପେ ପରିଚିତ ହିମାଳୟ ଆଣ୍ଟାର୍କଟିକା ଏବଂ ଆର୍କଟିକ୍ ପରେ ଗ୍ଲେସିଅର୍ ବରଫର ତୃତୀୟ ବୃହତ୍ତମ ଉତ୍ସ । ହେଲେ ଗ୍ଲୋବାଲ ୱାର୍ମିଂ ଯୋଗୁଁ ଏହାର ଗ୍ଲେସିୟରଗୁଡିକ ଅସାଧାରଣ ହାରରେ ତରଳି ଯାଉଛି । ସାଇନ୍ସ ଜର୍ନଲ ସାଇଣ୍ଟିଫିକ୍ ରିପୋର୍ଟରେ ପ୍ରକାଶିତ ଏକ ଅନୁସନ୍ଧାନ ଅନୁଯାୟୀ, ବରଫ ତରଳିବା କାରଣରୁ ଏସିଆରେ ଗଙ୍ଗା, ବ୍ରହ୍ମପୁତ୍ର ଏବଂ ସିନ୍ଧୁ ନଦୀ କୂଳରେ ବାସ କରୁଥିବା କୋଟି କୋଟି ଭାରତୀୟଙ୍କ ପାଇଁ ଜଳ ସଙ୍କଟ ସୃଷ୍ଟି କରିପାରେ । ବୈଜ୍ଞାନିକମାନେ କହିଛନ୍ତି ଯେ ୪୦୦ରୁ ୭୦୦ ବର୍ଷ ପୂର୍ବେ ଗତ କିଛି ଦଶନ୍ଧି ମଧ୍ୟରେ ହିମାଳୟର ଗ୍ଲେସିୟର ୧୦ ଗୁଣ ଦ୍ରୁତ ଗତିରେ ତରଳି ଯାଇଛି । ୨୦୦୦ ମସିହା ପରେ ଏହି ଗତିବିଧିରେ ଅଧିକ ବୃଦ୍ଧି ପରିଲିଖିତ ହୋଇଛି ।
ବ୍ରିଟେନର ଲିଡସ୍ ୟୁନିଭର୍ସଟିର ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ବର୍ତ୍ତମାନ ହିମାଳୟରୁ ବରଫ ତରଳିବାର ହାର ‘ଲିଟଲ୍ ଆଇସ୍ ଏଜ୍’ ସମୟର ତୁଳନାରେ ହାରାହାରି ୧୦ ଗୁଣ ଅଧିକ ରହିଛି । ଲିଟିଲ୍ ଆଇସ୍ ଏଜ୍ର କାଳ ୧୬ରୁ ୧୯ ଶତାବ୍ଦୀ ମଧ୍ୟରେ ଥିଲା । ବୈଜ୍ଞାନିକମାନଙ୍କ ମତରେ, ହିମାଳୟ ଗ୍ଲେସିୟର ଅନ୍ୟ ଗ୍ଲେସିୟର ଅପେକ୍ଷା ଶୀଘ୍ର ତରଳିବାରେ ଲାଗିଛି । ବୈଜ୍ଞାନିକଙ୍କ ଟିମ୍ ଲିଟିଲ୍ ଆଇସ୍ ଏଜ୍ ସମୟରୁ ହିମାଳୟର ସ୍ଥିତିକୁ ପୁନଃ ଗବେଷଣା କରିଥିଲେ । ସେମାନେ ଉପଗ୍ରହ ଚିତ୍ର ସହିତ ବରଫ ପୃଷ୍ଠ ଏବଂ ୧୪,୭୯୮ ଗ୍ଲେସିଅର ଆକାରର ଯାଞ୍ଚ କରିଥିଲେ । ଏହା ଦର୍ଶାଇଲା ଯେ ଆଜିର ସମୟରେ ହିମାଳୟ ଗ୍ଲେସିୟର ନିଜର ୪୦ ପ୍ରତିଶତ ଅଂଶ ହରାଇଛି । ଏହାର କ୍ଷେତ୍ର ୨୮,୦୦୦ ବର୍ଗ କିଲୋମିଟରରୁ ୧୯,୬୦୦ ବର୍ଗ କିଲୋମିଟରକୁ ହ୍ରାସ ପାଇଛି ।
ଆହୁରି ମଧ୍ୟ ରିସର୍ଚ୍ଚରୁ ଜଣାପଡ଼ିଲା ଯେ ହିମାଳୟରେ ୩୯୦ରୁ ୫୮୦ ବର୍ଗ କିଲୋମିଟର ବରଫ ତରଳି ଯାଇଛି । ଏହି କାରଣରୁ ସମୁଦ୍ର ପତ୍ତନ ୦.୦୩ ରୁ ୦.୦୫ ଇଞ୍ଚକୁ ବୃଦ୍ଧି ପାଇଛି । ଏଥିସହ ହିମାଳୟର ପୂର୍ବ ଭାଗର ବରଫ ଅଧିକ ଦ୍ରୁତ ଗତିରେ ତରଳୁଛି । ଏହି ଅଞ୍ଚଳ ପୂର୍ବ ନେପାଳରୁ ଭୁଟାନର ଉତ୍ତରକୁ ବ୍ୟାପିଛି । ବୈଜ୍ଞାନିକମାନେ କହିିଛନ୍ତି ଯେ ହିମାଳୟର ଗ୍ଲେସିୟର ତରଳିବାର ପ୍ରମୁଖ କାରଣ ହେଉଛି ମାନବ ଦ୍ୱାରା ଜଳବାୟୁ ପରିବର୍ତ୍ତନ । ଫଳରେ ସମୁଦ୍ରର ଜଳସ୍ତର ବଢ଼ିବାରେ ଲାଗିଛି ଏବଂ ମଣିଷମାନେ ବ୍ୟବହାର କରୁଥିବା ପାନୀୟ ଜଳ କମିବାରେ ଲାଗିଛି । ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଆଗାମୀ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଜଳ, ଖାଦ୍ୟ ଏବଂ ଶକ୍ତି ଅଭାବ ହୋଇପାରେ ।

Comments are closed.