ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ଟିªଣୀ କରିଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଅଶୋଭନୀୟ ବୟାନ ପାଇଁ ତାଙ୍କ ନାଁରେ ଏକାଧିକ ମାମଲା ହୋଇଥିଲେ ମଧ୍ୟ ତାଙ୍କୁ ଏବେ କୌଣସି ପ୍ରକାରରେ ଗିରଫ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିସହ ନୂପୁର ଶର୍ମାଙ୍କ ନାଁରେ ରୁଜୁ ହୋଇଥିବା ଏକାଧିକ ଏଫଆଇଆରକୁ ଏକାଠି କରିବା ପାଇଁ ସେ କରିଥିବା ଆବେଦନର ଜବାବ ରଖିବାକୁ ସୁପ୍ରିମକୋର୍ଟ ରାଜ୍ୟଗୁଡ଼ିକୁ କହିଛନ୍ତି । ରାଜ୍ୟଗୁଡ଼ିକ ଜବାବ ଦେବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମାମଲାର ଶୁଣାଣି ନ ହେବା ଯାଏ ନୂପୁର ଶର୍ମା ଗିରଫ ହୋଇପାରିବେ ନାହିଁ । ତାଙ୍କ ନାଁରେ ମୋଟ ୯ଟି ଏଫଆଇଆର ବିଭିନ୍ନ ରାଜ୍ୟରେ ରୁଜୁ ହୋଇଛି । ଏଗୁଡ଼ିକ ଏକାଠି କରି ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ସେ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ଏବେ ଏହାର ଶୁଣାଣି ଅଗଷ୍ଟ ୧୦ରେ କରିବେ ।
ସୁପ୍ରିମକୋର୍ଟ ଆଜି ଆବେଦନର ଶୁଣାଣି କରି ଦିଲ୍ଲୀ, ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ଜମ୍ମୁ-କଶ୍ମୀର ଓ ଆସାମ ସରକାରଙ୍କୁ ଜବାବ ରଖିବାକୁ ନୋଟିସ କରିଛନ୍ତି । ନୂପୁର ଶର୍ମା ନିୟମିତ ଭାବେ ହତ୍ୟା ଧମକ ପାଉଛନ୍ତି । ତେଣୁ ସେ ଅନ୍ୟ ଆଇନଗତ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ତାଙ୍କ ନାଁରେ ରୁଜୁ ଏଫଆଇଆରକୁ ଦିଲ୍ଲୀ ସ୍ଥାନାନ୍ତର କରାଯାଉ ବୋଲି ତାଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ କହିଥିଲେ । ଏହା ଶୁଣାଣିବା ପରେ ସୁପ୍ରିମକୋର୍ଟ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇ ଦେଇଛନ୍ତି । ଜୁଲାଇ ୧ରେ ମଧ୍ୟ ସୁପ୍ରିମକୋର୍ଟ ନୂପୁର ଶର୍ମାଙ୍କ ଆବେଦନ ଶୁଣାଣି କରିଥିଲେ । ନୂପୁର ତାଙ୍କ ନାଁରେ ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ଏଫଆଇଆରକୁ ଏକାଠି କରି ଦିଲ୍ଲୀ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ । ତେବେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପରଡିୱାଲଙ୍କ ଖଣ୍ଡପୀଠ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ ।

Comments are closed.