ଆଲୁର୍: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଘରୋଇ ଟୁର୍ଣ୍ଣାମେଣ୍ଟର ରଣଜୀ ଟ୍ରଫିର କ୍ୱାର୍ଟରଫାଇନାଲ ପର୍ଯ୍ୟାୟ ଆରମ୍ଭ ହୋଇଛି । ପ୍ରଥମ ଦିନ ମୁମ୍ବାଇ ଓ ବେଙ୍ଗଲ ବ୍ୟାଟ୍ସମ୍ୟାନ୍ଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିବା ବେଳେ ମଧ୍ୟପ୍ରଦେଶ ବୋଲର କମାଲ କରିଛନ୍ତି ।
ପ୍ରଥମ କ୍ୱାର୍ଟର: ବେଙ୍ଗଲ-ଝାଡ଼ଖଣ୍ଡ
ବେଙ୍ଗାଲୁରୁରେ ବେଙ୍ଗଲ ଓ ଝାଡ଼ଖଣ୍ଡ ମଧ୍ୟରେ ପ୍ରଥମ କ୍ୱାର୍ଟରଫାଇନାଲ ଆରମ୍ଭ ହୋଇଛି । ପ୍ରଥମ ଦିନ ବେଙ୍ଗଲର ସୁଦୀପ କୁମାର ଶତକୀୟ ଇନିଂସ ଖେଳି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି । ଷ୍ଟମ୍ପସ୍ ଅପସାରଣ ସୁଧା ବେଙ୍ଗଲ ୮୯ ଓଭରରେ ୧ ୱିକେଟ୍ ହରାଇ ୩୧୦ ରନ୍ କରିଛି । ସୁଦୀପ କୁମାର ଘରମୀ ୧୦୬ ଓ ଅନୁସ୍ତୁପ ମଜୁମଦାର ୮୫ ରନ୍ କରି ଅପରାଜିତ ଥିଲେ ।
ଟସ୍ ଜିତି ଝାଡ଼ଖଣ୍ଡ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ବ୍ୟାଟିଂ କରି ଆମନ୍ତ୍ରଣ ପାଇଥିବା ବେଙ୍ଗଲ ପକ୍ଷରୁ ଅଭିଶେକ ରମଣ ଓ ଅଭିମନୁ୍ୟ ଈଶ୍ୱରନ୍ ପାଳି ଆରମ୍ଭ କରିଥିଲେ । ପ୍ରଥମ ୱିକେଟ୍ ପାଇଁ ଉଭୟଙ୍କ ମଧ୍ୟରେ ୩୯.୫ ଓଭରରେ ୧୩୨ ରନ୍ର ପାର୍ଟନରସିପ ହୋଇଥିଲା । ଆହତ ସମସ୍ୟା ଯୋଗୁଁ ଅଭିଶେକ ରମଣ ୭୨ ବଲ୍ରୁ ୪୧ ରନ୍ କରି ରିଟାୟାର୍ଡ ହଟ୍ ହୋଇଥିଲେ । ଏକମାତ୍ର ୱିକେଟ୍ପତନ ଭାବେ ଅଭିମନୁ୍ୟ ୧୨୪ ବଲ୍ରୁ ୬୫ ରନ୍ କରି ସୁଶାନ୍ତ ମିଶ୍ରାଙ୍କ ବଲରେ ଆଉଟ୍ ହୋଇଥିଲେ । ଏହାପରେ ସୁଦୀପ କୁମାର ଓ ଅନୁସ୍ତୁପଙ୍କ ଯୋଡି ଜମିଥିଲା । ଦୁହେଁ ଆଉ ୱିକେଟ୍ ଝଡିବାକୁ ଦେଇନଥିଲେ । ସୁଦୀପ ୨୦୪ ବଲ୍ରୁ ୧୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୦୬ ରନ୍ ଓ ଅନୁସ୍ତୁପ ୧୩୯ ବଲ୍ରୁ ୧୧ଟି ଚୌକା ସହାୟତାରେ ୮୫ ରନ୍ କରି ଅପରାଜିତ ଥିଲେ ।
ଦ୍ୱିତୀୟ କ୍ୱାର୍ଟର: ମୁମ୍ବାଇ-ଉତ୍ତରାଖଣ୍ଡ
ଉତ୍ତରାଖଣ୍ଡ ବିପକ୍ଷ ଦ୍ୱିତୀୟ କ୍ୱାର୍ଟରଫାଇନାଲରେ ମୁମ୍ବାଇର ଜମାଣିଆ ପ୍ରଦର୍ଶନ ଦେଖିବାକୁ ମିଳିଛି । ସୁଭେଧ ପାର୍କର ୧୦୪ ରନ୍ର ଅପରାଜିତ ଇନିଂସ୍ ଖେଳି ଦଳୀୟ ସ୍ଥିତିକୁ ହୋଇଥିଲା । ପୃଥ୍ୱୀ ୨୧ ରନ୍ କରି ପାଭିଲିୟନ ଫେରିଥିବା ବେଳେ ଯଶଶଭି ୩୫ ରନ୍ କରିଥିଲେ । ଅର୍ମାନ ଜାଫର ୬୦ ରନ୍ କରି ଆଉଟ୍ ହୋଇଥିଲେ । ସେତେବେଳକୁ ଦଳୀୟ ସ୍କୋର ୫୨ ଓଭରରେ ୧୭୬ ହୋଇଥିଲା । ସୁଭେଧ ପାର୍କର ୨୧୮ ବଲ୍ରୁ ୮ଟି ଚୌକା ଓ ଦୁଇଟି ଛକା ସହାୟତାରେ ୧୦୪ ଓ ସର୍ଫରାଜ ଖାନ୍ ୧୦୪ ବଲ୍ରୁ ୮ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୬୯ ରନ୍ର ଅପରାଜିତ ଇନିଂସ ଖେଳିଥିଲେ । ଉତ୍ତରାଖଣ୍ଡର ଦୀପକ ଧାପୋଲା ସମସ୍ତ ୩ ୱିକେଟ୍ ଅକ୍ତିଆର କରିଥିଲେ ।
ତୃତୀୟ କ୍ୱାର୍ଟର: କର୍ଣ୍ଣାଟକ-ଉତ୍ତରପ୍ରଦେଶ
ଆଲୁରରେ କର୍ଣ୍ଣାଟକ ଓ ଉତ୍ତରପ୍ରଦେଶ ମଧ୍ୟରେ ତୃତୀୟ କ୍ୱାର୍ଟରଫାଇନାଲ ମ୍ୟାଚ୍ ଖେଳାଯାଉଛି । ପ୍ରଥମ ଦିନ ଷ୍ଟମ୍ପଅପସାରଣ ସୁଧା କର୍ଣ୍ଣାଟକ ପ୍ରଥମ ଇନିଂସରେ ୭୨ ଓଭରରେ ୨୧୩/୭ ରନ୍ କରିଛି । ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିବା କର୍ଣ୍ଣାଟକ ପକ୍ଷରୁ ରବି କୁମାର ସମର୍ଥ ୫୭, ମୟଙ୍କ ଅଗ୍ରୱାଲ ୧୦, କରୁଣ ନାୟର ୨୯, ସିଦ୍ଧାର୍ଥ କ୍ରିଷ୍ଣ ମୂର୍ତ୍ତୀ ୩୭, ଅଧିନାୟକ ମନୀଷ ପାଣ୍ଡେ ୨୭, ଶ୍ରେୟାସ ଗୋପାଳ ଅପରାଜିତ ୨୬, କ୍ରିଷ୍ଣାªା ଗୌତମ ୧୨ ଓ ବିଜୟ କୁମାର ବୈଷାକ ଅପରାଜିତ ୧୨ ରନ କରିଥିଲେ । ବୋଲିଂରେ ଉତ୍ତରପ୍ରଦେଶର ସୌରଭ କୁମାର ୪ଟି ଓ ଶିଭମ ମାଭି ୩ଟି ୱିକେଟ୍ ସଫଳତା ହାତେଇଥିଲେ ।
ଚତୁର୍ଥ କ୍ୱାର୍ଟର: ପଞ୍ଜାବ-ମଧ୍ୟପ୍ରଦେଶ
ଆଲୁରରେ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି ଚତୁର୍ଥ କ୍ୱାର୍ଟରଫାଇନାଲରେ ପଞ୍ଜାବ ପ୍ରଥମ ଇନିଂସରେ ୨୧୯ ରନ୍ କରି ଅଲ୍ଆଉଟ୍ ହୋଇଛି । ଷ୍ଟମ୍ପଅପସାରଣ ବେଳକୁ ମଧ୍ୟପ୍ରଦେଶ ଏକ ଓଭର ବ୍ୟାଟିଂ କରି ୫ ରନ୍ କରିଥିଲା । ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପଞ୍ଜାବ ପକ୍ଷରୁ ଅଧିନାୟକ ଅଭିଶେକ ଶର୍ମା ୪୭, ଶୁଭମନ ଗିଲ୍ ୯, ଅନମୋଲପ୍ରୀତ ସିଂ ୪୭, ଗୁରୁକିରାତ ସିଂ ମାନ ୧୨, ଅନମୋଲ ମଲହୋତ୍ରା ୨୭, ସାନବୀର ସିଂ ୪୧, ମୟଙ୍କ ମାର୍କଣ୍ଡେ ୧୫ ରନ୍ କରିଥିଲେ । ତେଣୁ ପଞ୍ଜାବ ୭୧.୩ ଓଭରରେ ୨୧୯ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ମଧ୍ୟପ୍ରଦେଶର ପୁନିତ ଦତେ ଓ ଅନୁଭବ ଅଗ୍ରୱାଲ ୩ଟି ଲେଖାଏଁ, ସରଶଂ ଜେନ୍ ୨ଟି, ଗୌରବ ଯାଦବ ଓ କୁମାର କାର୍ତ୍ତିକେୟ ଗୋଟିଏ କରି ୱିକେଟ୍ ସଫଳତା ହାସଲ କରିଥିଲେ । ପଞ୍ଜାବ ଅଲ୍ଆଉଟ୍ ହେବାପରେ ମଧ୍ୟପ୍ରଦେଶ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା । ଷ୍ଟମ୍ପଅପସାରଣ ବେଳକୁ ମଧ୍ୟପ୍ରଦେଶ ୧ ଓଭରରେ ବିନା କୌଣସି ୱିକେଟ୍ ହରାଇ ୫ ରନ୍ କରିଛି । ୟଶ ଦୁବେ ୧ ରନ୍ ଓ ହିମାଂଶୁ ମନ୍ତ୍ରୀ ବିନାସ୍କୋରରେ ଅପରାଜିତ ଥିଲେ ।

Comments are closed.