ବେଙ୍ଗାଲୁରୁ: ରଣଜୀ ଟ୍ରଫିର ଫାଇନାଲ ମୁକାବିଲା ରୋଚକମୂଳରେ ପହଞ୍ଚିଛି । ଆଉ ୬ ରନ୍ କରିପାରିଲେ ମଧ୍ୟପ୍ରଦେଶ ଇନିଂସ ଅଗ୍ରଣୀ ସହ ପ୍ରଥମ ଟାଇଟଲର ନିକଟତର ହେବ । ରଣଜୀ ଇତିିହାସରେ ସର୍ବାଧିକ ଟାଇଟଲ ହାତେଇଥିବା ମୁମ୍ବାଇ ପ୍ରଥମ ଇନିଂସରେ ୩୭୪ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଜବାବରେ ତୃତୀୟ ଦିବସ ଷ୍ଟମ୍ପଅପସାରଣ ସୁଦ୍ଧା ମଧ୍ୟପ୍ରଦେଶ ୧୨୩ ଓଭରରେ ୩୬୮/୩ ରନ୍ କରି ଦୃଢ଼ ସ୍ଥିତିରେ ରହିଛି । ୟସ ଦୁବେ (୧୩୩ ରନ୍) ଓ ଶୁଭମ ଶର୍ମା (୧୧୬ ରନ୍)ଙ୍କ ଶତକୀୟ ଇନିଂସ ମଧ୍ୟପ୍ରଦେଶକୁ ପ୍ରଥମ ଟାଇଟଲର ନିକଟତର କରାଇଛି ।
ତୃତୀୟ ଦିନ ମଧ୍ୟପ୍ରଦେଶ ଅସମାପ୍ତ ପ୍ରଥମ ଇନିଂସ ୧୨୩/୧ରୁ ପାଳି ଆରମ୍ଭ କରିଥିଲା । ୟଶ ଦୁବେ ୪୪ ଓ ଶୁଭମ ଶର୍ମା ୪୧ ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲେ । ଦୁହିଁଙ୍କ ଦମ୍ଦାର ପ୍ରଦର୍ଶନ ଯୋଗୁଁ ମଧ୍ୟପ୍ରଦେଶ କଡ଼ା ଟMର ଦେବାକୁ ସମର୍ଥ ହୋଇଛି । ଦ୍ୱିତୀୟ ୱିକେଟ୍ ପାଇଁ ଉଭୟଙ୍କ ମଧ୍ୟରେ ୨୨୨ ରନ୍ର ଲମ୍ବା ପାର୍ଟନରସିପ୍ ହୋଇଥିଲା । ମୁମ୍ବାଇ ଦଳରେ ଦକ୍ଷ ବୋଲରଙ୍କ ଉପସ୍ଥିତି ସତ୍ତ୍ୱ ଏହି ଯୋଡି ଭାଙ୍ଗିବାକୁ ସମର୍ଥ ହୋଇନଥିଲେ । ଶୁଭମ ଶର୍ମା ୨୧୫ ବଲ୍ରୁ ୧୫ ଚୌକା ଓ ଗୋଟିଏ ଛକା ସହାୟତାରେ ୧୧୬ ରନ୍ କରି ଅବସ୍ତିଙ୍କ ଶିକାର ହୋଇଥିଲେ । ସେତେବେଳକୁ ମଧ୍ୟପ୍ରଦେଶର ସ୍କୋର ୮୯.୪ ଓଭରରେ ୨୬୯ ରନ୍ ହୋଇଥିଲା । ୟଶ ଦୁବେ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳିଥିଲେ । ଦୁବେ ୩୩୬ ବଲର ସମ୍ମୁଖୀନ ହୋଇ ୧୪ ଚୌକା ସହାୟତାରେ ୧୩୩ ରନ୍ କରିଥିଲେ । ଏହି ଯୋଡି ଭାଙ୍ଗିବା ପରେ ରଜତ ପଟିଦାରଙ୍କ ଜମାଣିଆ ଇନିଂସ ଦେଖିବାକୁ ମିଳିଥିଲା । ରଜତ ୧୦୬ ବଲ୍ରୁ ୧୩ଟି ଚୌକା ସହାୟତାରେ ଅପରାଜିତ ୬୭ ରନ୍ କରିଥିଲେ । ଅଧିନାୟକ ଆଦିତ୍ୟ ଶ୍ରୀଭଟ୍ଟଭ ୩୩ ବଲ୍ରୁ ୧୧ ରନ୍ କରି ବ୍ୟାଟିଂ ଜାରି ରଖିଥିଲେ । ଷ୍ଟମ୍ପସ ବେଳକୁ ମଧ୍ୟପ୍ରଦେଶ ୧୨୩ ଓଭରରେ ୩୬୮/୩ ରନ୍ ସଂଗ୍ରହ କରିଥିଲେ । ବୋଲିଂରେ ମୁମ୍ବାଇର ଧବଳ କୁଲକର୍ଣ୍ଣି, ତୁଷାର ଦେଶପାଣ୍ଡେ, ସାମସ ମୁଲାନୀ, ମୋହିତ ଅବସ୍ତି ଓ ତନିଷ କୋଟିଆନ୍ଙ୍କ ଶାଣୀତ ବୋଲିଂ ଦେଖିବାକୁ ମିଳିଥିଲା କି;ୁ ତୁଷାର ଦେଶପାଣ୍ଡେ, ସାମସ ମୁଲାନୀ ଓ ମୋହିତ ଅବସ୍ତି ଗୋଟିଏ ଲେଖାଏଁ ୱିକେଟ୍ ନେବାକୁ ସମର୍ଥ ହୋଇଥିଲେ ।
ପ୍ରଥମ ଇନିଂସରେ ମୁମ୍ବାଇ ପକ୍ଷରୁ ସର୍ଫରାଜ ଖାନ୍ ସର୍ବାଧିକ ୧୩୪ ରନ୍ର ଇନିଂସ ଖେଳିଥିଲେ । ଅଧିନାୟକ ପୃଥ୍ୱୀ ଶ’ ୪୭ ରନ୍, ଯଶଶଭି ଜୟସ୍ୱାଲ ୭୮, ଅର୍ମାନ ଜାର୍ଫର ୨୬ ରନ୍, ସୁଭେଦ ପାର୍କର ୧୮, ହାର୍ଦ୍ଦିକ ତୋମାର ୨୪ ରନ୍ କରିଥିଲେ । ମଧ୍ୟପ୍ରଦେଶର ଗୌରଭ ଯାଦବ ୪ଟି, ଅନୁଭବ ଅଗ୍ରୱାଲ ୩ଟି, ସରଶଂ ଜେନ୍ ଦୁଇଟି ଓ କୁମାର କାର୍ତ୍ତିକେୟ ଗୋଟିଏ ୱିକେଟ୍ ସଫଳତା ହାସଲ କରିଥିଲେ । ମୁମ୍ବାଇ ୧୯୩୪-୩୫ ରଣଜୀ ସିଜନ୍ରେ ଅଦ୍ୟାବଧି ୪୧ଥର ଚାମ୍ପିଅନ୍ ହୋଇଥିବା ବେଳେ ୫ଥର ରନର୍ସ ଅପ୍ ହୋଇଥିଲା । ଶେଷଥର ପାଇଁ ୨୦୧୬ ସିଜନ୍ରେ ମୁମ୍ବାଇ ରଣଜୀ ଟ୍ରଫି ଜିତିଥିଲା । ପୂର୍ବର ହୋଲକାର ତଥା ସ୍ୱାଧୀନ ଭାରତର ମଧ୍ୟପ୍ରଦେଶ ଦଳ ୪ଥର ରଣଜୀ ଟ୍ରଫି ହାତେଇଛି । ତେବେ ନାମ ପରିବର୍ତ୍ତନ ଅର୍ଥାତ ମଧ୍ୟପ୍ରଦେଶ ହେବା ପରଠୁ ଦଳ ଆଦୌ ବିଜେତା ହୋଇନାହିଁ । ତେଣୁ ଚଳିତ ସିଜନ୍ରେ ମଧ୍ୟପ୍ରଦେଶ ପାଇଁ ପ୍ରଥମ ରଣଜୀ ଟ୍ରଫି ଟାଇଟଲ ହାତେଇବାର ସୁବର୍ଣ୍ଣ ସୁଯୋଗ ରହିଛି । ୧୯୫୩ରେ ଶେଷଥର ପାଇଁ ହୋଲକାର (ମଧ୍ୟପ୍ରଦେଶ) ଚାମ୍ପିଅନ୍ ହୋଇଥିଲା ।

Comments are closed.