ରଣଜୀ ଟ୍ରଫି ଫାଇନାଲ: ଜୟସ୍ୱାଲଙ୍କ ଅର୍ଦ୍ଧଶତକ, ମୁମ୍ବାଇ ୨୪୮/୫

ବେଙ୍ଗାଲୁରୁ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ (ବିସିସିଆଇ)ର ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିର ଫାଇନାଲ ମୁକାବିଲା ଆରମ୍ଭ ହୋଇଛି । ବେଙ୍ଗାଲୁରୁରେ ଶକ୍ତିଶାଳୀ ମୁମ୍ବାଇ ଓ ମଧ୍ୟପ୍ରଦେଶ ପରସ୍ପରକୁ ଭେଟିଛନ୍ତି । ପ୍ରଥମ ଦିନ ମୁମ୍ବାଇର ରକ୍ଷଣାତ୍ମକ ବ୍ୟାଟିଂ ତଥା ମଧ୍ୟପ୍ରଦେଶର ଶାଣିତ ବୋଲିଂ ଦେଖିବାକୁ ମିଳିଥିଲା । ଷ୍ଟମ୍ପ ଅପସାରଣ ସୁଦ୍ଧା ମୁମ୍ବାଇ ୯୦ ଓଭରରେ ୫ ୱିକେଟ୍‌ ହରାଇ ୨୪୮ ରନ୍‌ କରିଛି । ସର୍ଫରାଜ ଖାନ୍‌ ୪୦ ଓ ସାମ୍‌ସ ମୁଲାନୀ ୧୨ ରନ୍‌ କରି ଅପରାଜିତ ଅଛନ୍ତି ।

ଟସ୍‌ ଜିତି ମୁମ୍ବାଇ ଅଧିନାୟକ ପୃଥ୍ୱୀ ସ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ପୃଥ୍ୱୀଙ୍କ ସହ ଯଶଶଭି ଜୟସ୍ୱାଲ ପାଳି ଆରମ୍ଭ କରିଥିଲେ । ପ୍ରଥମ ୱିକେଟ୍‌ ପାଇଁ ଦୁହିଁଙ୍କ ମଧ୍ୟରେ ୮୭ ରନ୍‌ର ପାର୍ଟନରସିପ୍‌ ହୋଇଥିଲା । ପୃଥ୍ୱୀ ୭୯ ବଲ୍‌ରୁ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୭ ରନ୍‌ କରି ଅନୁଭବ ଅଗ୍ରୱାଲଙ୍କ ଶିକାର ହୋଇଥିଲେ । ଯଶଶଭି ୧୬୩ ବଲ୍‌ରୁ ୭ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୭୮ ରନ୍‌ କରି ପାଭିଲିୟନ ଫେରିଥିବା ବେଳେ ୱାସିମ୍‌ ଜାଫରଙ୍କ ପୁତୁରା ଅର୍ମାନ ଜାଫର ୨୬ ରନ୍‌ କରିଥିଲେ । ସୁଭେଦ ପାର୍କର ୧୮ ଓ ହାର୍ଦ୍ଦିକ ତାମୋର ୨୪ ରନ୍‌ କରିଥିଲେ । ସର୍ଫରାଜ ଖାନ୍‌ ଓ ସାମ୍ସ ମୁଲାନୀଙ୍କ ମଧ୍ୟରେ ଷଷ୍ଠ ୱିକେଟ୍‌ ପାଇଁ ୨୦ ରନ୍‌ର ପାର୍ଟନରସିପ୍‌ ହୋଇଥିଲା । ଦୁହେଁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋର୍‌ ୯୦ ଓଭରରେ ୨୪୮/୫ ରନ୍‌ରେ ପହଞ୍ଚାଇଥିଲେ ।

ସର୍ଫରାଜ ୧୨୫ ବଲ୍‌ରୁ ୩ଟି ଚୌକା ସହାୟତାରେ ଅପରାଜିତ ୪୦ ରନ୍‌ କରିଥିବାବେଳେ ମୁଲାନୀ ୪୩ ବଲରୁ ୧୨ ରନ୍‌ ସଂଗ୍ରହ କରିଥିଲେ । ବୋଲିଂରେ ମଧ୍ୟପ୍ରଦେଶର ଅନୁଭବ ଅଗ୍ରୱାଲ ଓ ସରନ୍ସ ଜେନ୍‌ ଦୁଇଟି ଲେଖାଏଁ ଏବଂ କୁମାର କାର୍ତ୍ତିକେୟ ଗୋଟିଏ ୱିକେଟ୍‌ ସଫଳତା ହାସଲ କରିଥିଲେ । ତିନି ଦଶନ୍ଧି ପରେ ମଧ୍ୟପ୍ରଦେଶ ରଣଜୀ ଟ୍ରଫି ଫାଇନାଲ୍‌ରେ ପ୍ରବେଶ କରିଛି । ଅପରପକ୍ଷରେ ମୁମ୍ବାଇ ୪୫ରୁ ଅଧିକ ଥର ରଣଜୀ ଟ୍ରଫି ଟାଇଟଲ ଜିତିବାର ଗୌରବ ଅର୍ଜନ କରିଛି । ତେଣୁ ଏହି ଫାଇନାଲ୍‌ରେ ମୁମ୍ବାଇ ଆଧିପତ୍ୟ ବିସ୍ତାର କରି ଆଉ ଏକ ଟାଇଟଲ ସଫଳତା ହାତେଇବା ଲକ୍ଷ୍ୟରେ ରହିଛି ।

Govt

Comments are closed.