ବରଗଡ଼ ଜିଲ୍ଲାରେ ମେ’ ୬ରୁ ରବି ଧାନ କିଣା

ବରଗଡ଼ : ଗତଥର କରୋନା କଟକଣା ଭିତରେ ରବି ଧାନ କିଣା ହୋଇଥିଲା । ଚାଷୀଙ୍କୁ ଧାନକଟା ମେସିନ୍‌ ଏବଂ କୃଷି ଶ୍ରମିକ ଯୋଗାଡ଼ କରିବା ମୁସ୍କିଲ ହୋଇପଡ଼ିଥିଲା । ମନ୍ଥର ଉଠାଣ ପ୍ରକ୍ରିୟା ଯୋଗୁଁ ମଣ୍ଡିଗୁଡ଼ିକରେ ଲକ୍ଷାଧିକ ବସ୍ତା ଧାନ ପଡ଼ି ରହିଛି । କରୋନାକୁ ଆଳ ଦେଖାଇ ପ୍ରଶାସନ ନିଜ ମୁଣ୍ଡରୁ ଦୋଷ ଝାଡ଼ି ଦେଲା । ଏବେ ଚାଷବାସ ସ୍ୱାଭାବିକ ସ୍ଥିତିକୁ ପହଞ୍ଚିଛି । ଏହାକୁ ନଜରରେ ରଖି ଆସନ୍ତା ମାସ ୬ ତାରିଖରୁ ରବି ଧାନ କିଣା ଜିଲ୍ଲାରେ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି । ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅତାବିରା ଆର୍‌ଏମସି ଅଧୀନରେ ମେ’ ୬ରୁ, ବରଗଡ଼ ଆର୍‌ଏମସି ଅଧିନରେ ୧୨ରୁ ଏବଂ ପଦ୍ମପୁର ଆର୍‌ଏମସି ଅଧିନରେ ୧୫ ତାରିଖରୁ ଧାନ କିଣା ହେବ ବୋଲି ସ୍ଥିର ହୋଇଛି । ଗତ ଖରିଫ୍‌ ଧାନ ସଂଗ୍ରହ ବେଳେ ପୂର୍ବଭଳି ଟୋକନ୍‌ ବିଭ୍ରାଟ ଲାଗି ରହିଥଲା ।

ଏଥର ରବି ଋତୁରେ ଟୋକନ୍‌ ଅବଧି କମ୍‌ ରହିଥାଏ । ତେଣୁ ଠିକଣା ସମୟରେ ସବୁତକ ଚାଷୀ କିଭଳି ଧାନ ବିକିବେ ତାହା ପ୍ରଶାସନ ପାଇଁ ସବୁଠୁ ବଡ଼ ଆହ୍ୱାନ । ସେହିପରି କାଳବୈଶାଖୀ ଏବଂ କରାମାଡ଼ ଭଳି ପରିସ୍ଥିତି ସାମନା ମଧ୍ୟ କରିବାକୁ ପଡ଼ିବ । ଏଥର ଜିଲ୍ଲାରେ ୧୫୬ଟି ମଣ୍ଡି ଏବଂ କ୍ରୟକେନ୍ଦ୍ରରେ ଧାନ କିଣା ହେବ । ଏଥିରେ ୭୪ଟି ମଣ୍ଡି ଏବଂ ୮୨ଟି କ୍ରୟ କେନ୍ଦ୍ର ସାମିଲ ରହିଛି । ୨୫ଟି ଏସ୍‌ଏଚଜିି ମଧ୍ୟ ଏହି ଧାନକିଣା ପ୍ରକ୍ରିୟାରେ ସାମିଲ ହେବେ । ଆନୁମାନିକ ୫୬ ହଜାର ଚାଷୀ ଏଥର ଧାନ ବିକିବେ । ଅନ୍ୟପକ୍ଷରେ ମଣ୍ଡିରେ ଧାନ ସୁରକ୍ଷିତ ରଖିବା ପାଇଁ ଗୁରୁିତ୍ୱ ଦିଆଯାଇଛି । ଯଥାଶୀଘ୍ର ମଣ୍ଡିରୁ ଧାନ ଉଠାଇବା ବ୍ୟବସ୍ଥା ହେବ ବୋଲି ସ୍ଥିର ହୋଇଛି ।

Govt

Comments are closed.