ଦିଲ୍ଲୀ: ଋଷ-ୟୁକ୍ରେନ୍ ମଧ୍ୟରେ ଲାଗିଥିବା ଯୁଦ୍ଧ ଓ କରୋନା ମହାମାରୀ ଯୋଗୁଁ ଋଷର ଜନସଂଖ୍ୟା କମିବାକୁ ଲାଗିଲାଣି । ଏଣୁ ଜନସଂଖ୍ୟା ବଢ଼ାଇବା ପାଇଁ ଋଷର ରାଷ୍ଟ୍ରପତି ଭ୍ଲାଡମିର ପୁଟିନ ଏକ ନୂଆ ଯୋଜନା ପ୍ରସାର କରିଛନ୍ତି । ଯୋଜନା ଅନୁସାରେ, ଜଣେ ମହିଳା ୧୦ଟି ଲେଖାଏଁ ସନ୍ତାନ ଜନ୍ମ କଲେ ରାଷ୍ଟ୍ରପତି ପୁଟିନ୍ ଅର୍ଥ ପ୍ରଦାନ କରିବେ । ଏନେଇ ଋଷୀୟ ରାଜନୀତି ଏବଂ ନିରାପତ୍ତା ବିଶେଷଜ୍ଞ ଡା. ଜେନି ମାଥର୍ସ ସୂଚନା ଦେଇଛନ୍ତି । ଯୋଜନାର ନାମ ରଖାଯାଇଛି ‘ମଦର୍ ହିରୋଇନ୍’ । ରାଷ୍ଟ୍ରପତି ପୁଟିନ୍ କହିଛନ୍ତି କି, ଯେଉଁ ଲୋକମାନଙ୍କର ପରିବାର ବଡ଼, ସେମାନେ ଖୁବ୍ ଦେଶପ୍ରେମୀ ଏବଂ ସେମାନେ ‘ମଦର୍ ଋଷିଆ‘ ପ୍ରତି ଅଧିକ ନିବିଡ଼ ହେବେ ।
ଏକ ସାକ୍ଷାତକାରରେ ମାଥର୍ସ କହିଛନ୍ତି ଯେ, ‘ମଦର୍ ହିରୋଇନ୍’ ଯୋଜନାରେ ୧୦ଜଣ ପିଲାଙ୍କୁ ଜନ୍ମ ଦେଇ ଲାଳନପାଳନ କରିବା ଲାଗି ଜଣେ ମହିଳାଙ୍କୁ ଏକକାଳୀନ ୧ ନିୟୁତ ରୁବେଲ୍ (ରୁଷୀୟ ମୁଦ୍ରା) ଭାରତୀୟ ମୁଦ୍ରା ଅନୁସାରେ ୧୩ ଲକ୍ଷ ୧୨ ହଜାରରୁ ଅଧିକ ଅର୍ଥ ପ୍ରଦାନ କରାଯିବ । ବିଶେଷ କଥା ହେଲା ଯୋଜନାର ସର୍ତ୍ତ ହେଉଛି ଯେ, ୧୦ମ ସନ୍ତାନଟିକୁ ବର୍ଷେ ପୂରିଲେ ଏବଂ ଆଗରୁ ଜନ୍ମିଥିବା ୯ଜଣ ସନ୍ତାନ ଯଦି ବଞ୍ଚଛନ୍ତି, ତେବେ ଯାଇ ଘୋଷିତ ଅର୍ଥ ପ୍ରଦାନ କରାଯିବ ।
ସେ ଆହୁରି ମଧ୍ୟ କହିଛନ୍ତି, ୧୯୯୦ ମସିହାରୁ ଋଷ୍ର ଜନସଂଖ୍ୟାରେ ସଙ୍କଟ ଦେଖାଯାଉଛି । ଏଥସହ ୟୁକ୍ରେନ୍ ଆକ୍ରମଣ ଏବଂ କରୋନା ମହାମାରୀ ବାସ୍ତବରେ ଋଷ୍ର ଜନସଂଖ୍ୟାକୁ ଆହୁରୀ ସଙ୍କଟରେ ପକାଇଛି । ତେଣୁ, ଅଧିକ ସନ୍ତାନସନ୍ତତି ଜନ୍ମ କରି ବଡ଼ ପରିବାର ଗଠନ କରିବା ଲାଗି ଏହି ଯୋଜନାରେ ଋଷୀୟ ମହିଳାଙ୍କୁ ଉତ୍ସାହିତ କରାଯିବାର ଉଦ୍ୟମ ଚାଲିଛି ।

Comments are closed.