ଦୀପାବଳିରେ ଶ୍ରୀମନ୍ଦିର ବନ୍ଦ: ମନ୍ଦିର ଚତୁପାଶ୍ୱର୍ରେ ୧୪୪ ଧାରା

ପୁରୀ: ନଭେମ୍ବର ୦୧: ଆସନ୍ତା ୪ ତାରିଖରେ ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ ସକାଶେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ଧାରା ଜାରି ହେବ । ପରମ୍ପରା ଅନୁସାରେ ଭକ୍ତିମାନେ ବଡବଡିଆ ଡାକିବା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇ କାଉଁରିଆ କାଠି ଜାଳିବେ ନାହିଁ ବୋଲି କଟକଣା ରହିଛି । ଏନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।

ସେହିପରି କାଳିପୂଜା ଅବସରରେ ୪ ଓ ୫ ତାରିଖରେ ବୀରଗୋବିନ୍ଦପୁର ସ୍ଥିତ ଦକ୍ଷିଣକାଳୀ ପୀଠରେ ୧୪୪ଧାରା ଜାରି କରାଯିବ । ଅନ୍ୟପକ୍ଷରେ , ଆଜିଠାରୁ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି । ନୂତନ ମାର୍ଗଦର୍ଶିକା ଅନୁଯାୟୀ ପୁରୀବାସୀ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯିବେ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଏଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଏହା ସହ ଦୁଇଟି କିଓସ୍କ କରାଯାଇଛି । ପୁରୀ ବାସିନ୍ଦା ଦୁଇଟି ଡୋଜ କୋଭିଡ୍‌ ଟିକା କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।

ପୁରୀବାସୀଙ୍କ ପାଇଁ ଜଗା ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ନିୟମ କରାଯାଉ ବୋଲି ବାରମ୍ବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇଆସୁଥିଲା । ତେବେ ପୁରୀ ପ୍ରଶାସନ ଏହାକୁ ନଜରରେ ରଖି ଆଜିଠାରୁ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.