ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ୧୦୦ ରୁ ଅଧିକ ମୃତ

ନୂଆଦିଲ୍ଲୀ : ଆଜି ସକାଳୁ ଦକ୍ଷିଣ ତୁର୍କୀ ଓ ସିରିଆରେ ହୋଇଛି ଶକ୍ତିଶାଳୀ ଭୂମିକମ୍ପ I ଏଥିରେ ଅନେକ ଅଟ୍ଟାଳିକା ଧ୍ୱସ୍ତ ହେବା ସହିତ ୧୦୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ସମୟ ଭୋର ୪ ଟା ୧୭ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୮ ରେକର୍ଡ କରାଯାଇଛି I ଏପର୍ଯ୍ୟନ୍ତ ଅନେକ ଲୋକ ଧ୍ବଂସ ସ୍ତୂପ ତଳେ ପୋତି ହୋଇ ରହିଥିବା ଜଣା ପଡିଛି I ତେଣୁ ମୃତ୍ୟୁ ସଂଖ୍ୟା ଅଧିକ ବୃଦ୍ଧି ପାଇ ପା‌ରେ ବୋଲି ଆଶଙ୍କା କରାଯାଉଛି I ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ରାଜଧାନୀ ଆନକାରା ସମତେ ଅନେକ ସହରରେ ଭୂକମ୍ପ ଅନୁଭୂତ ହୋଇଛି । ଏତେ ଜୋରରେ କମ୍ପନ ହୋଇଥିଲା ଯେ ବଡ଼ ବଡ଼ ବିଲଡିଂ ଓ ଆର୍ପାଟମେଣ୍ଟ ଭୁଶୁଡି ପଡିଛି । ତୁର୍କୀର ରାଷ୍ଟ୍ରାୟତ ଗଣମାଧ୍ୟମ ଅନୁସାରେ, ୫୩ଜଣଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ ସୁନିଶ୍ଚିତ କରିଛନ୍ତି। ସେଥିରୁ ମାଲାତ୍ୟା ପ୍ରଦେଶରେ ୨୩, ସାନ୍‌ଲ୍ୟୁର୍ଫାରେ ୧୭, ଦିୟାର୍‌ବକିର୍‌ରେ ୬ଜଣ ଓ ଓସ୍‌ମାନିୟେରେ ୫ଜଣଙ୍କର ମୃତ୍ୟୁ ଘଟିଛି। ଆନ୍ତର୍ଜାତିକ ସହାୟତା ପାଇଁ ନିବେଦନ କରି ତୁର୍କୀର ସରକାରୀ ଅଧିକାରୀମାନେ ‘ଲେଭେଲ୍‌ ୪ ଆଲାର୍ମ’ ଘୋଷଣା କରିଛନ୍ତି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଚିତ୍ର ଦର୍ଶାଉଛି କେତେ ବିଧ୍ୱଂସକାରୀ ହୋଇଥିବ ଭୂମିକମ୍ପ । ବିଲ୍ଡିଂ ତଳେ ବହୁ ଲୋକ ଫସି ରହିଥିବା ସୂଚନା ମିଳିଛି । ଭୂକମ୍ପ ପରେ ଦେଶରେ ଜାରି ହୋଇଛି ହାଇଆଲର୍ଟ । ପ୍ରବଳ କ୍ଷୟକ୍ଷତି ଆଶଙ୍କା କରାଯାଉଛି।

ଆଜି ସକାଳେ ପ୍ରଥମ ଝଟକାର ୧୫ ମିନିଟ୍ ପରେ ସେଠାରେ ଆଉ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୬.୭ ରହିଥିଲା। ଭୂକମ୍ପ ଦ୍ୱାରା ତୁର୍କୀର ଗାଜିଆନଟେପ ସର୍ବାଧିକ ପ୍ରଭାବିତ ହୋଇଛି। ଏହା ତୁର୍କୀର ଅନ୍ୟତମ ପ୍ରମୁଖ ଶିଳ୍ପାଞ୍ଚଳ। ଏହା ସିରିୟା ସୀମାକୁ ଲାଗି ରହିଛି।

ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏରଦଗାନ୍ ଟ୍ୱିଟରରେ କହିଛନ୍ତି ଯେ ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ସର୍ଚ୍ଚ ଓ ଉଦ୍ଧାରକାରୀ ଦଳ ପଠାଯାଇଛି। ସର୍ଚ୍ଚ ଏବଂ ଉଦ୍ଧାରକାରୀ ଦଳ ନିରନ୍ତର କାର୍ୟ୍ୟ କରୁଛନ୍ତି ବୋଲି ଏରଡାନ କହିଛନ୍ତି। ଆଶା କରାଯାଉଛି ଯେ ଆମେ ଏହି ବିପର୍ୟ୍ୟୟର ଯଥାଶୀଘ୍ର ଏବଂ ସର୍ବନିମ୍ନ କ୍ଷତି ସହ ମୁକାବିଲା କରିବୁ ।

ସେହିପରି ଉତ୍ତରାଞ୍ଚଳ ସିରିୟାରେ ଅନ୍ୟୂନ ୪୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅଲେପ୍ପୋରେ କେତେଗୁଡ଼ିଏ ଅଟ୍ଟାଳିକା ଧରାଶାୟୀ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। କମ୍ପନ ଏତେ ତୀବ୍ର ଥିଲା ଯେ, ସୁଦୂର ଲେବାନନ୍‌ ଓ ସାଇପ୍ରସ୍‌ରେ ମଧ୍ୟ ତାହା ଅନୁଭୂତ ହୋଇଥିଲା।

୧୯୯୯ ରେ ତୁର୍କୀରେ ୭.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ଯାହାକି ୩୦ ସେକେଣ୍ଡ ପର୍ଯ୍ୟନ୍ତ ଚାଲିଥିଲା I ଏଥିରେ ୧୭,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ପ୍ରାୟ ୫୦୦୦ ଲୋକ ଆହତ ହୋଇଥିଲେ। । ସେମାନଙ୍କ ମଧ୍ୟରେ ଇସ୍ତାନବୁଲରେ ପ୍ରାୟ ୧୦୦୦ ଲୋକ ଥିଲେ। ଏକ ବଡ଼ ଭୂକମ୍ପ ଇସ୍ତାନବୁଲକୁ ନଷ୍ଟ କରିପାରେ ବୋଲି ବିଶେଷଜ୍ଞମାନେ ଦୀର୍ଘ ଦିନ ଧରି ଚେତାବନୀ ଦେଇଛନ୍ତି।

Launching Ceremony of “AYUSHMAN BHARAT

Comments are closed.