ବୁର୍ଲା : ପୁଣି ବୁର୍ଲା ପାୱାର ଚାନେଲରେ ଅଘଟଣ I ପ୍ରଥମ ଥର ପାଇଁ ପ୍ରେମିକଙ୍କ ଦେଖା କରିବାକୁ ଯାଇଥିବା ବେଳେ ବୁର୍ଲା ଥାନା ଅନ୍ତର୍ଗତ ୧୮ ହଜାର ପାୱାର ଚାନେଲରେ ଭାସିଯାଇ ଜଣେ ଛାତ୍ରୀ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ଯୁବତୀଙ୍କର କୌଣସି ପତ୍ତା ମିଳିନାହିଁ। ଆଜି ସକାଳେ ମଧ୍ୟ ଅଗ୍ନିଶମବାହିନୀ ଯୁବତୀଙ୍କୁ ଖୋଜାଖୋଜି କରୁଛନ୍ତି। ନିଖୋଜ ଛାତ୍ରୀଙ୍କ ନାଁ ନିଶା ଝା I ହୋଇଥିବାବେଳେ ତାଙ୍କ ଘର ଝାରସୁଗୁଡ଼ା ଜିଲ୍ଲାରେ। ସେ ରାଉରକେଲାରେ BBA ପଢୁଥିଲେ ।
ସୂଚନା ଅନୁସାରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇଂରାଜୀ ଅନର୍ସ ଦ୍ୱିତୀୟ ବର୍ଷର ଜଣେ ଛାତ୍ରଙ୍କ ସହ ରାଉରକେଲାର ଏକ ଘରୋଇ ଅନୁଷ୍ଠାନରେ ବିବିଏ ପାଠ ପଢ଼ୁଥିବା ଝାରସୁଗୁଡ଼ା ଅଞ୍ଚଳର ନିଶା ଝା’ଙ୍କର ତିନି ସପ୍ତାହ ତଳେ ଇନ୍ଷ୍ଟାଗ୍ରାମରେ ବନ୍ଧୁତା ହୋଇଥିଲା। ଆଜି ପ୍ରଥମ ଥର ପାଇଁ ନିଶା ସମ୍ୱଲପୁର ସହର ଜଗନ୍ନାଥ କଲୋନୀସ୍ଥିତ ଭଉଣୀ ଘରକୁ ଆସିଥିବା ବେଳେ ଛାତ୍ରଙ୍କ ସହ ଏକ ସ୍କୁଟି ସାହାଯ୍ୟରେ ୧୮ ହଜାର ପାୱାର କେନାଲ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ। ଉଭୟେ ପାୱାର ଚ୍ୟାନେଲ ସାଇଫନ ତଳେ ବସି ଉଭୟ କଥା ହେଉଥିଲା ବେଳେ ହଠାତ ସାଇଫନରୁ ଉଚ୍ଚ ଚାପରେ ଜଳ ନିଷ୍କାସନ ହୋଇଥିଲା। ଯୁବତୀ ଜଣଙ୍କ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ି ଭାସି ଯାଇଥିଲେ। ଘଟଣାର ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କୁ ଘଟଣାକ୍ରମ ବାବଦରେ ପଚରା ଉଚୁରା କରିଛି। ତେବେ ପର୍ସ ସହ ନିଜେ ନିଶା ଭାସିଯାଇଥିବା ବେଳେ ନିଶାଙ୍କ ମୋବାଇଲଟି ଛାତ୍ରଙ୍କ ହାତରେ ରହିଥିବା ଦେଖିବାକୁ ମିଳିଛି। ଛାତ୍ରଙ୍କ ଘର ଧନୁପାଲିରେ ବୋଲି ଜଣ ପଡିଛି I ବର୍ତ୍ତମାନ ସୁଦ୍ଧା ନିଖୋଜ ଯୁବତୀଙ୍କ ପତ୍ତା ମିଳିନାହିଁ।

Comments are closed.