ବରଗଡ଼ : ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା । ବିଜୟ ରଞ୍ଜନ ଙ୍କ ପରଲୋକ ସମ୍ପର୍କରେ ତାଙ୍କ ପୁଅ ବ୍ରଜରାଜ ବରିହା ସୂଚନା ଦେଇଛନ୍ତି I
ସୂଚନାନୁସାରେ ବିଜୟ ରଞ୍ଜନ ସିଂହ ବରିହା ଅନେକ ଦିନରୁ କିଡନୀ ସହିତ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ । ସେଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଙ୍କ ଉଦ୍ୟମ ସତ୍ତ୍ୱେ ତାଙ୍କ ଅବସ୍ଥାରେ କିଛି ଉନ୍ନତି ଆସି ନଥିଲା । ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ତାଙ୍କର ଦେହାନ୍ତ ହୋଇଥିଲା। ସ୍ୱର୍ଗତଃ ବରିହାଙ୍କ ମରଶରୀରକୁ ପ୍ରଥମେ ବିଧାନସଭା ପରିସରକୁ ନିଆଯିବ। ତା’ପରେ ଦଳୀୟ ଅଫିସ୍କୁ ନିଆଯିବ। ସେଠାରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଦେବା ପରେ ମରଶରୀରକୁ ପଦ୍ମପୁର ନିଆଯିବ ଓ ସେଠାରେ ଶେଷକୃତ୍ୟ ସଂପନ୍ନ କରାଯିବାର କାର୍ଯ୍ୟକ୍ରମ ରହିଛି।
ବିଜୟ ରଞ୍ଜନ ଜଣେ ଦକ୍ଷ ରାଜନେତା ଭାବେ ପରିଚିତ । ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ ବିଜୟ ରଞ୍ଜନ ସିଂହ ବରିହା । ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ବିଧାୟକ ହୋଇଥିଲେ । ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ଲଗାତର ବିଜେଡିରୁ ବିଧାୟକ ହୋଇଥିଲେ । ୨୦୧୯ରେ ପୁଣି ଥରେ ବିଜେଡିରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ସରକାରରେ ୨୦୦୯ରେ ହରିଜନ- ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ I ତାଙ୍କର ଅକାଳ ବିୟୋଗରେ ପଦ୍ମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Comments are closed.