କଟକ : ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ ମାମଲା । ହାଇକୋର୍ଟଙ୍କ ନିର୍ଦେଶକ୍ରମେ ସୋମବାର ୨୦୨୩ – ପଦ୍ମଶ୍ରୀ ମାମଲାରେ ଭୁବନେଶ୍ୱର ବ୍ରହ୍ମେଶ୍ୱରପାଟଣାର ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର ଅଦାଲତରେ ବ୍ୟକ୍ତିଗତ ଉପସ୍ଥିତ ହୋଇ ଜବାବ ଦାଖଲ କରିଛନ୍ତି । ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର ନିଜର କୃତୀ ୨୯ ଟି ପୁସ୍ତକ ବିଚାରପତିଙ୍କୁ ଦେଖାଇଥିଲେ । କିନ୍ତୁ ପଦ୍ମଶ୍ରୀ ସମ୍ମାନ ପାଇଥିବା ଢେଙ୍କାନାଳର ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ର ନିଜେ ହାଜର ନହୋଇ ଓକିଲଙ୍କ ଜରିଆରେ ପକ୍ଷ ରଖିବାକୁ ଆବେଦନ କରିଥିଲେ । ବିଚାରପତି ଜଷ୍ଟିସ୍ ଏସ୍.କେ.ପାଣିଗ୍ରାହୀ ଏହି ଆବେଦନକୁ ଅଗ୍ରାହ୍ୟ କରିଛନ୍ତି । ଉଭୟଙ୍କୁ ହାଜର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ପ୍ରତିପକ୍ଷ ୨୦୨୩ ର ପଦ୍ମଶ୍ରୀ ଗ୍ରହଣ କରିଥିବା ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ହାଜର ହୋଇ ନାହାନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ହାଜର ହୋଇ ପାରି ନଥିବା ଦର୍ଶାଇବା ସହିତ ହାଜର ହୋଇ ନିଜର କୃତୀ ଦର୍ଶାଇବା ପାଇଁ ସମୟ ନେଇଛନ୍ତି ।
ଆସନ୍ତା ମାର୍ଚ୍ଚ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତା ପୂର୍ବରୁ ପ୍ରତିପକ୍ଷ ନିଜର ସାହିତ୍ୟ କୃତୀ ଦର୍ଶାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ହୋଇଛି ।
ସୂଚନାନୁସାରେ,ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ବିଶିଷ୍ଟ ସାହିତ୍ୟିକ ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ୨୦୨୩ରେ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା । ଏହାକୁ ବିରୋଧ କରି ଭୁବନେଶ୍ୱର ବ୍ରହ୍ମେଶ୍ୱରପାଟଣାର ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ହିଁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିଲେ, କିନ୍ତୁ ତାଙ୍କ ନାମଧାରୀ ଅନ୍ୟ ଜଣେ ଏହି ସମ୍ମାନ ହାତେଇ ନେଇଛନ୍ତି ବୋଲି ଆବେଦନକାରୀ ଅଦାଲତଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ହାଇକୋର୍ଟ ଗତ ୧୧ ତାରିଖରେ ମାମଲାର ପ୍ରାଥମିକ ଶୁଣାଣି କରି ସରକାରଙ୍କୁ ନୋଟିସ୍ କରିବା ସହ ଉଭୟପକ୍ଷଙ୍କୁ ୨୪ ତାରିଖ ଅପରାହ୍ଣ ୨ଟାରେ ଅଦାଲତରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୨୩ ମସିହା ପାଇଁ ସାହିତ୍ୟ କ୍ଷେତ୍ରରେ କୃତିତ୍ବ ଲାଗି ପଦ୍ମଶ୍ରୀ ପୁରସ୍କାର ନେଇ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ନାଁ ଘୋଷଣା ହୋଇଥିଲା । ଅନ୍ତର୍ଯ୍ୟାମୀ ମିଶ୍ର ନାମକ ଜଣେ ସ୍ତମ୍ଭକାର ଏହି ପୁରସ୍କାର ଗ୍ରହଣ କରିଥିଲେ । ତେବେ ସେ ପ୍ରକୃତ ଅନ୍ତର୍ଯ୍ୟାମୀ ମିଶ୍ର ନୁହନ୍ତି ବୋଲି ହାଇକୋର୍ଟରେ ଏକ ପିଟିସନ କରିଥିଲେ ଅନ୍ତର୍ଯ୍ୟାମୀ ମିଶ୍ର ନାମକ ଜଣେ ଡାକ୍ତର ।

Comments are closed.