ବିଶ୍ୱାସ

ସୁଦର୍ଶନ ମହାପାତ୍ର, କୁଞ୍ଜବିହାରୀ ଲେନ, କଟକ ମୋ-୯୪୩୮୧୭୫୫୪୨

ଦୁଇ ଦିନ ପରେ ବାହାଘର । ଶୁଭା ମନରେ ଖୁସି ନାହିଁ । ସତ୍ୟର ଭଲ ପାଇବାକୁ ଅଗ୍ରାହ୍ୟ କରି ସେ ଅନ୍ୟ କେଉଁଠି ବାହା ହେବାକୁ ଚାହେଁନା ବୋଲି କହି ସାରିଥିଲେ ବି ଘରେ ତା’ କଥା ଶୁଣିବାକୁ କେହି ବି ପ୍ରସ୍ତୁତ ନୁହଁନ୍ତି । ସତ୍ୟ ପାଖରେ ବହୁତ ପଇସା ନଥିଲେ ବି ଖୁବ୍‌ ଉତ୍ତମ ସ୍ୱଭାବର । ଏପର୍ଯ୍ୟନ୍ତ ଚାକିରି ନପାଇଥିଲେ ବି ଦିନେ ନା ଦିନେ ସେତକ ଯୋଗାଡ କରିଦେବ ବୋଲି ଶୁଭାର ଅଖଣ୍ଡ ବିଶ୍ୱାସ ।
ସତ୍ୟ ସହିତ ପ୍ରଥମେ ଦେଖା ହୋଇଥିଲା ମନ୍ଦିର ପାଖରେ । ଦୀପଟିଏ କିଣିବାକୁ ଖୁଚୁରା ଟଙ୍କା ନେଇ ଦୋକାନୀ ସହିତ ଶୁଭାର ବାର୍ତ୍ତାଳାପରୁ ସବୁକଥା ବୁଝିପାରି, ଦୋକାନୀକୁ ନିଜ ଆଡୁ ଦୁଇଟି ଦୀପର ପଇସା ଦେଇ ସେଥିରୁ ଗୋଟିଏ ହସି ହସି ଶୁଭା ହାତକୁ ବଢାଇ ଦେଲା । ଏମିତି ଏକ ପରିସ୍ଥିତିରେ କ’ଣ କରିବ ବୋଲି ଥତମତ ହେଲା ଶୁଭା ।

-ମୁଁ ଜାଣେ ଅନ୍ୟ କାହା ପଇସାରେ ଦୀପ କିମ୍ବା ଭୋଗ ଲଗା ଯାଏନା । ପର ସୋମବାର ଦିନ ମୋର ପାଉଣା ଫେରେଇ ଦେବ, ହେଲା । ଶୁଭା କିଛି କହିବା ପୂର୍ବରୁ ସମସ୍ୟାର ସମାଧାନ କରିଦେଲା ସତ୍ୟ । ମନ୍ଦିରରୁ ବାହାରିଲା ବେଳକୁ ସ୍ତ୍ରୀ ଲୋକଟିଏ ସତ୍ୟ ବାଇକ୍‌ ପଛରେ ବସି ଯାଉଥିବାର ଶୁଭା ନଜରରେ ପଡିଲା । ସତକୁ ସତ ପର ସୋମବାର ଦିନ ମନ୍ଦିର ପାଖ କନିଅର ଗଛ ମୂଳେ ସତ୍ୟକୁ ଆବିଷ୍କାର କଲା ଶୁଭା । ପଇସା ଫେରେଇ ବାକୁ ହାତ ବଢାଇବା ବେଳକୁ ଆରେ, ମୁଁ ଦୀପ ଦେଇଥିଲି, ମୋତେ ଦୀପ ଫେରେଇବ । ହଁ, ମୋ ନାଁ ସତ୍ୟ । ସତ୍ୟ ସ୍ୱରୂପ ମିଶ୍ର ହସି ହସି କହିଥିଲା ଖୁବ୍‌ ସାବଲୀଳ ଭାବରେ ।
-ଆଛା ସତ୍ୟ ବାବୁ, ସେଦିନ ଆପଣଙ୍କ ଗାଡ଼ିରେ କ’ଣ ଭାଉଜ ବସିଥିଲେ ? ଆଜି ଆସି ନାହାନ୍ତି କି !

– ହଁ, ଠିକ୍‌ କହିଛ । ସେ ମୋ ଭାଉଜ । ଆଜି ଆସି ନାହାନ୍ତି । ଶୁଭାକୁ ଉତ୍ତର ଫେରେଇଲା ସତ୍ୟ । ସେଇଠୁ ସେମାନେ ପରସ୍ପର ବିଷୟରେ କିଛି ଆଳାପ ଆଲୋଚନା କଲେ । କ୍ରମେ ସେମାନଙ୍କ ମଧ୍ୟରେ ଆହୁରି ଅନ୍ତରଙ୍ଗତା ବଢ଼ି ଯାଇଥିଲା । କେତେ ଥର ଶୁଭାକୁ ବାଇକ୍‌ରେ ବସେଇ ଘରଠାରୁ ଅଳ୍ପ ଦୂରରେ ଛାଡି ଆସିଛି ସତ୍ୟ । ହେଲେ କେବେ ବି ଶୁଭା ଦେହକୁ ଅଯଥା ଛୁଇଁବାକୁ ଚେଷ୍ଟା କରିନି । ଖୁବ୍‌ ସୁଧାର ଏବଂ ସଞ୍ଜତ ସେ । ଶୁଭା ମନକୁ ଦିନକୁ ଦିନ ଆବିଷ୍ଟ କରି ରଖିଲା ସତ୍ୟର କଥାବାର୍ତ୍ତା ଏବଂ ବ୍ୟବହାର କହିଲେ ଅତୁ୍ୟକ୍ତି ହେବ ନାହିଁ । ତା ପ୍ରତି ଖୁବ୍‌ ବିଶ୍ୱାସ ଏବଂ ଭରସା ଆସି ଯାଇଥିଲା ଶୁଭା ମନରେ ।

ପ୍ରଭା ଦିଦିର ଡାକରେ ଶୁଭା ଭାବନା ରାଜ୍ୟରୁ ଫେରି ଆସିଲା । ଆ, ଗହଣା ସବୁ ଦେଖିବୁ ଶୁଭା । ଦିଦିର ସ୍ୱର ଶୁଭୁଥିଲା ଆର ଘରୁ । କେତେ ଦିନ ଆଗରୁ ଶାଶୁଘରୁ ଆସି ମାଆ ସହିତ ମିଶି ଶୁଭା ବାହାଘର ପାଇଁ ଲାଗି ପଡିଛି ଏଇ ଦିଦି । ଶୋଭା ଶୋଇଥିବାର ଛଳନା କରି ବିଛଣାରେ ସେମିତି ପଡି ରହିଲା । ଗହଣା ଦେଖିବାକୁ ତା ମନରେ ସରାଗ ନାହିଁ । ହଠାତ୍‌ ମୁଣ୍ଡରେ ବୁଦ୍ଧିଟିଏ ଉଙ୍କି ମାରିଲା । ସତ୍ୟକୁ ଫୋନ୍‌ ଲଗାଇଲା ।- ଶୁଣ, ତୁମ ବିନା ମୁଁ ବଞ୍ଚି ପାରିବି ନାହିଁ । ତୁମେ କହୁଥିଲ ନା ପଇସା କିଛି ଯୋଗାଡ କଲେ ହାତଛଡ଼ା ହୋଇ ଯାଉଥିବା ଚାକିରି ତୁମର ହୋଇଯିବ ବୋଲି । ତୁମ ପ୍ରତି ମୋର ଅଗାଧ ବିଶ୍ୱାସ ଅଛି । ବାହାଘର ପାଇଁ କିଣା ହୋଇଥିବା ଗହଣା ସବୁ ଆଉ ପଇସା କିଛି ଧରି କାଲି ସକାଳୁ ମନ୍ଦିର ପାଖରେ ପହଞ୍ଚିବି । ଆମେ କେଉଁଆଡେ ପଳେଇବା । ନହେଲେ ସେମାନେ ମୋ ବାହାଘର କରାଇ ଦେବେ । ପ୍ଲିଜ, ନିଶ୍ଚୟ ଆସିବ !
ହେଉ ତୁମର ଯାହା ଇଚ୍ଛା ! ଶୁଭିଥିଲା ସତ୍ୟର ଭିଜିଲା ସ୍ୱର ।

ପରଦିନ ସକାଳକୁ ସତ୍ୟ ଆଗତୁରା ଆସି ମନ୍ଦିର ପାଖରେ ଠିଆ ହୋଇଥିଲା । ଶୁଭା ହାତରୁ ବ୍ୟାଗଟିକୁ ନେଇ ଗାଡ଼ି ପାଖକୁ ଆସିଲା ।- ଶୁଭା ! ତୁମର ସୁଭବିଷ୍ୟତ ପାଇଁ ଠାକୁରଙ୍କୁ କିଛି ଯାଚନା କରିବନି ! ଆଶୀର୍ବାଦ ନେବନି ? ଏଇ ଘଡିସନ୍ଧି ମୂହୂର୍ତ୍ତରେ ବି ସତ୍ୟ କଥାରେ ଶୁଭା ଟିକେ ହସିଲା । ମନ୍ଦିର ଆଡକୁ ପାଦ ବଢେଇ ଶୁଭା ମନେ ମନେ ଭାବୁଥିଲା ସତରେ ଏବେ ସେଇ ଠାକୁର ହିଁ ଏକମାତ୍ର ଭରସା ।
ମନ୍ଦିରରୁ ବାହାରି ଶୁଭା ଦେଖିଲା ସତ୍ୟ ସେ ଜାଗାରେ ନାହିଁ ହେଲେ ଗୋଟିଏ କଡକୁ ତା’ର ଖୋଲା ବ୍ୟାଗଟା ପଡିଛି । ଗହଣା ଆଉ ଟଙ୍କା ଛଡା ବ୍ୟାଗରେ ସବୁ ଜିନିଷ ସେମିତି ରହିଛି । ମୁଣ୍ଡରେ ହାତ ଦେଇ ଲଥ କରି ବସି ପଡିଲା ସେଇଠି । ଏମିତି ଅଧଘଣ୍ଟାଏ ବିତିଗଲା । ଏବେ କ’ଣ କରିବ ସେ !

ଭାଗ୍ୟକୁ ତା ଭେନିଟ ବ୍ୟାଗରେ ମୋବାଇଲ ଆଉ ଟଙ୍କା କିଛି ରହି ଯାଇଥିଲା । ଫୋନ୍‌ କରିବାକୁ ଚେଷ୍ଟା କଲା । ଆଶାନୁଯାୟୀ ସତ୍ୟର ଫୋନ୍‌ ସୁଇଚ ଅଫ୍‌ ଅଛି । ରିକ୍ସାଟିଏ ନେଇ ଥରେ ଦୂରରୁ ସତ୍ୟ ଦେଖାଇ ଥିବା ତାଙ୍କ ଘରକୁ ଖୋଜିବାକୁ ଗଲା । ସେଇଠି ପହଞ୍ଚି ସତ୍ୟ ସହ ସେଲଫି ନେଇଥିବା ଫଟୋରୁ ସତ୍ୟକୁ ଏବଂ ତାଙ୍କ ଘରକୁ ଆବିଷ୍କାର କରିବାକୁ ଚେଷ୍ଟା କଲା । ଶେଷରେ ସେ ସଫଳ ବି ହେଲା । ହେଲେ ସତ୍ୟ ନିଜ ଘର ନୁହେଁ, ଭଡାଘରେ ରହୁଥିଲା ବୋଲି ଲୋକମାନଙ୍କ ଠାରୁ ଜାଣିଲା । ତଥାପି ତା ମନରେ ଆଶାର କିରଣଟିଏ ଯେମିତି ଉଙ୍କି ମାରିଲା । ସେତେବେଳକୁ ସୂର୍ଯ୍ୟ ବି ଚାରିଆଡେ ତୋଫା ଆଲୁଅ ବିଛେଇ ଦେଲେଣି ।
ଠିକ୍‌ ଜାଗାରେ ପହଞ୍ଚି ଦେଖିଲା ସେ ଘରେ ତାଲା ଝୁଲୁଛି । ଘର ମାଲିକଙ୍କୁ ଭେଟି ସତ୍ୟ ବିଷୟରେ ପଚାରିଲା । ଏଇ ଟିକିଏ ଆଗରୁ ବାକି ଥିବା ଦୁଇ ମାସର ଘରଭଡା ଟଙ୍କା ଦେଇ ଘର ଛାଡି ସ୍ତ୍ରୀକୁ କେଉଁଆଡେ ଚାଲି ଯାଇଛନ୍ତି ବୋଲି ଜାଣିବାକୁ ପାଇଲା । ଶୁଭା ଭଙ୍ଗାମନ ନେଇ ରିକ୍ସାରେ ବସିଲା ।

– ଭାଗ୍ୟ ଭଲ ତୋ ଜୀବନ ସମ୍ପୁର୍ଣ୍ଣ ନଷ୍ଟ କରିନି ସେ ବଦମାସ୍‌ । ଝିଅ ସାବଧାନ ଥିବୁ । ଆଗରୁ ଜଣେ ଦୁଇ ଜଣ ଝିଅ ଏଇଠୁ କାନ୍ଦି କାନ୍ଦି ଫେରିଛନ୍ତି । ପଛରୁ ଶୁଭିଲା ଘର ମାଲିକଙ୍କ ସ୍ୱର । ତା ସାମ୍ନାରେ ଏବେ ସେଇ ବିଧବା ମା’ର ପଣତ ହିଁ ପତିତପାବନ ବାନା ହୋଇ ଅଭିପ୍ରେତ ହେଲା । କାଲି ସକାଳୁ ବାହାଘର । ମାଆର ହୃଦୟ ତାକୁ କ୍ଷମା କରିଦେବ ବୋଲି ଶୁଭାର ଆଶା ଓ ବିଶ୍ୱାସ ଥିଲା…!!!

Govt

Comments are closed.