ବଲିଉଡରେ ଅନେକ ଷ୍ଟାର କିଡ୍ ବର୍ତ୍ତମାନ ଫିଲ୍ମରେ ଡେବ୍ୟୁ କରିସାରିିଥିବାବେଳେ କିଛି ଅପେକ୍ଷାରେ ଅଛନ୍ତି । ହେଲେ ଏଭଳି କିଛି ଷ୍ଟାର କିଡ ଅଛନ୍ତି ଯେଉଁମାନେ ଲାଇମ ଲାଇଟରୁ ଦୂରରେ ରହି କିଛି ଭିନ୍ନ କ୍ଷେତ୍ରରେ ନିଜର କ୍ୟାରିୟର ଗଢିଛନ୍ତି ଏବଂ ସଫଳ ମଧ୍ୟ ହୋଇଛନ୍ତି । ଏହିଭଳି କିଛି ଷ୍ଟାରକିଡଙ୍କ ଜୀବନ ସମ୍ପର୍କରେ ସ୍ବତନ୍ତ୍ର ଉପସ୍ଥାପନା ।
ସବୁବେଳେ ଦେଖିବାକୁ ମିଳେ ଅଭିନେତାର ପରିବାରରୁ ଆସୁଥିବା ପିଲାମାନେ ମଧ୍ୟ ଏହି କ୍ଷେତ୍ରରେ ହିଁ ନିଜର କ୍ୟାରିୟର ଗଢିବା ଆରମ୍ଭ କରନ୍ତି । ପିଲାଦିନୁ ଫିଲ୍ମ ଦୁନିଆ ସହିତ ଜଡିତ ଏବଂ ବାପା ମାଆଙ୍କର ଷ୍ଟାରଡମକୁ ବ୍ୟବହାର କରି ଏମାନେ ସହଜରେ ଏକ କ୍ୟାରିୟର କରିପାରନ୍ତି ବୋଲି ଅନେକଙ୍କର ମତ ଥାଏ । ହେଲେ ବଲିଉଡରେ ଏଭଳି ମଧ୍ୟ କିଛି ଷ୍ଟାର କିଡ ଅଛନ୍ତି ଯେଉଁମାନେ ଏହି ଉକ୍ତିକୁ ମିଥ୍ୟା ବୋଲି ପ୍ରମାଣିତ କରିଛନ୍ତି । ସେମାନେ କେବଳ ଯେ ଫିଲ୍ମ ଲାଇନରେ ନିଜର କ୍ୟାରିୟର କରିବେ ତାହା ନୁହେଁ ଏହି ଷ୍ଟାରକିଡମାନେ ନିଜ ପସନ୍ଦ ଅନୁସାରେ କ୍ୟାରିୟର ବାଛିବା ସହିତ ଏଥିରେ ସଫଳ ମଧ୍ୟ ହୋଇଛନ୍ତି । ଏହି ତାଲିକା ବେଶ୍ ଲମ୍ବା ରହିଛି । ଏଥିରେ ଅନେକ ସୁପରଷ୍ଟାରଙ୍କର ପୁଅ,ଝିଅ, ନାତି ନାତୁଣୀ ମଧ୍ୟ ରହିଛନ୍ତି, ଯେଉଁମାନେ ଗ୍ଲାମର ଲାଇନ ପରିବର୍ତ୍ତେ ଭିନ୍ନ କ୍ଷେତ୍ରରେ କ୍ୟାରିୟର ଗଢିଛନ୍ତି ।
ଇରା ଖାନ
ନବେଦଶକର ସୁପରଷ୍ଟାର ଆମିର ଖାନ୍ ଓ ଅଭିନେତ୍ରୀ ରୀନା ଦତ୍ତଙ୍କ ଝିଅ ହେଉଛନ୍ତି ଇରା ଖାନ୍ । ବାପା ସୁପରଷ୍ଟାର ହେଲେ ମଧ୍ୟ ଝିଅ କିନ୍ତୁ ଗ୍ଲାମର ଠାରୁ ବହୁ ଦୂରରେ । ଚାହିଁଥିରେ ବାପାଙ୍କ ଷ୍ଟାରଡମକୁ ବ୍ୟବହାର କରି ଆରାମରେ ଗ୍ଲାମର ଲାଇନରେ ଏକ କ୍ୟାରିୟର କିପାରିଥାଆନ୍ତେ, ହେଲେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଫିଲ୍ମ ଲାଇନ ଠାରୁ ସେ ଖୁବ ଦୂରରେ ରହିଛନ୍ତି । ମୁମ୍ବାଇରେ ଜନ୍ମିତ ଇରା ଲାଇମ ଲାଇଟରୁ ଦୂରରେ ନିଜ ଜୀବନ ବଞ୍ଚୁଛନ୍ତି । ମୁମ୍ବାଇରେ ନିଜର ପାଠପଢା ସାରିବା ପରେ ନେଦରଲାଣ୍ଡରେ ଉଚ୍ଚଶିକ୍ଷା ପାଇଁ ଯାଇଥିଲେ । ହେଲେ ସେଠାରୁ କୌଣସି କାରଣରୁ ଅଧା ପାଠରୁ ଘରକୁ ଫେରିଥିଲେ । ଅନେକ ସମୟରେ ବାପାଙ୍କ ସହିତ ତାଙ୍କୁ ଏକାଠି ଦେଖିବାକୁ ମିଳିଥାଏ । ବର୍ତ୍ତମାନ ସେ ଏକ ଖୁବ ସୁନ୍ଦର ବିବାହିତ ଜୀବନ ବଞ୍ଚୁଛନ୍ତି । ତେବେ ଅନେକ ସମୟରେ ବିଭିନ୍ନ ବିବାଦକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ଏପରିକି ତାଙ୍କୁ ଅନଲାଇନ ଅନେକ ଟ୍ରୋଲିଂର ଶିକାର ହେବାକୁ ପଡିଛି । ୨୦୨୪ରେ ସେ ସେଲିବ୍ରିଟି ଫିଟନେସ କୋଚ ନୁପୁର ଶୈଖରଙ୍କୁ ବିବାହ କରିଛନ୍ତି । କ୍ୟାମେରା ଆଗରେ କାମ କରିବାଠୁ ପଛରେ କାମ କରିବାକୁ ସେ ଖୁବ ପ୍ରାଧାନ୍ୟ ଦେଇଥିଲେ । ୨୦୧୭ରୁ ସେ ଫ୍ରିଲାନ୍ସ ସହନିର୍ଦ୍ଦେଶକ ଭାବେ ଅନେକ ବିଜ୍ଞାପନରେ କାର୍ଯ୍ୟ କରିଛନ୍ତି । ୨୦୧୯ରୁ ସେ ଜଣେ ଥିଏଟର ନିର୍ଦ୍ଦେଶକ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ ପ୍ରଥମ ଥିଏଟରରେ ତାଙ୍କ ନିଜ ଭାଇ ଜୁନୈଦ ଖାନଙ୍କୁ ସେ କାଷ୍ଟ କରିଥିଲେ । ୨୦୨୦ରେ ସେ ଫିଲ୍ମ ଆଣ୍ଡ ଟେଲିଭିଜନ ଷ୍ଟୁଡିଓ ଟାଇଗର ବେବିରେ କାମ କରିଛନ୍ତି । ପିଲାଦିନୁ ଡିପ୍ରେସନ ସହିତ ଲଢୁଥିବା ଇରା ୨୦୨୧ରେ ଅଗସ୍ତୁ ନାମରେ ଏକ ଅନୁଷ୍ଠାନ ଗଢିଥିଲେ ଯେଉଁଥିରେ ସେ ମାନସିକ ଅବସାଦରେ ଥିବା ପିଲାଙ୍କ ପାଇଁ କାର୍ଯ୍ୟ କରିଥାଆନ୍ତି । ଅନେକ ସମୟରେ ଖୋଲିଖୋଲି ମାନସିକ ସ୍ବାସ୍ଥ୍ୟ ଉପରେ ଇରା ଖାନ୍ଙ୍କୁ ଆଲୋଚନା କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ ।

ନବ୍ୟା ନବେଲି ନନ୍ଦା
ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଓ ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନଙ୍କ ନାତୁଣୀ ହେଉଛନ୍ତି ନବ୍ୟା ନବେଲି ନନ୍ଦା । କେବଳ ଅଜା ଆଈ ନୁହେଁ ମାମୁ ଅଭିଷେକ ବଚ୍ଚନ ଓ ମାଇଁ ଐଶ୍ବର୍ଯ୍ୟା ରାୟ ମଧ୍ୟ ବଲିଉଡର ଆଗ ଧାଡିର ଅଭିନେତା । ସେହିଭଳି ତାଙ୍କର ବାପାଙ୍କ ଅଜା ହେଲେ ରାଜ କପୁର । ହେଲେ ନବ୍ୟା ବାଛିଛନ୍ତି କ୍ୟାମେରା ପଛର କ୍ୟାରିୟର । ବଡ ପରଦାରେ ଡେବ୍ୟୁ କରିବାର କୌଣସି ଇରାଦା ନଥିବା ସେ ଅନେକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ତେବେ ମଡେଲିଂରେ ରୁଚି ରଖିଛନ୍ତି ନବ୍ୟା । ମଡେଲିଂ ବ୍ୟତିତ ସେ ଅନେକ କାର୍ଯ୍ୟ କରୁଛନ୍ତି ଯାହା ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି । ଫେସବୁକ ମାର୍କେଟିଂ କମ୍ପାନୀରେ କାଲିଫର୍ଣ୍ଣଆରେ ଇଣ୍ଟର୍ନସିପ କରିଥିଲେ । ଏଥିରେ ସେ ପ୍ରଡକ୍ଟ ମାର୍କେଟିଂରେ ସେ ଏହି ଇଣ୍ଟର୍ଣ୍ଣସିପ କରିଥିଲେ । ତେବେ ସେ ସମାଜ ସେବାରେ ଅନେକ ପ୍ରକାର କାର୍ଯ୍ୟ କରୁଛନ୍ତି । ୨୦୧୯ରେ ସେ ନଭେଲି ନାମରେ ଏକ ଅନୁଷ୍ଠାନର ଆରମ୍ଭ କରିଥିଲେ ଯେଉଁଥିରେ ସେ ମହିଳାମାନଙ୍କର ମାନିସକ ଓ ଶାରିରୀକ ସ୍ବାସ୍ଥ୍ୟ ଉପରେ କାର୍ଯ୍ୟ କରୁଛନ୍ତି । ଏଥିରେ ସେମାନଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ ଦିଆଯାଇଥାଏ । କେବଳ ଏହି ଗୋଟିଏ ଅନୁଷ୍ଠାନ ନୁହେଁ ନବ୍ୟା ଅନ୍ୟ ଏକ ଅନୁଷ୍ଠାନ ଅରା ହେଲ୍ଥର ମଧ୍ୟ ପ୍ରତିଷ୍ଠା କରିଥିଲେ । ଏହି ଅନୁଷ୍ଠାନ ସହାୟତାରେ ନବ୍ୟା ମୁମ୍ବାଇର ମହିଳାଙ୍କର ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପରେ କାର୍ଯ୍ୟ କରୁଛି । ତେବେ ବଡ ପରଦାରୁ ଦୂରରେ ଥିଲେ ମଧ୍ୟ ଛୋଟ ପରଦାରେ ନଜର ଆସିଛନ୍ତି ନବ୍ୟା । ଗୋଟିଏ ବିଜ୍ଞାପନ ସହିତ ଏକ ପୋଡକାଷ୍ଟର ହୋଷ୍ଟ ସେ ହୋଇ ସାରିଛନ୍ତି । ନିକଟରେ ଆଇଫୋନର ନୂଆ ମଡେଲ ଲଞ୍ଚ ଇଭେଣ୍ଟରେ ଯୋଗଦେଇ ଖୁବ ଚର୍ଚ୍ଚାକୁ ଆସିଥିଲେ ନବ୍ୟା । ଏତେ ଛୋଟ ବୟସରେ ବି ସେ ଅନେକ ଏଭଳି କାର୍ଯ୍ୟ କରିଛନ୍ତି ଯାହା ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି ।
