ଭୁବନେଶ୍ୱର : ଅନଲାଇନରେ ବିକ୍ରି ହେଉନାହିଁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ । ଅନଲାଇନ ବିକ୍ରି ପାଇଁ କିଛି ଉଦ୍ୟମ ଆରମ୍ବ ହୋଇଥିଲା କିନ୍ତୁ ଏଥିପାଇଁ ସରକାର ଏବଂ ମନ୍ଦିର ପ୍ରଶାସନ ରାଜି ନାହାନ୍ତି । ହୋଟେଲ ଖାଦ୍ୟ ଭଳି ପ୍ରସାଦକୁ ଅନଲାଇନ ରେ ବିକ୍ରି କରନ୍ତୁ ନାହିଁ ’। ମହାପ୍ରସାଦର ପବିତ୍ରତା ସ୍ବତନ୍ତ୍ର । କିଛି ଦିନ ତଳେ କିଛି ସଂସ୍ଥା ତରଫ ରୁ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ ମହାପ୍ରସାଦ ଓ ଶୁଖିଲା ଭୋଗକୁ ଅନଲାଇନରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ । ଫଳରେ ମହାପ୍ରସାଦ ବିଦେଶରେ ଲୋକଙ୍କ ପାଖରେ ପହଞ୍ଚିବ କିନ୍ତୁ ପବିତ୍ରତା ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ଏ ବାବଦରେ ରାଜି ହୋଇନାହାନ୍ତି । ମହାପ୍ରସାଦକୁ ଅନଲାଇନରେ ବିତରଣ କରିବା ଭଳି ଯୋଜନା ନାହିଁ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ମନ୍ତ୍ରୀ କହିଛନ୍ତି ସାରା ଭାରତ ବର୍ଷରେ ଶ୍ରୀ ଜଗନ୍ନାଥ ମନ୍ଦିରର ମହାପ୍ରସାଦର ପବିତ୍ରତା ରହିଛି । ଏହା ଭକ୍ତର ଭାବାବେଗ ସହିତ ଜଡିତ । ତେଣୁ ଅନଲାଇନରେ ଅର୍ଡର କରି ଅବଢା ସାଙ୍ଗରେ ନେବାବେଳେ ମହାପ୍ରସାଦର ପବିତ୍ରତା ଅକ୍ଷୁର୍ଣ୍ଣ ରଖିବେ କି ନାହିଁ ସେ ସନ୍ଦେହ ଆମ ଭିତରେ ଅଛି ସେ ଦୃଷ୍ଟିରୁ ମନ୍ଦିର ପ୍ରଶାସନ ଓ ସରକାର ସହମତ ନାହାନ୍ତି । ତେଣୁ ପୁରୀ ଆସି ମହାପ୍ରସାଦ ପାଇ ସୌଭାଗ୍ୟ ପ୍ରାପ୍ତ ହୁଅନ୍ତୁ । ମହାପ୍ରସାଦର ଅନଲାଇନ ବିତରଣ ହେଉନାହିଁ ବୋଲି ଶ୍ରଦ୍ଧାଳୁ ସମୁଦାୟଙ୍କୁ ଅପିଲ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ଏପଟେ,କିଛି ଅସାଧୁ ବ୍ୟବସାୟୀ ଓ ଦଲାଲ ଆନନ୍ଦବଜାରରେ ମିଳୁଥିବା ମହାପ୍ରସାଦକୁ ୱେବସାଇଟ ଓ ଆପ୍ ଜରିଆରେ ବିକ୍ରି କରୁ ଥିବା ସୂଚନା ମିଳିଛି । ୱେବ ସାଇଟରେ ଦିଆ ଯାଇଥିବା ଫୋଟରେ ଶ୍ରୀମନ୍ଦିର ନାଁରେ ଅନଲାଇନରେ ଅବଢ଼ା ବିକ୍ରି ହେଉଥିବା ଦେଖାଯାଇଛି । ଅନ୍ନ, ଡାଲି, ବେସର, ମହୁର ଅର୍ଡର ନିଆଯାଉଛି। ୨ ଜଣଙ୍କ ଖାଇବା ପାଇଁ ଦର ରଖିଛନ୍ତି ୭୦୦ ଟଙ୍କା। ଶ୍ରୀମନ୍ଦିର ସହ କୁଡୁଆ ଭର୍ତ୍ତି ମହାପ୍ରସାଦ ଫଟୋ ବି ରହିଛି। ରାତି ସାଢେ ୧୦ଟା ସୁଦ୍ଧା ଦିଆଯିବ ଡେଲିଭରି। ତେବେ କିଏ ଏହି ୱେବ ସାଇଟ କରି ଅନଲାଇନ ମାଧ୍ୟମରେ ଅବଢ଼ା ବିକ୍ରି କରୁଛନ୍ତି ଏନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଖୋଳତାଡ଼ ଚାଲିଛି ।
ବିଶ୍ବାସ ରହଛି ମହାପ୍ରଭୁଙ୍କ ମହାପ୍ରସାଦ କଣିକାଏ ପାଇଲେ କୋଟି ପୂଣ୍ୟ ମିଳିଥାଏ। ଏଇ ଅବଢ଼ା ପାଇବାକୁ ଦେଶ ବିଦେଶରୁ ବି ଶ୍ରୀକ୍ଷେତ୍ରକୁ ଭକ୍ତ ଛୁଟି ଆସନ୍ତି। ଯେହେତୁ ଶ୍ରୀଜିଉଙ୍କ ଦର୍ଶନ ସହ ଆନନ୍ଦବଜାରରେ ମହାପ୍ରସାଦ ସେବନ କଲେ ଭକ୍ତକୁ ଆତ୍ମତୃପ୍ତି ମିଳିଥାଏ। ତେଣୁ ୟାର ସୁଯୋଗ ନେଇ କିଛି ମୁନାଫାଖୋର ବ୍ୟକ୍ତି କିମ୍ବା ଅନୁଷ୍ଠାନ ଅବଢ଼ାକୁ ଲାଭଜନକ ବ୍ୟବସାୟରେ ପରିଣତ କରିବାକୁ ଉଦ୍ୟମ କରୁଥିବା ଜଣାପଡିଛି ।
