ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂହ ସୈନି

ନୂଆଦିଲ୍ଲୀ : ଗୁରୁବାର ଦିନ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପି ନେତା ନାୟବ ସିଂ ସୈନି। କ୍ରମାଗତ ୨ୟ ଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନାୟବ ସିଂ ସାଇନି। ପଞ୍ଚକୁଳାରେ ସେକ୍ଟର ୫ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ୭ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ୭ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ୨ ଜଣ ମହିଳା ରାଷ୍ଟ୍ରମନ୍ତ୍ରୀ ଭାବେ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି । ଏହାସହ ବିଜେପି ଲଗାତାର ତୃତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିଛି।

ଶପଥ ଗ୍ରହଣ ସମା‌ରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି। ଏଥିସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଏନଡିଏ ମେଣ୍ଟର ସଦସ୍ୟ ଦଳ ମୁଖିଆମାନେ ମଧ୍ୟ ଯୋଗ ଦେଇଛନ୍ତି। ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଧ୍ୟ ସୈନିଙ୍କ ଶପଥ ଉତ୍ସବରେ ଯୋଗ ଦେଇଛନ୍ତି।

ସୂଚନାନୁସାରେ,ବୁଧବାର ଚଣ୍ଡୀଗଡ଼ରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ସାଇନି ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି। ଏହି ବୈଠକରେ ବିଜେପି ପର୍ଯ୍ୟବେକ୍ଷକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଅନୀଲ ବିଜ୍ ଏବଂ କୃଷ୍ଣ ବେଦୀଙ୍କ ଦ୍ୱାରା ସାଇନିଙ୍କ ନାମ ନେଇ ପ୍ରସ୍ତାବ ଆଗତ କରାଯାଇଥିବା ବେଳେ ନବ ନିର୍ବାଚିତ ବିଧାୟକ ମାନେ ଏହାକୁ ସମର୍ଥନ କରିଥିଲେ। ଆଉ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା।

Govt

Comments are closed.