ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ

SUJATA PANDA

ସମଗ୍ର ବିଶ୍ୱ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି ପ୍ରଦୂଷଣ I ଏହା ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ଜଳ ପ୍ରଦୂଷଣ,କିମ୍ବା ଖାଦ୍ୟ ପ୍ରଦୂଷଣ ବି ହୋଇପାରେ I ଯାହାଦ୍ୱାରା ଆମର ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଥାଏ I ଭିନ୍ନ ଭିନ୍ନ କାରଣ ପାଇଁ ପ୍ରଦୂଷଣ ବ୍ୟାପି ଥାଏ ଯେପରିକି, ବାଣ ଫୁଟିବା, ଗାଡି ମୋଟର ଧୂଆଁ, କଳ କାରଖାନା ଧୂଆଁ, ଗ୍ୟାସ୍ ଲିକ୍ ଇତ୍ୟାଦି I ସେହିଭଳି କାରଖାନାରୁ ମଇଳା ପାଣି ନଦୀ ସମୁଦ୍ରରେ ମିଶିବା ଫଳରେ ଜଳ ପ୍ରଦୂଷିତ ହୋଇଥାଏ I ମଣିଷ ସମାଜ ବ୍ୟତୀତ ପ୍ରଦୂଷଣ ର ପ୍ରଭାବ ସମଗ୍ର ବିଶ୍ୱ ଓ ପ୍ରକୃତି ଉପରେ ଅନୁଭୂତ ହେଉଛି I ଏହାର ବିଭିନ୍ନ ପ୍ରତିକୂଳ ପ୍ରଭାବ ମଧ୍ୟ ଧୀରେ ଧୀରେ ସାମ୍ନାକୁ ଆସୁଛି I ଏ ବିଷୟରେ ଜନ ମାନସକୁ ସଚେତନ କରିବା ପାଇଁ ପ୍ରତିବର୍ଷ ୨ ଡିସେମ୍ବରକୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ଭାବରେ ପାଳନ କରାଯାଇ ଥାଏ I

ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପ୍ରଦୂଷଣରୁ ମୁକ୍ତି ପାଇବା ଏବଂ ଲୋକଙ୍କୁ ଏହା ବିଷୟରେ ଅବଗତ କରାଇବା I ଯାହା ଦ୍ୱାରା ଆମେ ପ୍ରକୃତିକୁ ଏଥିରୁ ରକ୍ଷା କରିପାରିବା । ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସର ଇତିହାସ, ଗୁରୁତ୍ୱ ଏବଂ ବିଷୟବସ୍ତୁ ବିଷୟରେ ଆସନ୍ତୁ ଜାଣିବା I

ହୁ’ର ରିପୋର୍ଟ ଅନୁସାରେ ପ୍ରଦୂଷଣ ପ୍ରଭାବରେ ପ୍ରତିବର୍ଷ ୭ ନିୟୁତ ଲୋକଙ୍କ ଅକାଳ ମୃତ୍ୟୁ ଘଟୁଛି I ଏଥିରୁ ଅନୁମାନ କରାଯାଇ ପାରେ ଯେ ପ୍ରଦୂଷଣର ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ କେତେ ମାତ୍ରାରେ ପଡୁଛି I

୧୯୮୪ ରେ ଭୋପାଳ ଗ୍ୟାସ ଦୁର୍ଘଟଣା ପରଠାରୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପ୍ରତିବର୍ଷ ୨ ଡିସେମ୍ବରରେ ପାଳନ କରା ଯାଉଛି I କାରଣ ଭୋପାଳର ଏକ କୀଟନାଶକ କାରଖାନାରୁ ପ୍ରାୟ ୪୫ ଟନ୍ ମିଥାଇଲ୍ ଆଇସୋକିଆନେଟ୍ ଗ୍ୟାସ ଲିକ୍ ହୋଇ ଚାରିଆଡେ ବ୍ୟାପିଗଲା I ଏହି କାରଣରୁ ହଜାର ହଜାର ଲୋକଙ୍କ ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକ ଶାରୀରିକ ଏବଂ ମାନସିକ ସ୍ତରରେ ଭିନ୍ନକ୍ଷମ ହୋଇଗଲେ I ଏହି ବିଷାକ୍ତ ଗ୍ୟାସ ର ପ୍ରଭାବ ଏତେ ମାରାତ୍ମକ ଥିଲା ଯେ ସେହି ସମୟରେ ହଜାର ହଜାର ଲୋକଙ୍କୁ ଭୋପାଳ ଛାଡିବାକୁ ପଡିଥିଲା । ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଦିନ ପାଳନ କରାଯାଏ I

ବର୍ତ୍ତମାନ ପ୍ରଦୂଷଣ ସ୍ତର ଏତେ ଅଧିକ ମାତ୍ରାରେ ବଢି ଯାଇଛି ଯେ ସମଗ୍ର ବିଶ୍ୱରେ ୧୦ ଜଣଙ୍କ ମଧ୍ୟରୁ ୯ ଜଣ ଏଥରେ ଆକ୍ରାନ୍ତ ହେଉଛନ୍ତି । ତେଣୁ ଏହି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ସଚେତନ କରାଇବା I ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଜନ ସାଧାରଣଙ୍କ ସହିତ ସରକାରୀ ସ୍ତରରେ ମଧ୍ୟ ଯୋଜନା ପ୍ରସ୍ତୁତ କରିବା ଉଚିତ୍ I

Govt

Comments are closed.