ମୁମ୍ବାଇ: ସାନିଟାରୀ ପ୍ୟାଡ୍ ହେଉଛି ମହିଳାମାନଙ୍କର ଏକ ମୌଳିକ ଆବଶ୍ୟକତା । ଏକ ରିପୋର୍ଟ ଅନୁଯାୟୀ, ଭାରତରେ କେବଳ ୩୬% ମହିଳା ସାନିଟାରୀ ପ୍ୟାଡ୍ ବ୍ୟବହାର କରିବାର ସୁବିଧା ପାଇପାରୁଛନ୍ତି । ଗୋଟିଏ ପଟେ ସାନିଟାରୀ ପ୍ୟାଡ୍ ମହିଳାମାନଙ୍କ ଋତୁସ୍ରାବରେ ସୁରକ୍ଷିତ ରଖିବାରେ ସାହାଯ୍ୟ କରୁଛି କିନ୍ତୁ ଅନ୍ୟପଟେ ଦେଖିବାକୁ ଗଲେ ଏହି ସାନିଟାରୀ ପ୍ୟାଡ୍ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ । ଭାରତରେ ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ଟନ୍ ବ୍ୟବହୃତ ପ୍ୟାଡ୍ ଲ୍ୟାଣ୍ଡଫିଲ୍ରେ ପକାଯାଏ ।
ଆଉ ଏକ ରିପୋର୍ଟ ଅନୁଯାୟୀ, ଏକ ସାନିଟାରୀ ନାପକିନ୍ ନଷ୍ଟ ହେବା ପାଇଁ ୫୦୦ରୁ ୮୦୦ ବର୍ଷ ସମୟ ନେଇଥାଏ । ନାପକିନ୍ରେ ଥିବା ଅଣ-ବାୟୋଡିଗ୍ରେଡବଲ୍ ପ୍ଲାଷ୍ଟିକ୍ ଏବଂ ପଲିମର ରହିଥାଏ, ଯେଉଁଥିପାଇଁ ସେଗୁଡ଼ିକ ସହଜରେ କ୍ଷୟ ହୋଇନଥାଏ ଏବଂ ପରିବେଶ ପାଇଁ ଏକ ସମସ୍ୟାରେ ପରିଣତ ହୋଇଥାଏ । ଏହି ସମସ୍ୟାର ମୁକାବିଲା ପାଇଁ ମୁମ୍ବାଇର ଡାକ୍ତର ମଧୁରିତା ଗୁପ୍ତା ଏବଂ ତାଙ୍କ ଭାଇ ରୂପନ ଗୁପ୍ତା ମିଳିତ ଭାବେ ସୋଲାର ଲଜ୍ଜା ନାମକ ଏକ ସୌରଚାଳିତ ସାନିଟାରୀ ପ୍ୟାଡ୍ ଡିସପୋଜାଲ୍ ମେସିନ୍ ତିଆରି କରିଛନ୍ତି । ଏହି ମେସିନରେ ସାନିଟାରୀ ପ୍ୟାଡ୍ ବ୍ୟତୀତ, ମାସ୍କ ଏବଂ ପିପିଏ କିଟ୍ ମଧ୍ୟ କ୍ଷୟ ହୋଇପାରେ । ଏଥିରୁ ଯେଉଁ ପାଉଁଶ ବାହାରେ ତାହାକୁ ଚାଷଜମିରେ ଖତ ଭାବେ ବ୍ୟବହାର କରାଯାଇପାରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ଅନେକ ସହରରେ ୩୮ରୁ ଅଧିକ ସୋଲାର ଲଜ୍ଜାକୁ ଲଗାଯାଇ ଏହାର ପ୍ରୟୋଗ କରାଯାଉଛି ।
ମୁମ୍ବାଇରେ ରହୁଥିବା ଡାକ୍ତର ମଧୁରିତା ଗୁପ୍ତା ପେଶାରେ ଜଣେ ପ୍ରାଣୀ ଚିକିତ୍ସକ । ମଧୁରିତା ମୁମ୍ବାଇର ମାଇଭାଟସ୍ ୱାଇଲï ଲାଇଫ୍ ଟ୍ରଷ୍ଟର ପ୍ରତିଷ୍ଠାତା ସଦସ୍ୟ । ସେ ସାମାଜିକ ସେବା ସହିତ ପ୍ରତିବର୍ଷ ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ପ୍ରାୟ ୧୦ ବର୍ଷ ଧରି ସେ ପ୍ରାଣୀ ଉଦ୍ୟାନ, ୱାଇଲï ଲାଇଫ୍ ସଫାରି ଏବଂ ଜାତୀୟ ଉଦ୍ୟାନର ଜୀବଜନ୍ତୁଙ୍କ ପାଇଁ କାର୍ଯ୍ୟ କରିଆସୁଛନ୍ତି । କାମ କରିବା ସମୟରେ ମଧୁରିତା ଅନେକ ଗାଁର କିଶୋରୀ, ନାବାଳିକା ଏବଂ ମହିଳାଙ୍କୁ ଭେଟିଥିଲେ, ଯେଉଁମାନେ ଋତୁସ୍ରାବ ସମୟରେ ଅପରିଷ୍କାର ଜିନିଷ ବ୍ୟବହାର କରୁଥିଲେ । ଏହାକୁ ଜଙ୍ଗଲରେ ଫୋପାଡ଼ି ଦେଉଥିଲେ, ଯାହା ଜୀବଜନ୍ତୁଙ୍କ ପାଇଁ କ୍ଷତିକାରକ ଥିଲା । ମଧୁରିତା, ଆଇଆଇଟି ଏବଂ ଆଇଆଇଏମ୍ରେ ପଢୁଥିବା ତାଙ୍କ ଭାଇ ରୂପନ୍ ଗୁପ୍ତାଙ୍କ ସହ ସାନିଟାରୀ ପ୍ୟାଡ୍ ଫିଙ୍ଗାଯାଉଥିବା ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ରୁପନଙ୍କ ଶିକ୍ଷାଗତ ପୃଷ୍ଠଭୂମି ଇଞ୍ଜିନିୟରିଂ ହୋଇଥିବା କାରଣରୁ ଯନ୍ତ୍ରପାତି ବିଷୟରେ ତାଙ୍କର ଅନେକ ଅଭିଜ୍ଞତା ଥିଲା । ତେଣୁ ଅନେକ ମାସର ଅନୁସନ୍ଧାନ ପରେ, ଭଉଣୀଭାଇ ଏକତ୍ର ସୋଲାର ଲଜ୍ଜା ନାମକ ଏକ ସୌରଶକ୍ତି ସାନିଟାରୀ ପ୍ୟାଡ୍ ଇନ୍ସିନରେଟର୍ ପ୍ରସ୍ତୁତ କଲେ ।
୨୦୧୯ରେ ସେ ତାଙ୍କର ଷ୍ଟାର୍ଟଅପ୍କୁ ଅର୍ଣ୍ଣବ ଗ୍ରୀଣ୍ଟେକ୍ ଇନୋଭେସନ୍ସ ମାଧ୍ୟମରେ ଲଞ୍ଚ୍ କଲେ । ମଧୁରିତାଙ୍କ ଅନୁଯାୟୀ ସୋଲାର ଲଜ୍ଜା ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ । ଏହା ସୌର ଶକ୍ତିରେ ଚାଲିଥାଏ । ଏହି ମେସିନକୁ ଥରେ ଇନଷ୍ଟଲ କରିବା ପରେ ଏଥିରେ ଆଉ କୌଣସି ଖର୍ଚ୍ଚ କରିବାକୁ ପଡ଼େ ନାହିଁ । ଏହି ମେସିନରେ ସାନିଟାରୀ ନାପକିନ୍ ସହିତ ଟ୍ୟାମ୍ପୁନ, ଡାଏପର, ମାସ୍କ ଏବଂ ପିପିଏ କିଟ୍ ସହିତ ଅନେକ ବାୟୋମେଡିକାଲ ବର୍ଜ୍ୟବସ୍ତୁ ମଧ୍ୟ ଇକୋଫ୍ରେଣ୍ଡେଲି ଭାବେ କ୍ଷୟ ହୋଇଥାଏ । ମଧୁରିତାଙ୍କ ଅନୁଯାୟୀ, ଅନ୍ୟ ମେସିନ୍ ତୁଳନାରେ ଏହା ୨୫% କମ୍ ଶକ୍ତି ଆବଶ୍ୟକ କରେ । ଗୋଟିଏ ଦିନରେ ଏହା ୨୦୦ ପ୍ୟାଡ୍ ନିଷ୍କାସନ କରି ପାଉଁଶରେ ପରିଣତ କରେ । ଏହି ପାଉଁଶ କ୍ଷେତରେ କିମ୍ବା ବଗିଚାରେ ଖତ ପାଇଁ ବ୍ୟବହୃତ ହୋଇପାରେ । ଏହାକୁ ସାମୂହିକ ସ୍ଥାନରେ ଲଗାଇବା ବ୍ୟତୀତ ଘରୋଇ କମ୍ପାନୀ, ସ୍କୁଲ-କଲେଜରେ ମଧ୍ୟ ସ୍ଥାପନ କରାଯାଇପାରିବ ।
ସୋଲାର ଲଜ୍ଜା ସ୍ୱୟଂଚାଳିତ ଭାବେ କାମ କରେ, ଯେଉଁଥିରେ ପ୍ୟାଡକୁ ବିସର୍ଜନ କରିବାକୁ ମାତ୍ର ଏକ ମିନିଟ୍ ସମୟ ଲାଗେ । ଏହା ବ୍ୟତୀତ ସୋଲାର ଲଜ୍ଜାର ପ୍ରତ୍ୟେକ ୟୁନିଟ୍ ପ୍ରାୟ ୪୮୦୦୦ ୱାଟ ବିଦୁ୍ୟତ ସଞ୍ଚୟ କରିଥାଏ । ଲୋକଙ୍କ ସଚେତନତା ଯୋଗୁଁ ଧୀରେଧୀରେ ଏହି ମେସିନର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି । ୨୦୧୯ରେ ଆରମ୍ଭ ହୋଇଥିବା ଏହି ଷ୍ଟାର୍ଟଅପ୍ ଏପର୍ଯ୍ୟନ୍ତ ଦେଶର ୧୧ ଟି ରାଜ୍ୟର ଅନେକ ସହରରେ ୩୮ ଟି ମେସିନ୍ ସ୍ଥାପନ କରାଯାଇଛି । ମଧୁରିତା ଆହୁରି କହିଛନ୍ତି ଯେ ସେ ୨୦୨୨ରୁ ତାଙ୍କ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବେ । ବର୍ତ୍ତମାନ ସେମାନେ ବହୁତ ଅର୍ଡର ପାଇବାରେ ଲାଗିଛନ୍ତି । ଅନେକ ବିଦ୍ୟାଳୟ, କଲେଜ, ଡାକ୍ତରଖାନା, କାର୍ଯ୍ୟାଳୟ କିମ୍ବା ସର୍ବସାଧାରଣ ସ୍ଥାନରେ ସୋଲାର ଲଜ୍ଜା ସ୍ଥାପନ ପାଇଁ ଅର୍ଡର ମିଳୁଛି । ସୋଲାର ଲଜ୍ଜାର ମୌଳିକ ୟୁନିଟ୍ର ମୂଲ୍ୟ ହେଉଛି ୪୩ ହଜାର ଟଙ୍କା । ଆବଶ୍ୟକତା ଅନୁଯାୟୀ ଏହାର ଆକାର ପରିବର୍ତ୍ତନ କରାଯାଇପାରିବ ବୋଲି ମଧୁରିତା କହିଛନ୍ତି । ଏହି ଅନନ୍ୟ କାର୍ଯ୍ୟ ପାଇଁ ମଧୁରିତା ଏବଂ ତାଙ୍କ ଭାଇ ରୁପନ୍ ଅନେକ ସ୍ଥାନରୁ ପ୍ରଶଂସା ଏବଂ ଅନେକ ପୁରସ୍କାର ଗ୍ରହଣ କରିଛନ୍ତି ।

Comments are closed.