ମୁଁ ବାହାହେବି କାହିଁକି ?

ଡ଼. ଦେବୀଲାଲ ମିଶ୍ର

ବହୁବାର ପ୍ରଶ୍ନ ଉଠେ
ମନର ଗଭୀର ମାର୍ମିକ ବନରେ
‘ମୁଁ ବାହାହେବି କାହିଁକି ?’
କେହି କେହି କହନ୍ତି;
ଅବିବାହିତ ଜୀବନ କୁଆଡ଼େ ଗୋଟେ ଅଭିଶାପ
ଏଠି ଭରି ରହିଛି ନିଃସଙ୍ଗତା ଓ ଅସହାୟତା ଅମାପ
କିନ୍ତୁ ଏ ତର୍କ ହାସ୍ୟାସ୍ପଦ ମନେହୁଏ;
ଯେବେ ସମୟର ବାସ୍ତବତା ସହ ହୁଏ ମୋର କୁସ୍ତି
ଯେତେବେଳେ ଦେଖେ ମୋ ଚାରିପଟର ପରିସ୍ଥିତି
ବିବାହ ପରର ଦାରୁଣ ସ୍ଥିତି,
ଭାବେ ବସି କାହିଁ ଗଲା ସେ ପ୍ରତିଜ୍ଞା ଓ ପ୍ରତିଶ୍ରୁତି
ସାତଜନ୍ମର ସାଥୀର ଆଜି
ସାତଦିନରେ କାହିଁ ଘଟୁଛି ଧୈର୍ଯ୍ୟଚ୍ୟୁତି
କିଛି ଅର୍ନ୍ତଦ୍ୱନ୍ଦ ଓ ଅଜଣା ଭୟ ସୃଷ୍ଟି କରେ
ଏ ବ୍ୟଥାଦାୟୀ ଅନୁଭୂତି;
ଯଦି ସମ୍ପର୍କର

ଏଭଳି ସ୍ଥିତି 
ମୁଁ ବାହା ହେବି କାହିଁକି?
ବିବାହ ନୁହେଁ ମାତ୍ର ଏକ ଯୋଜନା,
ଆବଶ୍ୟକତା ପୂରଣର କାମନା
ବୈବାହିକ ଜୀବନ ଏକ ସାଧନା
ସିଦ୍ଧି ପାଇଁ ଲୋଡ଼ା  ଉନ୍ନତ ଚେତନା,
କିନ୍ତୁ ଏଠି ଯେ ସମସ୍ତେ ସ୍ୱତନ୍ତ୍ର
ସଭିଙ୍କର ଭିନ୍ନ ଭିନ୍ନ ଯନ୍ତ୍ର,ତନ୍ତ୍ର,ମନ୍ତ୍ର,
ନିଜ ଛଡ଼ା ମୋତେ ଅବା କିଏ ପାରିବ ଜାଣି
କାହାର ଏତେ ଆଗ୍ରହ ଶୁଣିବାକୁ ମୋ କାହାଣୀ
ଯେଉଁଠି ସମସ୍ତେ ସ୍ୱତନ୍ତ୍ର ଓ ଭିନ୍ନ
ସେଇଠି ମୋ ନିଜ ଆଶା ମୋତେ କରେ ବିପନ୍ନ;
ଯଦି କେବେ ଏ ଦ୍ୱନ୍ଦ-ସାଗରରେ ନିଜ ସତ୍ତା ହରାଇବାକୁ ପଡ଼େ
ତେବେ ମୁଁ ବାହାହେବି କାହିଁକି?
ଆଉ କେହି କହନ୍ତି;

ବିବାହ ଜୀବନରେ ଆଣେ ସ୍ଥିରତା
ସତରେ କେଡ଼େ ନିଷ୍ପାପ ସେମାନଙ୍କ ଚିନ୍ତା
ଦେଖିପାରନ୍ତିନି ପ୍ରକୃତିରେ ପରିବର୍ତ୍ତନ,
ବିବାହ ପରର ସୂକ୍ଷ୍ମ ବିବର୍ତ୍ତନ,
ଯେଉଁଠି ସୃଷ୍ଟି ହୁଏ ଭିନ୍ନ ଏକ ମାନସିକତା
କାହାର ଖୁସି ପାଇଁ କାହା ମନକୁ କରାଯାଏ ହତ୍ୟା;
ଯଦି ଜୀବନସାଥୀ ଜୀବନ ପାଇଁ ଆହ୍ୱାନ ପାଲଟେ
ତେବେ ମୁଁ ବାହା ହେବି କାହିଁକି?
କେହି କେହି କହନ୍ତି;
ବିବାହ ଏକ ପବିତ୍ର ବନ୍ଧନ
ପ୍ରେମର ଶାଶ୍ୱତ ନନ୍ଦନକାନନ,
ହେଲେ ବନ୍ଧନ କ’ଣ କେବେ ହୋଇପାରେ ପବିତ୍ର
ଏଥିରେ ତ ସ୍ୱାର୍ଥ ଥାଏ ସର୍ବତ୍ର,
ପ୍ରେମ ନୁହେଁ କେବେ କାହାର ଦାସ
ବାନ୍ଧି ହୁଏନି ତାକୁ ପକାଇ ଫାଶ;
ସମ୍ପର୍କର ସୃଷ୍ଟି ପ୍ରେମରୁ,
ଯଦି ସ୍ୱାର୍ଥ ଏହାର ଆଧାର
ଏହା ଧ୍ୱଂସ ପାଏ ମୂଳରୁ;
ଯଦି ବିବାହ ଏକ ବନ୍ଧନ ହୁଏ,
ତେବେ ମୁଁ ବାହା ହେବି କାହିଁକି?

Launching Ceremony of “AYUSHMAN BHARAT

Comments are closed.