ମଙ୍କିପକ୍ସକୁ ମାତ୍‌ ଦେବାକୁ ଆସିବ ଔଷଧ

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ପାଲଟିଛି । ମଙ୍କିପକ୍ସକୁ ମାତ ଦେବା ପାଇଁ ଉପଲବ୍ଧ ଥିବା ଟିକା ଅତ୍ୟନ୍ତ ସୀମିତ ଓ ଏହାର ସପ୍ଲାଏ ମଧ୍ୟ ଠିକ ଭାବେ ହୋଇପାରୁନି । ତେଣୁ ମଙ୍କିପକ୍ସକୁ ମାତ୍‌ ଦେବାକୁ ବୈଜ୍ଞାନିକମାନେ ଔଷଧ ବାହାର କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଏଥିପାଇଁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଏହି ଭାଇରାଲ ରୋଗ ବିରୋଧରେ ଗୋଟିଏ ଔଷଧର କ୍ଲିନିକାଲ ଟ୍ରାଏଲ ମଧ୍ୟ ଆରମ୍ଭ କରାଯାଇଛି । ଏହି ଔଷଧ ମଙ୍କିପକ୍ସ ବିରୋଧରେ କେତେ ଫଳପ୍ରଦ ଓ କେତେ ସୁରକ୍ଷିତ, ସେକଥା ଜାଣିବା ପାଇଁ ଗବେଷକମାନେ ଉଦ୍ୟମ କରୁଛନ୍ତି । ପ୍ରାଥମିକ ଅବସ୍ଥାରେ ଔଷଧକୁ ସ୍ମଲପକ୍ସ ବିରୋଧରେ ଲଢ଼େଇ କରିବାକୁ ବିକଶିତ କରାଯାଇଥିଲା ।

ଏଥିସହ ଭାଇରସ କେମିତି ଜଣେ ବ୍ୟକ୍ତିଙ୍କ ଶରୀରରେ ନବ୍ୟାପିବ ସେଥିପାଇଁ ଏହି ଔଷଧକୁ ବ୍ୟବହାର କରାଯାଉଥିଲା । ଏହି ଡ୍ରଗ୍ସର ଲାଇସେନ୍ସ ମେଡିସିନ୍ସ ଆଣ୍ଡ ହେଲଥ୍‌ ପ୍ରଡକଫସ ରେଗୁଲେଟୋରୀ ଏଜେନ୍ସି (ଏମଏଚ୍‌ଆରଏ) ପାଖରେ ରହିଛି । ସଂସ୍ଥା ଏହି ଔଷଧକୁ ପଶୁମାନଙ୍କ ଉପରେ ପରୀକ୍ଷା କରିଥିଲା । ପରୀକ୍ଷାରୁ ଭଲ ରେଜଲଫ ମିଳିବାରୁ ମଙ୍କିପକ୍ସ ବିରୋଧରେ ଏହାକୁ ବ୍ୟବହାର ପାଇଁ ଏମଏଚ୍‌ଆରଏ ଲାଇସେନ୍ସ ପ୍ରାପ୍ତ କରିଛି । ହେଲେ କ୍ଲିନିକାଲ ଟ୍ରାଏଲ ପରେ ହିଁ ଲୋକଙ୍କୁ ଏହି ଔଷଧ ମଙ୍କିପକ୍ସ ବିରୋଧରେ ଦିଅଯାଇପାରିବ ।

ଏବେ ବ୍ରିଟେନ ସରକାର ଏହାର କ୍ଲିନିକାଲ ଟ୍ରାଏଲ ପାଇଁ ୩.୭ ମିଲିୟନ ପାଉଣ୍ଡର ଆର୍ଥିକ ବ୍ୟବସ୍ଥା କରିଛନ୍ତି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ସାର ପିଟର ହୋରବୀଙ୍କ ନେତୃତ୍ୱରେ କ୍ଲିନିକାଲ ଟ୍ରାଏଲ କରାଯାଉଛି । ଟ୍ରାଏଲରେ ୫୦୦ ଜଣ ଲୋକ ସାମିଲ ହେବେ । ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ୧୪ ଦିନ ପାଇଁ ୬୦୦ ଏମଜିର ଔଷଧ ଦୈନିକ ଦୁଇଥର ଦିଆଯିବ । ସେହିପରି କିଛି ଲୋକଙ୍କୁ ପ୍ଲେସେବୋ ମଧ୍ୟ ଦିଆଯିବ । ଏହାପରେ ଏହାର ପ୍ରଭାବ ସମ୍ପର୍କରେ ଜଣାପଡ଼ିବ । ବର୍ତ୍ତମାନ ସୁଦ୍ଧା ବିଶ୍ୱର ୮୦ରୁ ଅଧିକ ଦେଶରେ ପ୍ରାୟ ୪୦ ହଜାର ମଙ୍କିପକ୍ସ ଆକ୍ରାନ୍ତ ହୋଇ ସାରିଲେଣି । ସେହିପରି ଅନେକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି । ଭାରତରେ ଏଯାଏ ୧୦ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ଜୀବନ ଯାଇଛି ।

Launching Ceremony of “AYUSHMAN BHARAT

Comments are closed.