ଦିଲ୍ଲୀ: ଆଜିକାଲି ମହାକାଶରେ ବିଭିନ୍ନ ପ୍ରକାରର ପରିବା ଓ ଖାଦ୍ୟ ପଦାର୍ଥ ପ୍ରସ୍ତୁତ ହେଉଥିବାର ଘଟଣା ସାମନାକୁ ଆସୁଛି । କେତେବେଳେ ସେଠାରେ ଟାକୋ ପ୍ରସ୍ତୁତ ହେଲାଣି ତ କେତେବେଳେ ସେଠାରେ ଗଛ ଲାଗି ଲଙ୍କା ଫଳିଲାଣି । ସେହିଭଳି ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ବର୍ତ୍ତମାନ ମହାକାଶରେ ମାଂସ ପ୍ରସ୍ତୁତ ହେବାକୁ ଯାଉଛି । ‘ୟୁରୋପିଆନ ସ୍ପେସ୍ ଏଜେନ୍ସି’ ଏଭଳି ବିରଳ କାର୍ଯ୍ୟ କରିବାକୁ ଯାଉଛି । ନିଜର ଲାବ୍ରେ ମାଂସ ପ୍ରସ୍ତୁତ କରିବା ପାଇଁ ଏହି ସଂସ୍ଥା ଗବେଷଣା ଆରମ୍ଭ କରିସାରିଛି ।
ମହାକାଶଚାରୀଙ୍କର ଲମ୍ବା ଯାତ୍ରା ସମୟରେ ସେମାନଙ୍କୁ ମାଂସ ଖୁଆଇବା ପାଇଁ ଏଜେନ୍ସି ଏଭଳି ଯୋଜନା କରୁଛି । ତେବେ ଯଦି ଏଠାରେ ଏହି ମାଂସକୁ ପ୍ରସ୍ତୁତ କରାଯାଇପାରିବ, ତେବେ କୌଣସି ଜୀବଜନ୍ତୁଙ୍କୁ ନମାରି ମାଂସ ପ୍ରସ୍ତୁତ ହୋଇପାରିବ । ଯଦି ଆମକୁ ଆଗକୁ ଅଧିକ ସମୟ ଧରି ମହାକାଶରେ ଗବେଷଣା କରିବାକୁ ହେବ, ତେବେ ମହାକାଶଚାରୀଙ୍କ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ ବୋଲି ଏଜେନ୍ସି ଅଧିକାରୀ ମତ ଦେଇଛନ୍ତି ।
ତେଣୁ ସେମାନଙ୍କୁ ‘କଲଚର୍ ମିଟ୍’ ବା ଲାବ୍ରେ ପ୍ରସ୍ତୁତ ମାଂସ ପ୍ରସ୍ତୁତ କରିବାକୁ ହେବ । ତେବେ ବର୍ତ୍ତମାନ ଏହି ଟିମ୍ ଅଧିକ ଗବେଷଣାରେ ବ୍ୟସ୍ତ ଅଛନ୍ତି । ପୋଷଣକୁ ନେଇ ସମସ୍ତ ତଥ୍ୟ ହାସଲ କରିବା ପରେ ଏନେଇ କାର୍ଯ୍ୟ ଆରମ୍ଭ ହେବ । ପ୍ରଥମେ ଟିମ୍ ଏକ ପ୍ରାଥମିକ ଡିଜାଇନ୍ ପ୍ରସ୍ତୁତ କରିବେ, ଯାହାକୁ ଅନ୍ୟ ଫୁଡ୍ ପ୍ରଡକସନ୍ ଡିଜାଇନ୍ ସହିତ ତୂଳନା କରାଯିବ । ସେହିଭଳି ଅନ୍ୟ ସମସ୍ତ ଦିଗକୁ ମଧ୍ୟ ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।
Comments are closed.