ମୁମ୍ବାଇ: ଫେବୃଆରୀ ୦୮: ଆଉ ନାହାନ୍ତି ବି ଆର୍ ଚୋପ୍ରାଙ୍କ ପ୍ରସିଦ୍ଧ ପୌରାଣିକ ଧାରାବାହିକ ମହାଭାରତରେ ଭୀମ ଭୂମିକାରେ ଅଭିନୟ କରିଥିବା ଅଭିନେତା ପ୍ରବୀଣ କୁମାର ସୋବତୀ । ଖବର ଅନୁଯାୟୀ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ମୃତୁ୍ୟ ବେଳକୁ ତାଙ୍କୁ ୭୪ବର୍ଷ ବୟସ ହୋଇଥିଲା । ପ୍ରବୀଣ କୁମାର ସୋବତୀ ନା କେବଳ ଅଭିନୟ ଦୁନିଆରେ ନୁହେଁ ବରଂ କ୍ରୀଡ଼ା ଜଗତରେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି ।
ତାଙ୍କର ବଳଶାଳୀ ଚେହେରା ଯୋଗୁଁ ପ୍ରବୀଣ ଲୋକଙ୍କ ମଧ୍ୟରେ ଖୁବ ପ୍ରସିଦ୍ଧ ଥିଲେ । ଜଣେ ଅଭିନେତା ହେବା ସହ ଦକ୍ଷ ଆଥଲେଟ୍ ମଧ୍ୟ ଥିଲେ । ହ୍ୟାମର୍ ଏବଂ ଡିସ୍କ ଥ୍ରୋରେ ବହୁ ପଦକ ଜିତିଛନ୍ତି । ବିଏସଏଫ୍ରେ ଡେପୁଟି କମାଣ୍ଡେଟ୍ ଥିବା ପ୍ରବୀଣ ଅନେକ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ହଂକଂରେ ଆୟୋଜିତ ଏସିଆନ୍ ଗେମ୍ରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ । କେବଳ ସେତିକି ନୁହେଁ ୬୦ ଓ ୭୦ ଦଶକରେ ଆଥଲେଟିକ୍ସରେ ଲୋକପ୍ରିୟତା ହାସଲ କରିଥିଲେ । ଏସିଆନ୍ ଗେମ୍ସ ଏବଂ ଅଲମ୍ପିକ୍ସରେ ନିଜର ପ୍ରଦର୍ଶନ କାରଣରୁ ସେ ଏତେମାତ୍ରରେ ଲୋକପ୍ରିୟ ହୋଇଥିଲେ ଯେ ବିଆର୍ ଚୋପ୍ରା ଭୀମ ଚରିତ୍ର ପାଇଁ ତାଙ୍କୁ ନେବାକୁ ସ୍ଥିର କରିଥିଲେ । ଅଭିନୟରେ ଆଗରୁ କେବେ ନିଜ ଭାଗ୍ୟ ପରୀକ୍ଷା କରିନଥିବା ପ୍ରବୀଣ ନିଜେ ବିଆର ଚୋପ୍ରାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ଏହାପରେ ବିଶାଳ ଓ ହଟାକଟା ଚେହେରା ଦେଖି ବିଆର ଚୋପ୍ରା ସଙ୍ଗେ ସଙ୍ଗେ କହିଥିଲେ ଯେ ତାଙ୍କୁ ତାଙ୍କର ଭୀମ ମିଳିଗଲା । ଏହିଠାରୁ ହିଁ ପ୍ରବୀଣଙ୍କ ଅଭିନୟ କ୍ୟାରିଅର ଆରମ୍ଭ ହୋଇଥିଲା ଏବଂ ଦେଶର ପ୍ରତି ଘରେ ଘରେ ଭୀମ ଭାବେ ପରିଚିତ ଲାଭ କରିଥିଲେ । ଅର୍ଜୁନ ପରସ୍କାରରେ ସମ୍ମାନିତ ପ୍ରବୀଣ ୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ।
ଅମିତାଭ ବଚ୍ଚନଙ୍କ ଫିଲ୍ମ ଶେହନଶାହରେ ମୁଖତାର ସିଂହ ଭୂମିକାରେ ପ୍ରବୀଣଙ୍କ ଅଭିନୟକୁ ସମସ୍ତେ ବେଶ୍ ପ୍ରଶଂସା କରିଥିଲେ । ଏହାପରେ ସେ କରିସ୍ମା କୁଦରତ କା, ଯୁଦ୍ଧ, ଖୁଦଗର୍ଜ ପରି ସୁପରହିଟ୍ ଫିଲ୍ମରେ କାମ କରିଥିଲେ । ଅଭିନେତା ପ୍ରବୀଣଙ୍କ ଶେଷ ଫିଲ୍ମ ୨୦୧୩ରେ ରିଲିଜ୍ ହୋଇଥିଲା । ଫିଲ୍ମର ନାମ ମହାଭାରତ ଔର୍ ବର୍ବର ଥିଲା । ଏଥିରେ ମଧ୍ୟ ସେ ଭୀମ ରୋଲ୍ କରିଥିଲେ । ଏହାପରେ ଅଭିନୟ ଛାଡ଼ି ରାଜନୀତିରେ ପ୍ରବେଶ କରିଥିଲେ ।
ସେ ଆପ୍ର ଟିକେଟରେ ଦିଲ୍ଲୀର ୱଜିରପୁରରୁ ନିର୍ବାଚନ ଲଢିଥିଲେ, କିନ୍ତୁ ପରାସ୍ତ ହୋଇଥିଲେ । ଏହାପରେ ଆପ୍ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ରିପୋର୍ଟ ଅନୁଯାୟୀ ପ୍ରବୀଣ ନିଜ ଅସୁସ୍ଥତା ସହ ଆର୍ଥିକ ଅଭାବ ଯୋଗୁଁ ବହୁତ ଅସୁବିଧାରେ ଥିଲେ । ସେ ନିଜର ଆର୍ଥିକ ସ୍ଥିତି ସମ୍ପର୍କରେ ଜଣାଇ ସରକାରଙ୍କଠୁ ସାହାଯ୍ୟ ମାଗିଥିଲେ, ଯାହାକୁ ନେଇ ବେଶ୍ ଚର୍ଚ୍ଚା ଓ ଆଲୋଚନା କରାଯାଇଥିଲା । ତେବେ ତାଙ୍କର ମୃତୁ୍ୟର ଖବର କେବଳ ଅଭିନୟ ଦୁନିଆ ନୁହେଁ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି ଏବଂ ଭୀମସେନ୍ଙ୍କୁ ଝୁରୁଛନ୍ତି ଦେଶବାସୀ ।

Comments are closed.