ଶିବ ବିନା ଯେପରୀ ଶିବ ଶବରେ ପରିଣତ ହୁଅନ୍ତି । ଠିକ୍ ସେପରି ଶକ୍ତି ବିନା ବ୍ରହ୍ମ ମଧ୍ୟ ଅସମ୍ପୂର୍ଣ୍ଣ । ସର୍ବମୂଳରେ ଶକ୍ତିହିଁ ମୂଳଉସି । ତେଣୁ ସୃଷ୍ଟି କର୍ତ୍ତା ବ୍ରହ୍ମା କହିଛନ୍ତି-
‘ମୃଦା ବିନା କୁଳାଳାଶ୍ଚ ଷଟଂ କର୍ତ୍ତୃଯଥା କ୍ଷମଃ ସୂର୍ଣ୍ଣବିନା ସ୍ୱର୍ଣ୍ଣକାରଃ କୁଣ୍ଡଳଂ କର୍ତ୍ତୃମକ୍ଷମଃ ଶକ୍ତ୍ୟାବିନା ତଥାହଂ ଚ ସ୍ୱସୃଷ୍ଟି କର୍ତ୍ତୃମକ୍ଷମଃ ।’
ଯେପରି ମାଟିବିନା କୁମ୍ଭାରର କୁମ୍ଭ ନିର୍ମାଣ ଅସମ୍ଭବ, ସୁନା ବିନା ସ୍ୱର୍ଣ୍ଣକାରର ଅଳଙ୍କାର ଗଢିବା ଅସମ୍ଭବ ଠିକ୍ ସେହିପରି ଶକ୍ତି ବିନା ସୃଷ୍ଟିର ରଚନା ମଧ୍ୟ ଅସମ୍ଭବ ଅଟେ ।
ସେହି ଶକ୍ତି ସମ୍ଭୁତା ମା’ଦୁର୍ଗା ନଅଟି ବିଭିନ୍ନ ରୂପ ଧାରଣ କରି ଏ ଆର୍ଯ୍ୟଭୂମିରୁ ଅନ୍ୟାୟ ଅସତ୍ୟ ଅତ୍ୟାଚାରର ମୂଳୋପିାଟନ କରିଛନ୍ତି । ଏହି ନଟି ରୂପର ନାମକରଣ କରିବାକୁ ଯାଇ ଦେବୀ କବଚ ସ୍ତୋତ୍ରରେ କୁହାଯାଇଛି :-
‘ପ୍ରଥମ ଶୈଳ ପୁତ୍ରୀତି, ଦ୍ୱିତୀୟଂ ବ୍ରହ୍ମଚାରିଣୀ
ତୃତୀୟଂ ଚଣ୍ଡଘଣ୍ଟେତି, କୁଷ୍ମାଣ୍ଡେତି ଚତୁର୍ଥକମ୍
ପଞ୍ଚମଂ ସ୍କନ୍ଧ ମାତେତି,ଷଷ୍ଠଂ କାତ୍ୟାୟନୀ ତଥା
ସପ୍ତମଂ କାଳ ରାତ୍ରିତି,ମହାଗୋðରତି ଚାଷ୍ଟମମ୍
ନବମଂ ସିଦ୍ଧିଦାତ୍ରୀଚ ନବଦୁର୍ଗା ପ୍ରକିର୍ତ୍ତିତା ।’
ଶକ୍ତି ସ୍ୱରୂପା ମାର ନଅଟି ରୂପରୁ ପ୍ରଥମ ହେଉଛି ଶ୍ରେଳପୁତ୍ରୀ ଅର୍ଥାତ୍ ଶୈଳରାଜ ବା ହିମାଳୟ କଠୋର ତପସ୍ୟା କରି ପାର୍ବତୀକୁ ନିଜର କନ୍ୟାରୂପେ ଲାଭ କରିଥିଲେ ।
ଏକ ଯୁଗର କଥା ପିତ୍ରାଳୟରୁ ନିଜର ସ୍ୱାମୀର ଅପମାନ ସହ୍ୟନକରି ପାରି ଯଜ୍ଞସ୍ଥଳୀରେ ପାର୍ବତୀ ପହଞ୍ଚି କ୍ରୋଧାନି୍ୱତ ହୋଇ ନିଜକୁ ଅଗ୍ନିକୁଣ୍ଡରେ ଝାସ ଦେଇଥିଲେ । ସତୀଙ୍କ ମୃତଶରୀରକୁ ସ୍କନ୍ଦରେ ଧରି ଦେବେଶ୍ୱର ମହାଦେବ ବ୍ରହ୍ମାଣ୍ଡରେ ପାଗଳପରି ଭ୍ରମଣ କରିବା ସମୟରେ ଅନ୍ତର୍ଯ୍ୟାମୀ ନାରାୟଣ ସତୀଙ୍କ ଦେହକୁ ୫୧ଖଣ୍ଡ କରି ଦେଶର ବିଭିନ୍ନ ସ୍ଥାନରେ ପକାଇଥିଲେ । ମହାଦେବ ଯେତେବେଳେ ଚେତନାରେ ଦେଖିଲେ ସତୀ ତାଙ୍କର ସ୍କନ୍ଦରେ ନାହାଁନ୍ତିି, ସେ ଶକ୍ତିଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ହିମାଳୟରେ କଠିନ ତପସ୍ୟା କଲେ । ଠିକ୍ ସେହି ସମୟରେ ଦେବତାମାନେ ଦାନବମାନଙ୍କ ଦ୍ୱାରା ବାରମ୍ବାର ପରାସ୍ତ ହେଉ ଥିବାରୁ ସର୍ବଦେବାଦେବୀ ମା’ଙ୍କ ପାଖରେ ପହଞ୍ଚି ଧରାପୃଷ୍ଠରେ ଅବତ୍ତୀର୍ଣ୍ଣ ହୋଇ ଦୁଷ୍ଟ ମାନବମାନଙ୍କୁ ବିନାଶ କରନ୍ତୁ ବୋଲି ଅନୁରୋଧ କଲେ । ଦେବତାମାନଙ୍କ ଅନୁରୋଧରେ ଶକ୍ତିମୟୀ ମା’ ଶୈଳପୁତ୍ରୀ ରୁପେ ଧରାପୃଷ୍ଠରେ ଅବତ୍ତୀର୍ଣ୍ଣ ହୋଇଥିଲୋ ।
ଏହି ଶକ୍ତିମୟୀଙ୍କର ଅପର ନାମ, ଉମା, ହୈମବତୀ, ସେ ହେଉଛନ୍ତି ବ୍ରହ୍ମଚାରିଣୀ ‘ବ୍ରହ୍ମ ଚାର ଇତଂ ଶୀଳମସ୍ୟା’ ବ୍ରହ୍ମଜ୍ଞାନ ଦାନ ଓ ବ୍ରହ୍ମଙ୍କୁ ପ୍ରାପ୍ତ କରିବା ଯାହାର ସ୍ୱଭାବ ସେହି ବ୍ରହ୍ମଚାରିଣୀ ମା’ ଶୁକ୍ଳବସ୍ତ ପରିହିତା । ଏହି ଦେବୀ ବ୍ରହ୍ମଚାରିଣୀ ରୂପରେ ଦେବରାଜ ଇନ୍ଦ୍ରକୁ ବ୍ରହ୍ମଜ୍ଞାନ ପ୍ରଦାନ କରିଥିଲେ ।
ମା’ଙ୍କର ତୃତୀୟ ଶକ୍ତିମୟୀ ରୂପର ନାମ ଚଣ୍ଡ ଘଣ୍ଟା । ଏହି ରୂପରେ ମହାଲକ୍ଷ୍ମୀ ସ୍ୱରୂପିଣୀ ଦୁର୍ଗାଦେବୀ ମହିଷାସୁର ବଧ ନିମନ୍ତେ ଅବତ୍ତୀର୍ଣ୍ଣ ହୋଇଥିଲେ ଏବଂ ସମସ୍ତ ଦେବତାମାନେ ଦେବୀଙ୍କୁ ନିଜ ନିଜର ଆୟୁଧ ପ୍ରଦାନ କରିଥିଲେ । ସେହି ଅବସରରେ ଦେବରାଜ ଇନ୍ଦ୍ର ଦେବୀଙ୍କୁ ଘଣ୍ଟାଟିଏ ପ୍ରଦାନ କରିଥିଲେ । ଇନ୍ଦ୍ର ଦେବୀଙ୍କ ଠାରୁ ବ୍ରହ୍ମଜ୍ଞାନ ପାଇବା ପରେ ସେହି ବ୍ରହ୍ମଜ୍ଞାନକୁ ବିଶ୍ୱରେ ଘୋଷିତ କରିବା ନିମନ୍ତେ ଯେଉଁ ଘଣ୍ଟା ଦେଇଥିଲେ, ସେଥିରେ ଗଦରାଜ ଐରାବତର ଶକ୍ତି ଭରପୂର ଭାବେ ରହିଥିଲା । ଏଣୁ କୁହାଯାଇଛି –
‘ଦଦୋð ତସ୍ୟେ ସହସ୍ରାକ୍ଷୋ ଘଣ୍ଟା ଭୈରବତାଦଗଜାତ ।’
ଉକ୍ତ ଘଣ୍ଟାର ଧ୍ୱନି ଅତୀବ ପ୍ରଚଣ୍ଡ । ପଣ୍ଡିତମାନଙ୍କ ମତରେ ଘଣ୍ଟା ସର୍ବବାଦ୍ୟମୟୀ ମହା ବିଶ୍ୱର ମୂଳରେ ଯେଉଁ ଶବ୍ଦ ବ୍ରହ୍ମ ବା ନାଦବ୍ରହ୍ମ ନିହିତ ଅଛି ତାହା ଏହି ମହାଘଣ୍ଟାରୁ ଉଦ୍ଭବ ହୋଇଛି । ଦେବୀଙ୍କ ମସ୍ତକରେ ଘଣ୍ଟା ଆକୃତିର ଅର୍ଦ୍ଧଚନ୍ଦ୍ର । ଏହି ଦେବୀ ଲାବଣ୍ୟମୟୀ, ଦିବ୍ୟମୂର୍ତ୍ତି ଏବଂ ବୀରରସର ଅପୂର୍ବ ମୂର୍ତ୍ତୀ ।
ଏହି ମା’ଙ୍କର ଚତୁର୍ଥ ରୂପ ହେଉଛି ‘କୂଷ୍ମାଣ୍ଡା’ ଉଷ୍ଣ ଶବ୍ଦର ଅର୍ଥ ତାପ, କୁସିିତ ତାପର ନାମ କୁଷ୍ମା, ଉକ୍ତ ମରଣଶୀଳ ଜଗତରେ ଆଧିଭୋðତିକ, ଅଧିଦୈବିକ ଓ ଆଧ୍ୟାତ୍ମିକ ଭେଦର ତ୍ରିବିଧତାପ । ଉକ୍ତ ଦୂର୍ବିସହ ତ୍ରିତାପ ହିଁ କୁଷ୍ମା – ଅଣ୍ଡ ଶବ୍ଦ ଏଠାରେ ଉଦର ଏହି ତ୍ରିତାପ ଉଷ୍ମାଙ୍କୁ ଯିଏ ଉଦରରେ ବହନ କରିଛନ୍ତି ସେହି ଦେବୀ ‘କୁଷ୍ମାଣ୍ଡା’ ।
ପଞ୍ଚମ ରୂପ ହେଉଛି ସ୍କନ୍ଦମାତା । ଦେବତାମାନଙ୍କର ସେନାପତି କାର୍ତ୍ତିକେୟଙ୍କର ଅନ୍ୟନାମ ହେଉଛି ‘ସ୍କନ୍ଦ’ । ଦେବତାମାନଙ୍କର ପ୍ରାର୍ଥନାରେ ମହାଦେବୀ ଉମା ରୂପରେ ହିମାଳୟ ପତ୍ନୀ ମେନକାଙ୍କ ଗର୍ଭରେ ଜନ୍ମଗ୍ରହଣ କରିଥିଲେ । ଶିବଙ୍କୁ ପାଇବାର ଆକାଂକ୍ଷା ନେଇ ଉମା ତପସ୍ୟା ପାଇଁ ଅଗ୍ରସର ହେଲେ ଏବଂ ତପସ୍ୟାରତ ସମୟରେ ପତ୍ରଟିଏ ମଧ୍ୟ ଭକ୍ଷଣ କରି ନଥିବା ଯୋଗୁଁ ତାଙ୍କ ଅନ୍ୟନାମ ଅପର୍ଣ୍ଣା ହେଲା । ଶେଷରେ ମଦନରୂପୀ କାମଦେବ ଶିବଙ୍କର ତପସ୍ୟାକୁ ଭଙ୍ଗ କରି ଶିବା ଓ ଶିବଙ୍କର ମିଳନ କରାଇ ଥିବାରୁ ତାଙ୍କ ଔରସରୁ ଯାତ ପୁତ୍ରର ନାମ ସ୍କନ୍ଦ ଓ ମା’ସ୍କନ୍ଦ ମାତା ରୂପେ ପରିଚିତ ।
ଷଷ୍ଠ ସ୍ୱରୁପୀ ମା’ କାତ୍ୟାୟିନୀ ରୂପେ ପରିଚିତା । ବିଷ୍ଣୁଙ୍କର ଚକ୍ରରୁ ସତୀଙ୍କର ଅଙ୍ଗ ୫୧ ଖଣ୍ଡ ହୋଇ ୫୧ଟି ସ୍ଥାନରେ ପଡ଼ିଥିଲା । ସେଥି ମଧ୍ୟରେ ରସରାଜ ଗୋପୀଜନବଲ୍ଲଭ ନିତ୍ୟ ରାସ ସ୍ଥଳୀ ବୃନ୍ଦାବନ ଅନ୍ୟତମ । ସେଠାରେ ଦେବୀ କାତ୍ୟାୟିନୀ ରୂପେ ବିରାଜିତା । ଏହି କାତ୍ୟାୟିନୀଙ୍କର ଗୋଟିଏ କାର୍ଯ୍ୟ ଅନନ୍ୟ ସାଧାରଣ । ତାହା ହେଲା ଭକ୍ତମାନଙ୍କୁ ସୁଦୁର୍ଲଭ କୃଷ୍ଣଭକ୍ତି ଦାନ । ସପ୍ତସତୀ ଚଣ୍ଡୀରେ ଦେବୀଙ୍କ ସୁଖଦା ଓ ମୋକ୍ଷଦା ସ୍ୱରୂପର ବର୍ଣ୍ଣନା କରାଯାଇଅଛି । ବ୍ରଜପୁରର ଗୋପାଙ୍ଗନାମାନେ ବାସୁଦେବଙ୍କୁ ନିଜର ପତିରୂପରେ ପାଇବାର ଅଭିଳାଷ ରଖି କାତ୍ୟାୟନୀଙ୍କୁ ପ୍ରାର୍ଥନା କରିଥିଲେ
‘କାତ୍ୟାୟନୀ ମହାମାୟେ ମହାଯୋଗୀନାଧିଶ୍ୱରୀ
ନନ୍ଦ ଗୋପ ସୂତଂ ଦେବୀ ପତିଂ ମେ କୁରୁତେ ନମଃ ।ା
ହେ ମା କାତ୍ୟାୟନୀ, ହେ ଅଘଟନ, ଘଟନ ସମର୍ଥେ ହେ କ୍ରୀଡ଼ା ରସାଭକେ ଯଶୋଦା ହୃଦଚନ୍ଦନଙ୍କୁ ଆମ୍ଭମାନଙ୍କର ପତିରୂପେ ପ୍ରଦାନ କରନ୍ତୁ । ସପ୍ତମ ସୂରୁପା ଭାବେ ମା’ କାଳରାତ୍ରି ନାମକୁ ଧାରଣ କରିଛନ୍ତି । ଋକ୍ବେଦରେ ଦଶମ ମଣ୍ଡଳରେ ପରମାତ୍ମାଙ୍କୁ ରାତ୍ରି ବୋଲି କୁହାଯାଇଛି । ପରମବ୍ରହ୍ମ ରାତ୍ରି ଏବଂ ବ୍ରହ୍ମମୟୀ ମା’ ହେଉଛନ୍ତି ରାତ୍ରିର ଶକ୍ତି । ସର୍ବକାର୍ଯ୍ୟରୁ ବିରତ ହୋଇ ପ୍ରାଣୀ ରାତ୍ରିରେ ବିଶ୍ରାମ କରେ । ସମସ୍ତଙ୍କ କର୍ମକ୍ଲାନ୍ତି ଦୂର ହୁଏ । ମାତା କୋଳରେ ସଚରାଚର ବ୍ରହ୍ମାଣ୍ଡର ଜୀବ ସମୂହ ବିଶ୍ରାମ ନିଏ । ଦେବୀ ହେଉଛନ୍ତି ସେହି ରାତ୍ରିରୂପା ମହାରାତ୍ରି ଠାରୁ କାଳରାତ୍ରି ଅଧିକ ଗଭୀର ଅଟେ । ବିଷ୍ଣୁଙ୍କ ଯୋଗ ନିଦ୍ରାହିଁ ମହାକଳୀ ବା କାଳରାତ୍ରି ବିଶ୍ୱକୁ ବିଶ୍ୱ ଜୀବନକୁ ଓ କଳାଶକ୍ତିକୁ ଯିଏ ସ୍ତବଧ୍ କରେ ସିଏ କାଳରାତ୍ରି ।
ମା’ଙ୍କର ଅନ୍ୟନାମ ମହାଗୋðରୀ । ଦେବାଧି ଦେବ ଦିନେ କାଳରାତ୍ରିଙ୍କୁ ଉପହାସ କରିଥିଲେ । ଦେବୀ ଅଭିମାନୀ ହୋଇ କଠିନ ତପସ୍ୟାରେ ନିଜକୁ ନିୟୋଜିତ କଲେ । ତପସ୍ୟାବଳରେ ନିଜର କଳାକାନ୍ତିକୁ ପ୍ରଦାନ କରି ନିଜେ ପୂର୍ଣ୍ଣ ଗୋðରବର୍ଣ୍ଣ ହୋଇ ମହାଗୋðରୀ ବିଦୁ୍ୟବର୍ଣ୍ଣା ହେଲେ । ଦେବାଧି ଦେବ ହେଲେ ନାରାୟଣ ଏବଂ ଦେବୀ ହେଲେ ଶ୍ରୀ ଲକ୍ଷ୍ମୀ । ଦେବତା ସର୍ବଦା ସ୍ୱାମୀଙ୍କ ପାଦତଳେ ବସି ପାଦ ମଞ୍ଚାଳନ୍ତି । ମହାକାଳୀ ହେଉଛନ୍ତି ସନ୍ତାନ ବସିଳା ମାତ୍ର ମହାଗୋðରୀ ସ୍ୱାମୀ ସୋହାଗିନୀ । ମା’ ଙ୍କର ଶେଷରୂପ ଅର୍ଥାତ୍ ନବମ ରୂପ ହେଉଛି ‘ସିଦ୍ଧିଦାତ୍ରି’ । ଗୀତାରେ ଭଗବାନ ଅଜ୍ୱର୍ନଙ୍କୁ କହିଛନ୍ତି, ହେ ଅର୍ଜ୍ଜୁନ –
‘ଯେ ଯଥା ମାଂ ପ୍ରପଦ୍ୟନ୍ତେ
ତାଂ ସ୍ତଥୈବ ଭଦାମ୍ୟହମ ।’
ମୋତେ ଯିଏ ଯେଉଁ ରୂପରେ/ ଭାବନାରେ ଉପାସନା କରେ ମୁଁ ତାହାକୁ ସେହିପରି ଭାବେ ସନ୍ତୋଷ ପ୍ରଦାନ କରେ । ସେହି ମା’ ସିଦ୍ଧଦାତ୍ରୀ ଜନନୀ ଅର୍ଜ୍ଜୁନଙ୍କୁ ଦୁର୍ଗାଙ୍କୁ ସ୍ତବ କରିବାର ପରାମର୍ଶ ଦେଇଥିଲେ । ସେହି ସ୍ତବ ବଳରେ ଦେବୀ ତୁଷ୍ଟ ହୋଇ ଅର୍ଜ୍ଜୁନଙ୍କୁ ପ୍ରତ୍ୟକ୍ଷଭାବେ ଦର୍ଶନ ଦେଇଛନ୍ତି । ସିଦ୍ଧିଦାତି୍ର ରୂପରେ ସେଇ ମା’ ସମଗ୍ର ବିଶ୍ୱବାସୀଙ୍କର କଲ୍ୟାଣ କରିବା ସହ ଅଣିମା, ମହିମା, ଗାରିମା, ଲଘିମା, ପ୍ରାପ୍ତି, ପ୍ରାକାଶ୍ୟ, ଈଶିତ୍ୱ ଏବଂ ବଶିତ୍ୱ ଏହି ଅଷ୍ଟ ସିଦ୍ଧି ପ୍ରଦାନ କରନ୍ତୁ ।

Comments are closed.